Unknown

 

 

 

 

 

 

 

 

 

 

ମାନଚିତ୍ର

ଅଧ୍ୟାପକ ଫନୀ ମହାନ୍ତି

 

ମୋ କଥା

 

"ମାନଚିତ୍ର" ମୋର ସର୍ବପ୍ରଥମ କବିତା ସଙ୍କଳନ । ମଣିଷ ଜୀବନରେ ଜ୍ୱଳନ ଓ ଅନ୍ତର୍ଦାହ କେତେ ବେଶି ମାରାତ୍ମକ ତାକୁ ମୁଁ ସାଧ୍ୟ ମତେ ରୂପ ଦେଇଛି ସନ୍ନିବେଶିତ କବିତାଗୁଡ଼ିକରେ । ଚିହ୍ନା ଗ୍ରାହକମାନେଇ "ମାନଚିତ୍ର"ର ମୂଲ୍ୟ ଠିକ୍ କରିପାରିବେ, ଏ ବିଶ୍ୱାସ ମୋର ଅଛି ।

 

ମୁଁ ବା କେତେକର ମଣିଷ ତାଙ୍କ ଗୁଣ ବଖାଣିବକୁ । ପଦୁଟିଏ କଥାରେ ମୋର ରାଜି ହୋଇ ସେ ଯେଉଁ ଦାୟିତ୍ୱକୁ ଆପଣା ଛାଏଁ ହସି ହସି ହାତକୁ ନେଇ ତୁଲେଇ ଦେଇ ବସିଲେ, ସବୁଦିନପାଇଁ ମୁଁ ତାଙ୍କ ନିକଟରେ ଋଣୀ ହୋଇଗଲି । ସତରେ ସେ ତ ମନେ ରହିଯିବା ଭଳି ମଣିଷଟିଏ । କିଏ ବା ନ ଚିହ୍ନିଚି ସଚ୍ଚି ରାଉତରାୟଙ୍କୁ ଏ ଦେଶରେ । ମାନଚିତ୍ରର କବିତାଗୁଡ଼ିକ ଓଡ଼ିଶାର ଊଣା ଅଧିକ ସବୁ ପତ୍ରପତ୍ରିକାରେ ସ୍ଥାନ ପାଇଚି (ଝଙ୍କାର ପତ୍ରିକା ବ୍ୟତୀତ) । ମୁଁ ସେଇସବୁ ସମ୍ପାଦକମାନଙ୍କୁ କୃତଜ୍ଞତା ଜଣାଉଚି । "ନବରବି" ଓ "ଆସନ୍ତାକାଲି"ର ସମ୍ପାଦକଙ୍କୁ ମୁଁ କେମିତି ବଧେଇ ଜଣାଇବି ଠିକ୍ କରିପାରୁନି । କବି ଜୀବନର ଯେତିକି ନିନ୍ଦା ପ୍ରଶଂସା ଏଯାବତ୍ ମୁଁ ପାଇଛି, ସେସବୁ ତାଙ୍କରି କରୁଣା । ମୋର କେତୋଟି କବିତା ଆକାଶବାଣୀ କଟକରୁ ପ୍ରଚାରିତ ହୋଇଥିବାରୁ ମୁଁ ତହିଁର କର୍ତ୍ତୃପକ୍ଷଙ୍କ ପାଖେ କୃତଜ୍ଞ ।

 

ଆମ ଦେଶର ପ୍ରବୀଣ ସମାଲୋଚକମାନଙ୍କ ହାତରେ "ମାନଚିତ୍ର" ଧରାଦେଲେ ମୁଁ ସବୁଠୁଁ ବେଶି ଖୁସି ହେବି । ସମାଲୋଚନା ଯେତେ କଠୋର ହେଲେ ବି ମୋର ଦୁଃଖ କରିବାର କିଛି ନାହିଁ । ଉତ୍ତମ ସମାଲୋଚନାହିଁ କବି ଜୀବନର ଅପବର୍ଗ । ଆଜିଯାଏଁ ସେ ହାୱା ଏଠି ବହିନି-। କେବେ ଯେ ବହିବ କିଏ ଜାଣେ ?

 

ସଂପୂର୍ଣ୍ଣ ପାଣ୍ଡୁଲିପିଟିକୁ ମୋର ନାନା ଜଞ୍ଜାଳ ଭିତରେ ଧୈର୍ଯ୍ୟର ସହିତ ପଢ଼ି ଆବଶ୍ୟକ ସ୍ଥଳେ ଯତକିଞ୍ଚିତ ପରିବର୍ତ୍ତନପାଇଁ ପରାମର୍ଶ ଦେଇଥିବାରୁ "ପ୍ରଜ୍ଞା"ର ଅନ୍ୟତମ ପ୍ରବୀଣ ସମ୍ପାଦକ, ମୋର ପୂଜ୍ୟ ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ଦାସଙ୍କ ପାଖେ ମୁଁ କୃତଜ୍ଞ ।

 

"ମାନଚିତ୍ର"ର ସୁଖଦୁଃଖରେ ଅଂଶୀଦାର ହବାକୁ ଯେଉଁମାନେ ହକଦାର ସେମାନେ ହେଲେ ପୂଜ୍ୟଚିନ୍ତାମଣି ବେହେରା, ମୋର ସମାଲୋଚକ ବନ୍ଧୁ ଅଧ୍ୟାପକ ବୈଷ୍ଣବ ଚରଣ ସାମଲ, ତରୁଣ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର, ଅଧ୍ୟାପକ ବନବିହାରୀ ଚଉଧୁରୀ, "ଅଧୁନା"ର ସମ୍ପାଦକ ପ୍ରଫୁଲ୍ଲ ରଥ, ପ୍ରିୟବ୍ରତ ଦାସ, ଦୟାଲାଲ ଯୋଶୀ, ସାଧୁ ପଟ୍ଟନାୟକ, ଶିଶିର ମହାପାତ୍ର, ରଘୁନାଥ ସେନାପତି ପି "ମୟୁର ଚନ୍ଦ୍ରିକା"ର ସମ୍ପାଦକ ମୋର ସ୍ନେହର ଅନୁଜ ସୁବୋଧ ।

 

"ମାନଚିତ୍ର"କୁ ସବୁଜ ପୃଥିବୀ ଆଗରେ ଖୋଲି ଦେଖାଇ ଦେଇ ବିନା ସର୍ତ୍ତରେ ସମସ୍ତ ରିସ୍‍କକୁ ହାତକୁ ନେଇଥିବାରୁ "ସାଥୀ ମହଲ"ର ତତ୍ତ୍ୱାବଧାରକ ରାଧାଶ୍ୟାମବାବୁ ମୋର ଅବିସ୍ମରଣୀୟ ।

 

ଫନୀ ମହାନ୍ତି

 

ତା ୬ ।୧୦। ୭୩

ବିଜୟାଦଶମୀ

—୦—

 

ପୃଷ୍ଠା ପାହାଚରେ

 

୧.

ରାଜଧାନୀ

୨.

ଅଳକା ସାନ୍ୟାଲ

୩.

ଗୁମ୍ଫା

୪.

ଦୁଇଟି କବିତା

୫.

ଅନାମ କବିତା

୬.

ମହାପୁରୁଷ

୭.

ଫେରିବାଲା ଉଦ୍ଧବ ଉବାଚ

୮.

ଖାସ୍ ତୁମ ଦେହ

୯.

ରବିବାର

୧୦.

ସ୍ମୃତି ଓ ସାନ୍ତ୍ୱନା

୧୧.

ଗ୍ରୀଷ୍ମ ଋତୁ

୧୨.

ଦୁଇଟି କବିତା

୧୩.

ଗତାନୁଗତିକ

୧୪.

ଭୟ

୧୫.

ଦୃଶ୍ୟ ଏକ ମୌଜାର

୧୬.

ସମୟ : ଦୁଃସମୟ

୧୭.

ଘରବାହୁଡ଼ା

୧୮.

ସମ୍ୱୋଧନ

୧୯.

ସାପ

୨୦.

ଅଦୃଷ୍ଟକୁ

୨୧.

ଅନାମ କବିତା

୨୨.

ଯୁଦ୍ଧ

୨୩.

ସୂର୍ଯ୍ୟୋଦୟ

୨୪.

କାହାର ସ୍ୱାମୀ ପ୍ରେମିକ ବା

୨୫.

ଜୀବନ ଦର୍ଶନ

୨୬.

କେତେକାଳ ଶୂନ୍ୟରେ ଝୁଲିବା

୨୭.

ହଠାତ ବସନ୍ତି

୨୮.

ଅସଫଳ ସ୍ୱପ୍ନ ସମ୍ପର୍କରେ

୨୯.

ଏକ ନାମଜାଦା ସହରର ଶୋଭାଯାତ୍ରା ପ୍ରତି

୩୦.

ଜନ୍ମଦିନ

୩୧.

ଅସତ୍ୟ ସହର

୩୨.

ସାଲୁର

୩୩.

ମୃତ୍ୟୁ

୩୪.

ରାସ୍ତା

୩୫.

ଦେହ

୩୬.

ପ୍ରଥମ ଦଲିଲ

୩୭.

ଶତାବ୍ଦୀର ସହର

୩୮.

ଖରାବେଳ

୩୯.

ପ୍ରାର୍ଥନା

୪୦.

ବସନ୍ତ ଋତୁ

୪୧.

ହାୱା

୪୨.

ବାଘ

୪୩.

ଆଉ ବା ଭୟ କାହାକୁ

୪୪.

ଉଦାସ

୪୫.

ନର୍କବାସ

୪୬.

ଯାତ୍ରା

୪୭.

ସାଲୁର

୪୮.

ମାନଚିତ୍ର

—୦—

 

ଫନୀ ମହାନ୍ତିଙ୍କ କବିତା

 

ସଚ୍ଚିଦାନନ୍ଦ ରାଉତରାୟ

 

ଆଜି ମଣିଷର ବିଚ୍ଛିନ୍ନତା ଓ ସ୍ୱବିରୋଧ ଯେପରି ସୁଦୂର ପ୍ରସାରିତ, ସେପରି ପୂର୍ବେ କେବେ ଦେଖାଯାଇନଥିଲା । ଏହାର କାରଣ ମଣିଷର ଗତିଃବେଗ ଆଜି ବିଜ୍ଞାନର ପ୍ରାସାଦରୁ ଦ୍ରୁତତମ ଏବଂ ସେଇ ତୁଳନାରେ ତା’ର ଅଗ୍ରଗତି ସଙ୍ଗେ ସଙ୍ଗେ ତା’ର ଅର୍ନ୍ତଦ୍ୱନ୍ଦ୍ୱ ଓ ମାନସିକ ସଙ୍କଟ ମଧ୍ୟ ସେଇପରି କ୍ରମପ୍ରସାର୍ଯ୍ୟମାନ । ବ୍ୟକ୍ତି ଓ ସମାଜର ଏଇ ଅର୍ନ୍ତଦ୍ୱନ୍ଦ୍ୱ ଫଳରେ ଚିନ୍ତା ଓ କର୍ମ ମଧ୍ୟରେ ବ୍ୟବଧାନ, ବ୍ୟକ୍ତିମାନସ ଓ ସମାଜମାନସ ମଧ୍ୟରେ ବିଚ୍ଛେଦ, ଅନୁଭୂତି ଓ ଚିନ୍ତା ମଧ୍ୟରେ ଅସାମଞ୍ଜସ୍ୟ ଏବଂ ଆଙ୍ଗିକ ଓ ଆତ୍ମିକ ମଧ୍ୟରେ ଅସମନ୍ଵୟ–ଏହାହିଁ ଯେପରି ଆଜିର ପରିଚିତ ପ୍ରେକ୍ଷାପଟ । ଏ ପରିସ୍ଥିତିକୁ ସାହିତ୍ୟକାର କିନ୍ତୁ ନିଜେ ତିଆରି କରିନାଇଁ । ଏହା ତା’ର ଅଲଂଘନୀୟ ନିୟତି ଏବଂ ଏକପ୍ରକାର ଉତ୍ତରାଧିକାର କହିଲେ ଚଳେ । ସେ ଏଇ ପରିଣତିର ବରଂ ଏକ ଶିକାର ।

 

ଏଭଳି ପରିସ୍ଥିତିର ପଟାନ୍ତର ଫରାସୀ ପ୍ରତୀକବାଦର ଆଜି ଓ ମଧ୍ୟ ପର୍ବରେ କିଛିଟା ମିଳିପାରେ । ବୁଦେଲିଅର ତାଙ୍କ ଯୁଗକୁ କିପରିଦୃଷ୍ଟିରେ ଦେଖୁଥିଲେ ? କ’ଣ ଥିଲା ତାଙ୍କର ଏବଂ ମାଲାର୍ମେ, ରାବୋ ଓ ଭାଲେରୀ ପ୍ରଭୁତିଙ୍କର ଆଭିମୁଖ୍ୟ ଓ ଦୃଷ୍ଟିକୋଣ ? ବୁଦେଲିଅର ତାଙ୍କ ଯୁଗ ସମ୍ୱନ୍ଧରେ କହିଛନ୍ତି—"action ।s no longer the sister of dreams"—ଅର୍ଥାତ ଚିନ୍ତା ଓ କର୍ମ ଆଉ ପରସ୍ପରର ପରିପ୍ରେକ୍ଷୀ ନୁହନ୍ତି—କେତେବେଳେ ସବୁକିଛି ମିଥ୍ୟା ହୋଇପଡ଼େ-। ଧର୍ମ, ସମାଜ, ଗଭର୍ଣ୍ଣାମେଣ୍ଟ, ପ୍ରଚଳିତ ମୂଲ୍ୟ ସବୁକିଛିର ଅସାର ଓ ଅଚଳ ହୋଇଯାଏ । ଠିକ୍ ମଧ୍ୟଯୁଗରେ ଖ୍ରୀଷ୍ଟିୟାନ ଆଶ୍ରମିକମାନେ ଯେପରି ନିଜକୁ ସମାଜ ଓ ସଂସାରଠାରୁ ସଂପୂର୍ଣ୍ଣ ଦୂରେଇରଖି ବଦ୍ଧ କୋଠରି ଭିତରେ ବସି Virgil ଗ୍ରନ୍ଥ ଉତାରିବାରେ ବ୍ୟସ୍ତ ଥିଲେ ଏବଂ ତଦ୍ୱାରା ସେଣ୍ଟ ଆଗଷ୍ଟିନ ଓ ଲାଟିନ କବିମାନଙ୍କର ସ୍ୱପ୍ନ ସତ୍ୟରେ ପରିଣତ ହେବ ବୋଲି ବିଶ୍ୱାସ କରୁଥିଲେ, ଠିକ୍ ସେଇପରି ବୁଦେଲିଅର, ମାଲାର୍ମେ ଓ ଭାଲେରୀ ରାଜନୀତିକ ଆଶାଭଙ୍ଗ ଓ ଧର୍ମୀୟ ବିଡ଼ମ୍ବନାରେ ପୀଡ଼ିତ ହୋଇ ଅପାର୍ଥିବକୁହିଁ ଆଶ୍ରୟ କରି ବଞ୍ଚିଥିଲେ ଏବଂ ନିଜ ଚିନ୍ତାକୁ ସୂକ୍ଷ୍ମରୁ ସୂକ୍ଷ୍ମତର କରିବାରେ ଲାଗି ପଡ଼ିଥିଲେ । ସବୁ ଜିନିଷକୁ ତା’ର ବିଶୁଦ୍ଧ ରୂପରେ ଚିତ୍ର କରିବାହିଁ ଥିଲା ସେମାନଙ୍କର ବ୍ରତ ।

 

ଭIଲେରୀ ବୁଦେଲିଅରଙ୍କ ଭଳି ଦୃଶ୍ୟମାନ ଜଗତ ଅପେକ୍ଷା ଅଦୃଶ୍ୟ ଜଗତ ଉପରେହିଁ ଅଧିକ ଗୁରୁତ୍ୱ ଦେଇ ଯାଇଛନ୍ତି । ତାଙ୍କ ଚରିତ୍ର M.Teste—ଯାହାକୁ ଅନେକେ "ଦି ଥିଲଟିମେଟ ରୋମାଣ୍ଟିକ" କହନ୍ତି ଏବଂ ଯାହାକୁ ଭାଲେରୀ ନିଜେ "a monster of ।solation and singular knowledge" କହିଛନ୍ତି, ବୌଦ୍ଧିକ ଅହଙ୍କାରର ଏକ ପ୍ରମୂର୍ତନ ମାତ୍ର । ତା’ର ବାସ ଚିନ୍ତାର ଧ୍ରୁବଲୋକରେ—ବାସ୍ତବ ଜଗତ ସହିତ ତା’ର ସମ୍ପର୍କ ଶିଥିଳ । ଭାଲେରୀ ଅସତ୍ତା ବା nothingness ଏକ ବିଶେଷ ଅର୍ଥରେ ବ୍ୟବହାର କରିଛନ୍ତି—ଯାହା ଅଦ୍ୱୈତ ବେଦାନ୍ତବାଦୀର "ପ୍ରତୀତ ପରି" ଅର୍ଥାତ ଯାହା ପ୍ରତୀତ ହୁଏ ମାତ୍ର ଯାହା ନୁହେଁ । ମାଲାର୍ମେ ଅସତ୍ତାକୁ ଏକ ପ୍ରତିଭାସ ରୂପେ ଦେଖିଛନ୍ତି । ସମସ୍ତ କିଛିହିଁ ତାଙ୍କ ଦୃଷ୍ଟିରେ ମାୟା ବା ଇଲ୍ୟୁସନ୍ । ବାର୍ଗ-ଶିଂକ ଦର୍ଶନର ଅନ୍ୟତମ ଉପଜୀବ୍ୟ ଥିଲା ଭୌତିକ ପଦାର୍ଥର ଅହେତୁତ୍ତ୍ୱ (non-indispensfility of physical matter) ଠିକ୍ ଯେପରି ସୋଫେନ ଆରଙ୍କ ନିଷ୍କାମନା (absence of desire to be) । ଏଇପରି ବିଭିନ୍ନ ନେତିମୂଳକ ଆଭିମୁଖ୍ୟ ଇତିହାସର ବିଭିନ୍ନ ପର୍ଯ୍ୟାୟରେ ମଣିଷ ମନରେ ଧୁମକୁଣ୍ଡଳୀ ସୃଷ୍ଟି କରିଚି । ତା’ର ସହଜ ଶକ୍ତିକୁ ଆଚ୍ଛନ୍ନ ଓ ପ୍ରତିହତ କରିଚି । ଏଇ ପର୍ଯ୍ୟାୟରେ ଆଭିମୁଖ୍ୟ ଭାଲେରିଙ୍କ ଲେଖାମାନଙ୍କରେ, ବିଶେଷତଃ ତାଙ୍କର L’Ame et lao Danse ରେ (the soul and the Dance) ବେଶ୍ ପ୍ରତିଫଳିତ ।

 

"The soul’s one perpetual aim ।s certainly that which does not exist, which was but ।s no longer, which will be but ।s not yet, that which ।s possible or ।mpossible that ।s soul’s business, never never that which ।s."

 

"ଯାହା ଅଛି ଆତ୍ମା ତା’ଠାରୁ ଦୂରରେ ରହେ । ଯାହା ଥିଲା, ବର୍ତ୍ତମାନ ନାଇଁ, ଯାହା ହୋଇପାରେ ମାତ୍ର ହୋଇନାଇଁ, ଯାହା ସମ୍ଭବ କିମ୍ୱା ଅସମ୍ଭବ, ଆତ୍ମା ତାରି ପ୍ରତି ଉନ୍ମୁଖ-I "ଆଧୁନିକ କାଳର ସ୍ଥିତିବାଦ ଅନେକଟା ଏଇ ନ ହୋଇପାରିବାର ଯନ୍ତ୍ରଣIରେହିଁ ପୀଡ଼ିତ । ଭାରତ ବର୍ଷର ସମ୍ୱିତ୍ ବୌଦ୍ଧ ଶୂନ୍ୟବାଦ ମଧ୍ୟରେ ଠିକ୍ ଏଇପରି ଦିନେ ଭୟଙ୍କର ନେତୃତ୍ୱରେ ଆନ୍ଦୋଳିତ ହୋଇଥିଲା—ଯେତେବେଳେ ଭଗବାନ ବୁଦ୍ଧ ନେତୃତ୍ୱକୁହିଁ ପରମ ପଥ ବୋଲି ଘୋଷଣା କରିଥିଲେ—

 

"Because all Dharmas have one mark only, that ।s, no mark. ।t ।s for this reasan that all dharmas have the character of not having been fully known by the Tathagata, but just one single one ।s the nature of all dharmas. And nature of all dharmas ।s non-nature and this non-nature ।s their nature. ।t ।s thus all points of attachment are abandoned."

(Astasahasrika, 8. 192)

 

ସମକାଳୀନ ମଣିଷର ଚେତନା ଖଣ୍ଡିତ ଏବଂ ଏକ ଭଗ୍ନାଂଶ ଚେତନା । ଏହା "ପୂର୍ଣ୍ଣମିଂଦ"ର ଧାରଣା କରିବାକୁ ଅକ୍ଷମ । ଏହା ନାନା ସ୍ଵ ବିରୋଧ ଓ ଅର୍ନ୍ତଦ୍ୱନ୍ଦ୍ୱରେ ସ୍ୱବିଭକ୍ତ । ତେଣୁ ଏ ଯୁଗୀୟ ସହିତ୍ୟକର୍ମ ବିନ୍ଦୁ ମଧ୍ୟରେ ସିନ୍ଧୁର ପରିଚୟ ଦେଇପାରିବା ଭଳି ଶୈଳ୍ପିକ ଆଙ୍ଗିକ ଲାଭ କରିବା ଦିଗରେ ନାନା ପରୀକ୍ଷାରେ ବ୍ୟାପୃତ ।

 

ଏ ଯୁଗର ମଣିଷ ତା’ର ନିଜ ସୀମା ସମ୍ୱନ୍ଧରେ ସଚେତନ । ଧର୍ମର ଚୋରା ଗଳିଟାକୁ ଛାଡ଼ି ବାସ୍ତବତାର ମୁକାବିଲା କରିବାକୁହିଁ ସେ ଚାହେଁ । ଏଇ ମୁକାବିଲାହିଁ ତା’ର ଧର୍ମ । ବାସ୍ତବତାର ରୂପାନ୍ତର ଘଟାଇବା ପ୍ରଣାଳୀରେ ସେ ନିଜକୁ ମଧ୍ୟ ରୂପାନ୍ତରିତ କରି ଚାଲିଚି । ଏଇପରି ଭାବରେ ତା’ର ଅଲକ୍ଷ୍ୟରେ ତା’ର ଚେତନାର ମଧ୍ୟ ରୂପାନ୍ତର ହୋଇ ଚାଲିଚି ।

 

କେନେଡ଼ି ଯୁଗର—(ସମାନ୍ତରାଳ ଭାବରେ ଭାରତବର୍ଷରେ ନେହୁରୁ ଯୁଗ) "ଯାହା ଥିଲା ନିର୍ମାଣର ଖସଡ଼ାରେ ଭରପୁର—ସେ ଯୁଗର ଯୁବସମାଜର "quescent conformism" ଅର୍ଥାତ ସ୍ଥିତାବସ୍ଥାରେ ନୀରବ ଦର୍ଶକ କିମ୍ୱା ପରୋକ୍ଷ ସମର୍ଥକ ଭୂମିକା ପରବର୍ତ୍ତୀ ଦଶକରେ ପ୍ରାୟ ଲୋପ୍ ପାଇଯାଇଚି । ପରବର୍ତ୍ତୀ ଦାସଙ୍କ ପୃଥିବୀର ସର୍ବତ୍ର ଯୁବବକ୍ଷୋଭ ଓ ଗଣଜାଗରଣର ନୂତନ ଅଭ୍ୟୁତ୍‍ଥାନ ଦେଖିଚି । ଆମେରିକା, ୟୁରୋପ, ଜାପାନ, ଭାରତବର୍ଷ, ପାକିସ୍ଥାନ ସର୍ବତ୍ର ଯୁବ-ଛାତ୍ର ସମାଜ ପ୍ରଚଳିତ ଅନୁଷ୍ଠାନ ଓ ମୂଲ୍ୟ ବିରୁଦ୍ଧରେ ପ୍ରବଳ ସ୍ୱର ଉଠାଇଚି ଏବଂ ସବୁଠି ପ୍ରଚଳିତ ବ୍ୟବସ୍ଥା ସାଙ୍ଗରେ ତା’ର ପ୍ରାୟ ହାତାହାତି ହୋଇଯାଉଚି ।

 

ବର୍ତ୍ତମାନ ବଂଶଧରର ନିକଟ ଅତୀତ ସମ୍ବନ୍ଧରେ କୌଣସି ପ୍ରତ୍ୟକ୍ଷ ଧାରଣା ନାହିଁ କହିଲେ ଚଳେ । ତେଣୁ ସେମାନେ ସମଗ୍ର ଅତୀତଟା ବିରୁଦ୍ଧରେ ଖଡ଼୍‍ଗହସ୍ତ । କେହି କେହି ବର୍ତ୍ତମାନ ସମାଜବ୍ୟବସ୍ଥାର ପରିବର୍ତ୍ତନ ସାଧନ କରିବାକୁ ଅସମର୍ଥ ବା ଅସାଧ୍ୟ ମନେକରି ପଳାୟନର ଶିବିରରେ ଆଶ୍ରୟ ନେଇ ପଟ ଓ ଏସିଡ଼ର ମାଦଳ ଜଗତ ମଧ୍ୟରେ ରୁକ୍ଷ ବାସ୍ତବତାକୁ ପାଶୋରି ଦେବାକୁ ବ୍ୟର୍ଥ ଚେଷ୍ଟା କରୁଥିବା ବେଳେ ଅନ୍ୟ ଏକ ଆଦର୍ଶବାଦୀ ଅଂଶ ମୁକାବିଲାର ଶିବିରରେ ନିଜକୁ ସାମିଲ କରି ପ୍ରତିବାଦ ଓ ପ୍ରତିରୋଧର ଶକ୍ତିକୁ ଦୃଢ଼ତର କରୁଛନ୍ତି ।

 

ଏଇ ପୃଷ୍ଠପଟରେ ଆଧୁନିକ କାବ୍ୟ, ଗଳ୍ପ ଉପନ୍ୟାସ, ନାଟକ ଓ ଶିଳ୍ପକଳାର ବିନାଶ ଓ ବିଚାର ଉଭୟ ପରିପ୍ରେକ୍ଷୀରୁ ବିଚ୍ଛିନ୍ନ କରି ସାହିତ୍ୟ କର୍ମକୁ ବିଚାର କରିବାର ସମାଲୋଚନା ପଦ୍ଧତି ବର୍ତ୍ତମାନର ଯୁଗରେ ପ୍ରରିତ୍ୟକ୍ତ । କାରଣ ପଟବିଚାର ଛଡ଼ା ଯେଉଁ ମୂଲ୍ୟାୟନ ତାହା ପ୍ରାୟ ଭୁଲ୍ ଦିଗ୍‍ଦର୍ଶନ ଦେଇଥାଏ ।

 

ଫନୀ ମହାନ୍ତି ଓଡ଼ିଶାର ନୂତନ ବଂଶଧରମାନଙ୍କର କବି । ତାଙ୍କ କାବ୍ୟ କବିତା, ଗଳ୍ପ ପ୍ରଭୃତିରେ ବିଗତ ଓ ପ୍ରଚଳିତ ଦଶକର ଚେତନାହିଁ ସଫଳ କାବ୍ୟରୂପ ଦାବି କରି ଆସିଅଛି । ତାଙ୍କର ପ୍ରଥମ ସଙ୍କଳନ "ମାନଚିତ୍ର" ପ୍ରକାଶ ପାଇବାକୁ ଯାଉଚି । "ମାନଚିତ୍ର’ର ସନ୍ନିବିଷ୍ଟ କବିତାଗୁଡ଼ିକ ଏଥିପୂର୍ବରୁ ଓଡ଼ିଶାର କେତେକ ସାହିତ୍ୟ ପତ୍ରରେ ପ୍ରକାଶପାଇଁ ବିଦ୍‍ଗଧ ମହଲରେ ଆଦୃତ ହୋଇଥିଲା । ଏଇ ମୁଖବନ୍ଧ ଲେଖକର ଗୋଟିଏ ବଡ଼ ସୁଯୋଗ ହେଉଚି ଯେ ସେ ତରୁଣ ଲେଖକ ଲେଖିକାମାନଙ୍କର ଚେତନା ଓ ଉଚ୍ଚାରଣ ସହିତ ପ୍ରତ୍ୟକ୍ଷ ଭାବରେ ଏବଂ ଖୁବ୍ ନିବିଡ଼ ଭାବରେ ଜଡ଼ିତ । ସେଇ ସୂତ୍ରରେ ଫନୀ ମହାନ୍ତିଙ୍କ ସାହିତ୍ୟ କର୍ମ ସହିତ ମୋର ପରିଚୟ ମଧ୍ୟ ଖୁବ୍ ଅର୍ବାଚୀନ ନୁହେଁ ।

 

କେନେଡ଼ି-ନେହେରୁ ଦଶକର ନିର୍ମାଣର ସ୍ୱପ୍ନର ସ୍ଥାନ ନେଇଚି ଆଜି ଯେଉଁ ବିକଟ ଆଶାଭଙ୍ଗ, ଏବଂ ସ୍ୱପରିଚୟ ସନ୍ଧାନର ଅଭିଯାନ, ସେଇ ଭଙ୍ଗୁରତାର କବି ହେଉଛନ୍ତି ଫନୀ ମହାନ୍ତି । କିନ୍ତୁ ଏହା ବୋଲି ଐତିହ୍ୟ ସଙ୍ଗରେ ତାଙ୍କର ଯୋଗସୂତ୍ର କ୍ଷୀଣ ବା ଦୁର୍ବଳ ନୁହେଁ । ଐତିହ୍ୟ-ଚେତନା ତାଙ୍କ କବିତ୍ୱକୁ ଶକ୍ତି ଓ ସୌନ୍ଦର୍ଯ୍ୟ ମଣ୍ଡିତ କରିଚି । ସେଥିପାଇଁ ସେ ଅକ୍ଳେଶରେ ଅଳକା ସାନ୍ୟାଲକୁ "ଶ୍ମଶାନିତ ଭଙ୍ଗା ନୂଆଖାଲି"ରୁ "ଆଦିବାସୀ ପଡ଼ିଆ" ପର୍ଯ୍ୟନ୍ତ ଟାଣିଆଣି ପାରିଛନ୍ତି ଏବଂ ତାକୁ ଏକ ନୂତନ ପରିଚୟ ପ୍ରଦାନ କରିଛନ୍ତି ।

 

ଫନୀ ମହାନ୍ତିଙ୍କ କାବ୍ୟଜିଜ୍ଞାସା ସମକାଳୀନ ଜୀବନ ଜିଜ୍ଞାସାର ଏକ ନିଷ୍କପଟ ଉଚ୍ଚାରଣ, ଏକଥା ପୂର୍ବରୁ କହିଚି ।

 

"ତୁମେ ମୋର ଚନ୍ଦ୍ରାବତୀ । ତୁମେ ମୋର ଅଳକା ସାନ୍ୟାଲ... ....

ପ୍ରଥମ ସାକ୍ଷାତ୍ ମୋର ତମ ସଙ୍ଗେ ଆଦିବାସୀ ପଡ଼ିଆରେ

ଲୁପ୍ କେନ୍ଦ୍ର ଉଦଘାଟନ ବେଳେ... ....I"

 

"ସମୁଦ୍ର" ମଧ୍ୟ ତାଙ୍କ ନିବାରଣ କରିବାକୁ ଅସମର୍ଥ ।

 

 

 

"ଏଇ ମୁଁ ଫେରୁଚି ମାତ୍ର

ଅତିକ୍ରମି ଲକ୍ଷ ଲକ୍ଷ... ...ଢେଉର ସମୁଦ୍ର

ତୃଷାରେ ମୋ କଣ୍ଠନଳୀ ଫାଟିପଡ଼େ

ତଥାପି ମୁଁ ପାଇନାଇଁ ଆଞ୍ଜୁଳାଏ ପ୍ରୀତିର ସନ୍ଧାନ ।

ଶ୍ୟାମକୁ ଜୁହାର,

ତା’ର ପ୍ରୀତିକୁ ଜୁହାର ।

x x x

କଦମ୍ୱ ବନକୁ ଆଉ ଯିବିନାଇଁ

ବଂଶୀ ଧରି,... ...

ଜଳକେଳି ଲୋଡ଼ା ନାଇଁ ।"

 

ସତ୍ତାର ଯନ୍ତ୍ରଣା ତାଙ୍କ କବିତାରେ ସ୍ଵତଃସ୍ଫୁର୍ତ୍ତ । ତାଙ୍କ କବିତା ଏଇ ଯନ୍ତ୍ରଣାର ବାଙୟ ହୋଇପାରିଥିବାରୁହିଁ ସିଦ୍ଧିର ନିକଟବର୍ତ୍ତୀ ।

 

"ମୋ ବୟସ ଚାହୁଁ ଚାହୁଁ ଫିକା ପଡ଼ିଲାଣି ।

କି ଥିଲା ମୋ ରୂପ ଆଜି କ’ଣ ହେଲାଣି ?

ମୋ’ ଗଣ୍ଠିଲି ସଜ କର,

ବାନ୍ଧିଦିଅ ମୋ ପେଡ଼ି ପୁଟୁଳା,

 

 

ମୁଁ ଯିବି ପାରିଧିକୁ

ଡଙ୍ଗା ବୋହି ଅଜଣା ଦ୍ୱୀପକୁ ।"

(ଯାତ୍ରା)

 

ରୂଢ଼ ବାସ୍ତବତାକୁ ସେ ଗ୍ରହଣ କରି ମଧ୍ୟ କରିପାରିନାହାନ୍ତି । ଏହାର ଅବିଶ୍ରାନ୍ତ ଅର୍ନ୍ତଦ୍ୱନ୍ଦ୍ୱ ମଧ୍ୟରେ ସେ ଅହରହ ପୀଡ଼ିତ, ମର୍ମାହତ ଓ ଅଣନିଶ୍ୱାସୀ ହୋଇଉଠିଛନ୍ତି ।

 

ବୋଉ ଲୋ ! ମାଡ଼ୁଚି ଡର ସହରର ଭଙ୍ଗା ପୋଲ

ଅସନା ଗଳିରେ । ରେସ୍ତୋରାଁରେ କଫି ଦୋକାନରେ

ସିନେମାର ବାଲ୍‍କୋନୀରେ...... ........

ବୋଉଲୋ ମାଡ଼ୁଚି ଡର ଏକା ଏକା

ସଡ଼କର ଚଉଡ଼ା ଛାତିରେ ।

ମୁଁ ତୋର ଅର୍ଖିତ ପୁଅ, ଅପଗଣ୍ଡ ଅପଦାର୍ଥ ପୁଅ ।

ମୋପାଇଁ କାନ୍ଦନା ଆଉ ଅଯଥାରେ ।

 

ଏ କବିତା ବୁଦ୍ଧିର ନୁହେଁ । ଏଥିରେ ସ୍ୱଜ୍ଞIର ସ୍ଵାକ୍ଷର ସ୍ପଷ୍ଟ । ସେଥିପାଇଁ ହୃଦୟ ଓ ମନ ଉଭୟକୁ ସ୍ପର୍ଶ କରେ ।

 

"ମୋପାଇଁ କାନ୍ଦନା ଆଉ ଅଯଥାରେ । କଷ୍ଟ ଦେଇ

ଆପଣା ଶରୀରେ । ଓଷା ବ୍ରତ ଉପାସନା କରନି ତୁ

ମୋ ଲାଗି ଗଡ଼ାନି ଲୁହ ମଥାପିଟି ଭଙ୍ଗା ମନ୍ଦିରରେ ।

ମୁଁ ମୋ ନିଜର ଶତ୍ରୁ

ନିଜକୁ ମୁଁ ଚିହ୍ନୁନାଇଁ । ନିଜ କଥା ବୁଝିପାରୁ ନାଇଁ ।

ନିଜ ଦୁଃଖ କାହାଆଗେ କହି ମୁଁ ପାରୁନି । ଅବା

ନିଜ ଭାଗ୍ୟଫଳ, ବର୍ଣ୍ଣ, ଗୋତ୍ର, ଜାତି ମୁଁ ଜାଣିନି ।

(ସଂଶୋଧନ)

 

ମଣିଷ ଆଜି ସତରେ କେନ୍ଦ୍ରଚ୍ୟୁତ । ତା’ର କେନ୍ଦ୍ରମୁଖୀ ଅଭିଜ୍ଞ ସତରେ ଆଜି ମର୍ମନ୍ତୁଦ ଅସହାୟତା ମଧ୍ୟରେ କ୍ଷତ, ବିକ୍ଷତ, ବିଦୀର୍ଣ୍ଣ । ତା’ର ଅସହାୟ ଆଖିରେ "ରାଜଧାନୀ ସହରକୁ ସଞ୍ଜ ଆସେ ବାଘପରି ଷ୍ଟେସନର ଇଲାକାରୁ ଉଠାପୋଲ ଡେଇଁ ।" ସେଇ ବାଘର ନିଃଶବ୍ଦ ଗର୍ଜନରେ ଆତ୍ମା ତା’ର ଭୟାର୍ତ୍ତ ଶିଶୁପରି ଏକ ଅଜଣା ଆତଙ୍କରେ କମ୍ପିଉଠୁଚି । ତଥାପି ସେଇ ସହରହିଁ ତା’ର ସତ୍ତାର ଭୂମି । ତାକୁ ଅସ୍ୱୀକାର କରିବାର ଉପାୟ ନାଇଁ ।

 

"ସେ ସହରେ ସବୁ ପାପ ଧୋଇ ଧୋଇ କେଦାର ଗୌରୀ

କୁଣ୍ଡେ କରେ ଗଙ୍ଗାସାନ । ସେ ସହରେ ମୁଁ ପ୍ରେମିକ ।

ମୁଁ ପୁରୋଧା । ମୁଁ ଯଜମାନ ।"

(ରାଜଧାନୀ)

 

ଫନୀ ମହାନ୍ତି ଯନ୍ତ୍ରଣାର କବି । ସତ୍ତାର ଯନ୍ତ୍ରଣା, ଦେହର ଯନ୍ତ୍ରଣା ତାଙ୍କୁ ବିକଳ କରିଚି-। ତଥାପି ସେ ବେଳେବେଳେ ସେ ଯନ୍ତ୍ରଣାର ଦଧିନଉତି ଟପି ଏକ ମୁକ୍ତ ଆକାଶକୁ ଛୁଇଁବାକୁ ଚେଷ୍ଟା କରିଛନ୍ତି ।

 

ସହବାସ ଲୋଡ଼ା ନାଇଁ ।

ଚିରା ପକେଟରେ ହାତ ରଖି ଘାଣ୍ଟି ହେବା

ଆବଶ୍ୟକ ନାଇଁ .......I

 

ଫନୀ ମହାନ୍ତିଙ୍କ "ବୟସ ବଢ଼ୁ । ସେ ହୁଅନ୍ତୁ ମୃତ୍ୟୁଜୟୀ" ଏହା ମୋର ଆନ୍ତରିକ କାମନା ।

 

ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ମୂଲ୍ୟାୟନ କଲାବେଳେ କେହି କେହି ଧୁରନ୍ଧର ସମାଲୋଚକ ଅଦ୍ଭୁତ ଗଜବାଡ଼ି ବ୍ୟବହାର କରୁଥିବାର ଦେଖାଯାଏ । ସେମାନେ ନାନା ପ୍ରକାର ସାର୍ଟିଫିକେଟ ବିତରଣ କରି କଳାକୁ ଧଳା ଏବଂ ଧଳାକୁ କଳା କରିବାରେ ବ୍ୟସ୍ତ । ଏସବୁକୁ ସମାଲୋଚନା ନ କହି ବରଂ ରାଜଧାନୀଆ ପକା-ଉଠା ବିଦ୍ୟା କହିବା ଅଧିକ ସଙ୍ଗତ ହେବ ।

 

ଫନୀ ମହାନ୍ତିଙ୍କ କବିତା ସେମାନଙ୍କ ଗଜବାଡ଼ିରୁ ବର୍ତ୍ତି ନିଜସ୍ୱ ମହତ୍ତ୍ଵରେ ପ୍ରତିଷ୍ଠିତ ହେଉ, ଏହା ମଧ୍ୟ କାମନା କରିବା ଅନ୍ୟାୟ ହେବ ନାଇଁ ।

—୦—

 

ରାଜଧାନୀ

 

ଦୟାନଦୀ ପୋଲ ଚଢ଼ି ରାଜଧାନୀ ଦେଖିଛ କି

ମଇତ୍ର ହୋ ! କେମିତି ସୁନ୍ଦର ଦିଶେ ଓଡ଼ିଶାର

ରାଜ୍ୟ; ରାଜଧାନୀ । ଧାଡ଼ି ଧାଡ଼ି ଆମ୍ବଗଛ ଝାଉଁ ବଣ,

ପଟା ପଟା ଶସ୍ୟ କ୍ଷେତ୍ର;

ଓ, ମାଇଲ ମାଇଲ ବ୍ୟାପି ଅପର୍ଯ୍ୟାପ୍ତ ବସନ୍ତର

ମଧୁର ସିଂପୋନୀ ।

କି ସୁନ୍ଦର ଦିଶେ ରାଜଧIନୀ;

କପୋତୀର ଡେଣାପରି ଗଦାଏ ବାଟରୁ

ନାଲି, ନୀଳ, ଛିଟ ଶାଢ଼ିପିନ୍ଧା ଗାଁ ଭୂଆସୁଣୀପରି

ଲାଜରେ ନରମି ଯାଇ ହସିଦିଏ ଓଢ଼ଣା ଫାଙ୍କରୁ ।

ଅବା ସେ କି ଖିଲିପାନ ନିଜ ହାତେ ଭାଙ୍ଗି

ରୂପା ଥାଳିଆରେ ଧରି ନୀରବେ ଅପେକ୍ଷା କରେ

କବାଟ କୋଣରୁ !

 

ସେ ସହରେ ଦିନ ଦଶ ବାଢ଼ିଗଲେ

କୋଠାସବୁ ଭୂତପରି ପରସ୍ପରେ ବିକଳେ ଚାହାନ୍ତି ।

ଗାଡ଼ି, ଘୋଡ଼ା, ପାଲିଙ୍କିରେ ଦୁଃଖମାନେ

ବୁହା ହୋଇ ନିଜ ନିଜ ଚୌକିରେ ଝୁଲି ପଡ଼ିଥାନ୍ତି ।

ବର୍ଗାକାର ଅଫିସର ବନ୍ଦ କୋଠରିରେ

ଅତିଶୟ ଗମ୍ଭୀର ଓ ଜ୍ଞାନୀ ବ୍ୟକ୍ତିପରି ଅରଣ୍ୟର ଦୃଶ୍ୟ

ଦେଖି ଅନ୍ୟକୁ ଦେଖାନ୍ତି । ଯନ୍ତ୍ରଣାରେ କଲବଲ ହୋଇ

ମନଇଚ୍ଛା ହିପଟୋଜିନ୍ ବଟିକା ଗିଳନ୍ତି ।

 

ସେ ସହରେ ଟ୍ରେଜେରୀ ଘଣ୍ଟାରେ

ଠନ୍ ଠନ୍ ବାରଟା ବାଜିଲେ, ଯେତେ ଯେତେ ଚିହ୍ନା ରାସ୍ତା

ବୁଢ଼ିଆଣୀ ଜାଲପରି ଛନ୍ଦା ଛନ୍ଦି ହୋଇ ପରସ୍ପରେ

ଟାପରା ହୁଅନ୍ତେ । ଦୁଃଖଙ୍କର ପ୍ରିୟସାଥୀମାନେ ଲୋଚାକୋଚା

ଶେଯପରେ ମାଡ଼ି ମକଚି ହୋଇ ବିକଳେ କୁନ୍ଥନ କରି

ଗୀତ, ବାଇବେଲ କିମ୍ୱା କୋରାଣର ପୃଷ୍ଠା ଓଲଟIନ୍ତି ।

ସେ ସହରେ ସବୁ ଗଳି କନ୍ଦି, ଖୋଲ ଠଣା

ଭରପୂର ସ୍ମୃତିର ଖେଳଣା । ଥାକ ଥାକ ସ୍ନେହ, ପ୍ରେମ

ଦିଆନିଆ ଭାବ ଭର୍ତ୍ତିହୋଇ ଭିଡ଼ିମୋଡ଼ି ହୁଏ ବୁଢ଼ା ଅଜଗରପରି

ଚମଡ଼ା ବାକ୍‍ସରେ । ସେ ସହରେ ଗପପାଇଁ ଅସୁମାରୀ

ପ୍ଳଟଙ୍କର ଭିଡ଼ । ଭଙ୍ଗା ଭଙ୍ଗା କାଚ ଗୁଣ୍ଡ ପରି ଦୁଃଖ ସବୁ

କପାଳରେ ହାତମାରି ବାହୁନି କାନ୍ଦନ୍ତି ।

ମୂଢ଼ମାନେ କିଛି ନ ବୁଝିଲା ପରି ଅଝଟ ହୁଅନ୍ତି ।

 

 

 

ସେ ସହରେ ପାପମାନଙ୍କର ଅସମ୍ଭବ ଭିଡ଼

ତମେ ରକ୍ତର କୋଠିରେ । ସ୍ନାୟୁର ଓହଳ ଧରି

ଦୁଃଖମାନେ ଠିଆ ଦୋଳି ଖେଳି ଖେଳି ହାଲିଆ ହୋଇ

ପଡ଼ନ୍ତି ଭଙ୍ଗା ଚଉକିରେ । ସେ ସହରେ ସବୁ ଛକ

ଉଦାସିଆ ଦିଶେ ଦିନ ଦ୍ୱିପ୍ରହରେ ।

କାଁ ଭାଁ, ହଟ୍ଟଗୋଳ ଶୁଭୁଥାଏ ସଚ୍ଚିବାଳୟରେ ।

 

ରାଜଧାନୀ ସହରକୁ ସଞ୍ଜ ଆସେ ଛପି ଛପି ବାଘପରି

ଷ୍ଟେସନର ଇଲାକାରୁ ଉଠାପୋଲ ଡେଇଁ । ବୁଦା ବୁଦା

ଝୁମ୍ପୁଡ଼ି ଘର, ପାର୍କ, ରେସ୍ତୋରାଁ ଓ ବାଲକୋନୀରେ

ହଇଚଇ ହୋଇ । ସଞ୍ଜ ଆସେ ଚିତ୍ରିତ ହରିଣୀପରି

ଫିଙ୍ଗି ଫିଙ୍ଗି ଏଣେତେଣେ ମୁଠା ମୁଠା ଅସ୍ଥିର ଯୌବନ ।

ପାପମାନେ ଧାଡ଼ିବାନ୍ଧି ମନଇଚ୍ଛା ନିକୋଟିନ୍ ଗିଳି ଗିଳି

ଦୁଃଖରେ ଫେରନ୍ତି । ରାତି ଦଶ ବାଜିଗଲେ ସେ ସହରେ

ଭାଗ୍ୟବାଦୀ ଜନମାନେ ଲଟେରୀ ଟିକେଟ କିଣି ଘର ବାହୁଡ଼ନ୍ତି ।

 

ସେ ସହରେ ମୋର ଜନ୍ମ । ଦିଅଁ ଦେଖା ଯାନି-ଯାତ୍ରା ମେଳା

ମଉଛବ । ସେ ସହରେ ମୋର ମୃତ୍ୟୁ, ପିଣ୍ଡ ଦାନ, ଶ୍ରାଦ୍ଧୋତ୍ସବ

ଶୋକସଭା, ନଗରକୀର୍ତ୍ତନ । ପାପପୂଣ୍ୟ, ଦାନଧର୍ମ, ବ୍ରାହ୍ମଣ ଭୋଜନ,

ମଣ୍ଡପ ନିର୍ମାଣ, ବୃକ୍ଷରୋପଣ ଓ ଅନ୍ନଛତ୍ର ଦାନ । ସେ ସହରେ ମୁଁ

ବଳିରାଜା ସାଜି ପାଟ ଛତି, ଘୋଡ଼ା, ହାତୀ ସବୁ ଦାନ କରି

ଅର୍ଖିତ ଭିକାରି ହୋଇ ଦୁଃଖ ଭୋଗୁଅଛି ।

ଗୋଲେଇ ଛକରେ ବସି ଶୂନ୍ୟତାର ସିଡ଼ି ଗଣୁଅଛି ।

ମୋ ପିଞ୍ଜରା ହାଡ଼ଚଳେ ଭକ୍ତିଭାବ ଠୁଳ କରି

ଅଶୋକ ନଗରେ ବୁଲି ସୀତାଙ୍କର ଠାବ କରୁଅଛି ।

 

ରାଜଧାନୀ ସହରକୁ ରାତି ଡମ୍ୱା ଜହ୍ନ

ଟୀକାପରି ମାରି କପାଳରେ । ସ୍ଵାତୀ ଅରୁନ୍ଧତୀ ସମେତ

ଲକ୍ଷ ଲକ୍ଷ ମେଷ ପଲ ଧରି । ଚଉଦର ସିଡ଼ି ଡେଇଁ

ରାତି ଆସେ ଏଣେତେଣେ ସୁସୁରୀ ବଜାଇ । ପାଣିଚିଆ ସିନେହରେ

ଉଛୁଳାଇ ଗଳିକନ୍ଦି ରାତି ଆସେ ସହରକୁ

ନାଲି, ନୀଳ ଆଲୋକର ବୋଇତ ଭସାଇ । ରାତି ହେଲେ

କ୍ଳବରେ ଅସମ୍ଭବ ହୋ, ହଲ୍ଲା । ଟୁଂ ଟାଂ ପିଆଲାର

ଶବ୍‍ଦ । ରୁଣୁଝୁଣୁ ଚୁଡ଼ିର ଆୱାଜ । ଖିଲିଖିଲି ହସ ଆଉ ହସ ।

ରାତି ହେଲେ ରବିନ୍ଦ୍ର ମଣ୍ଡପେ କିମ୍ୱା କସ୍ତୁରବା-

ନାରୀ ମହଲରେ ପାପ ମାନେ ଜଘନ୍ୟ ବ୍ୟକ୍ତିଙ୍କ ପରି ଟଙ୍କା ସୁନା

ଦାନ କରି ବେଶ୍ ହାଲୁକା ମନରେ ନିଜ ନିଜ ଶେଥା ଓଠେ

ହସ ଉବୁକାନ୍ତି । ରାତି ବାରଟାରେ ମାଳିସାହି ଗୋହିରୀ ରାସ୍ତାରେ

ଗରାଖ ଠିକଣା କରି ଚଢ଼ାଦରେ ହାତଗୁଞ୍ଜା ଦେଇ

ଅଚିହ୍ନା ରୋଗ-ଜୀବାଣୁ ରକ୍ତରେ ଆଣନ୍ତି ।

ସେ ସହରେ ନିରିମାଖି ଜନପରି ଦୁଃଖଙ୍କର ନେତା ସାଜି

ମୁଁ ପୁଣି ଭାଷଣ ଦିଏ ଘଣ୍ଟା ଘଣ୍ଟା ବସ୍‍ଷ୍ଟାଣ୍ଡ ପଡ଼ିଆରେ

କଳାପଟି ବାନ୍ଧି ଦେଇ ତାନ୍ତ୍ରିକ ପୁରୁଷ ପରି ଇଚ୍ଛାଙ୍କ ଆଖିରେ

ରାତି ହେଲେ ରାଜଧାନୀ ରାସ୍ତାଘାଟ ଭର୍ତ୍ତି ହୋଇଯାଏ

ମୁଠା ମୁଠା ସ୍ତନ ଓ ଚିପା ଜଂଘ ଚିପା ଚାହାଣିରେ ।

 

ସେ ସହରେ

ଆଦ୍ୟ ବସନ୍ତରେ, ରକ୍ତରେ ଫୁଟାଇ ପଦ୍ମ ଯେଉଁ ନାରୀ ମତେ

ଶିଖାଇଲା ପ୍ରେମ କ’ଣ ? ପାପ କ’ଣ ?? ନିଉଁଛଣା

ଯୌବନକୁ ବାନ୍ଧିରଖି ଲାଭ କ’ଣ ??? ଓ’ ମୋର

ବାଲ୍ୟ-ଚପଳତା ପ୍ରତି ଦୟାରଖି ମୋତେ ପୁଣି ବୁଝାଇଲା

ବିଜ୍ଞ ବ୍ୟକ୍ତି ପରି ଦେହ କ’ଣ ! ମନ କ’ଣ ! ଦେହ ସହ

ଦେହର ସମ୍ପର୍କ କ’ଣ । ସେ ନାରୀକୁ ମୁଁ କେଉଁ

ଗହଳି ଛକରେ ଅକସ୍ମାତ ଛାଡ଼ିଦେଇ ଖୋଜୁଅଛି

ଜନପଥ ଚଉଡ଼ା ରାସ୍ତାରେ । ରାଜଧାନୀ ରାସ୍ତାସବୁ ରାହା ଧରି

କାନ୍ଦି ଉଠିଲେଣି ଅଝଟିଆ ଶିଶୁପରି ମୋ ଦୁଃଖରେ, ବିକଳ ଭାବରେ ।

 

ମୋର ଯେତେ ଭଙ୍ଗାଗଢ଼ା କାଚ କଣ୍ଢେଇକୁ ବାନ୍ଧିବୁନ୍ଧି

କୋକେଇରେ ମୁଁ ପୋତୁଛି ନିଜ ହାତେ ଗାଡ଼ଖୋଳି ବାପୁଜୀ ନଗରେ

ତିନିବର୍ଷ ହେଲା ଜୋର କରି ମୋ ମୁହଁରେ ସରସତା ଭରିଦେଇ

ମୋ ଦୁଃଖକୁ ଲୁଚାଇଛି ଅନ୍ଧାରିଆ ବନ୍ଦ କୋଠରିରେ ।

ନୀରବତା ମୋ ନିମନ୍ତେ ରକ୍ତର ମଶାଲ ହୋଇ ଜଳିଉଠେ

ଗୌତମ ନଗରେ ।

 

ଦୀର୍ଘକାଳ ଅପେକ୍ଷାରେ,

ଜ୍ୱଳନର ତୀବ୍ରତାରେ ସେ ସହରେ ସବୁ ପ୍ରେମ ଅସଫଳ ହୁଏ ।

ସେ ସହରେ ସବୁ ସ୍ମୃତି ଅହଲ୍ୟା ପାଲଟେ ।

ସେ ସହରେ ଶୂନ୍ୟ ହୁଏ ସତ୍ୟ, ଧର୍ମ, ପ୍ରେମ, ମୈତ୍ରୀ, ଆଶା ଓ ବିଶ୍ୱାସ

ସେ ସହରେ ରାସ୍ତାଘାଟେ ବରଫ ଜମାଟ ବାନ୍ଧେ

ଠୁଳ ରହେ ଯେତେ ଅବଶୋଷ ।

 

ରାଜଧାନୀ ନୁହଁଇ ସହର । ତାହା କେଉଁ ରାକ୍ଷସୀର

ଅମୁହାଁ ମନ୍ଦିର । ଯେ ମନ୍ଦିରେ ଦିଅଁ ନାହିଁ, ଯେ ମନ୍ଦିର

ବାଟଘାଟେ ଦିଶେ ଖାଲି ଶତ ଶତ ଯିବା ପାଦଚିହ୍ନ ।

ଯେଉଁଠୁ ଫେରିବା ବାଟ ହୋଇଥାଇ ସଂପୂର୍ଣ୍ଣ ନିଶ୍ଚିହ୍ନ ।

ଯେ ସହରେ ସବୁ ପାପ ଧୋଇଧାଇ କେଦାର-ଗୌରୀ

କୁଣ୍ଡେ କରେ ଗଙ୍ଗାସ୍ନାନ । ସେ ସହରେ ମୁଁ ପ୍ରେମିକ,

ମୁଁ ପୁରୋଧା, ମୁଁ ଯଜମାନ ।।

—୦—

 

ଅଳକା ସାନ୍ୟାଲ

 

ତମେ ମୋର ଚନ୍ଦ୍ରାବତୀ । ତମେ ମୋର ଅଳକା ସାନ୍ୟାଲ ।

ମୁଁ ତମକୁ ସ୍ୱପ୍ନ ଦେଖେ ଛାଇ ନିଦ ଛାଇ ଆଲୁଅରେ ।

ହଠାତ ତମର ଦେଖା ଭଲମନ୍ଦ କଥାବାର୍ତ୍ତା, ନୀରବରେ

ମୁଣ୍ଡହଲା ସଚ୍ଚିବାବୁ ସାଥେ । ଯେ ତମକୁ ଭେଟିଥିଲେ

ବିଦେହର ରାଜପୁରେ । ବାରୁଣାବଂତରେ । ଯେ ତମକୁ ପାଇ

କରି ଆଣିଥିଲେ ଚିତ୍ରରଥ ଗନ୍ଧର୍ବ ହାତରୁ ।

ଯେ’ ତମର ପରିଚୟ ପାଇଥିଲେ ନାଲନ୍ଦାର ଜୀର୍ଣ୍ଣ ମନ୍ଦିରରେ ।।

ଅନେକ ଅନେକ ବର୍ଷ ଖୋଜାଲୋଡ଼ା ପରେ । ତମକୁ

ପାଇଲେ ପୁଣି ଗୁରୁବାବୁ; ତମେ ଦିଅ ବ୍ଲାଉଜର ବୋତାମ,

ତମେ ପୁଣି କଥା କୁହ ଲାଜକୁଳୀ ଲତା ପରି, ଆସ୍ତେ ବସ

ପାଖ ଚଉକିରେ । ଲୋଟଣି ପାରାଙ୍କ ପରି ତମେ ପୁଣି

ଡେଣା ଝାଡ଼, ବିଛଣାରେ ଫିଙ୍ଗିଦିଅ ଅର୍ଖିତ ଯୌବନ

ଫୁଲେଇ ଝିଅଙ୍କ ପରି ତମେ ପୁଣି ପ୍ରେମ କର । ଗର୍ଭବତୀ ହୁଅ ।

କେବେ ପୁଣି ଦେଖାଦିଅ ନୂଆଖାଲି ପଠାଣ ବସ୍ତିରେ ।

ତା’ପରେ ତମର ଦେଖା ହଜିଯାଏ ଆକାଶର ତାରାଙ୍କ

ଗହଳେ । ତମର ଥରିଲା କଣ୍ଠ ରୂପ ନିଏ କାଉ ଅବା

ବାଦୁଡ଼ି କଣ୍ଠରେ । ତମରି ଅଭାବ କ୍ରମେ ଘୋଟିଆସେ

 

 

ମିଶନ୍ ରୋଡ଼ରେ କିମ୍ୱା ଯାଜପୁର ବେପାରୀ ବସ୍ତିରେ । ଫIଜିଲ

ବସନ୍ତ ଆସି ତମ ଶବ ବୋହିନିଏ ଭଙ୍ଗା କୋକେଇରେ ।।

 

ତମେ ମୋର ଚନ୍ଦ୍ରାବତୀ । ତମେ ମୋର ଅଳକା ସାନ୍ୟାଲ ।

ମୋ ଆଗରେ ମାଇଲ ମାଇଲ ଖାଲି ବ୍ୟଥାର ଜଙ୍ଗଲ

ପ୍ରଥମ ସାକ୍ଷାତ ମୋର ତମ ସଙ୍ଗେ ଆଦିବାସୀ ପଡ଼ିଆରେ

ଲୁଗ୍ କେନ୍ଦ୍ର ଉଦଘାଟନ ବେଳେ । ଦ୍ଵିତୀୟ ସାକ୍ଷାତ ଆମ

ଖଣ୍ଡଗିରି ନିର୍ଜନ ଗୁମ୍ଫାରେ । ଅନେକ ଅନେକ ଦେଖା

ଖୋଜାଲୋଡ଼ା ଦିଅଁ ପୂଜା ଜାତକ ମେଳନ । କେତେ ଯେ

ଚିଟାଉ ଲେଖା ନିତି ନିତି ନୀଳ ଲଫାପାରେ । କେତେ ଯେ

ଅପେକ୍ଷା ଆମ ସମୟର ତତଲା ବାଲିରେ ।

ତିନୋଟି ବରଷପାଇଁ ମୁଁ ତମକୁ ରଖିଥିଲି ଯତନରେ

ମୁଦା କୋଠରିରେ । ସାଧାସିଧା କାଗଜରେ ନାଁ ଲେଖି

ବାନ୍ଧିଥିଲି ମୋ ଗଳାରେ ଅରକ୍ଷିତ ଭାବରେ । ଅନ୍ୟ ଦିନପରି

ତମର ବି ମନ ହେଲା ବୁଲିବାକୁ ଫୁଙ୍ଗୁଳା ଦେହରେ । ଗୁଡ଼ପରି

ଉଡ଼ିବାକୁ ନୀଳ ଆକାଶରେ । କଳିଙ୍ଗ କଟକୁ ଅବା

ଅଳେଇଚ ଦ୍ୱୀପର ବନ୍ଦରେ । କଲିକତାଠାରୁ ନୂଆଦିଲ୍ଲୀ ନଗରୀରେ

ଅବା ତମ ମନହେଲା ଭାସିବାକୁ ନାଆପରି ଗୋଆ, ଡିଉ

ଡାମନ ଦ୍ଵୀପରେ । ଅନ୍ୟ କେଉଁ ଇଲାକାରେ । ଅନ୍ୟ କେଉଁ

ଅଚିହ୍ନା ଛକରେ ।।

 

ମୁଁ ତମକୁ ପାଉନାହିଁ ଅନ୍ୟମାନେ ପାଇ ବି ନ ଥିଲେ

ମୁଁ ତମକୁ ଦେଖୁନାହିଁ ଓଡ଼ିଶାର ଗଳି, କନ୍ଦି, ନାଳ, ନର୍ଦମାରେ

ମୁଁ ତମକୁ ଦେଖୁନାହିଁ ଅଳକା ଷ୍ଟୋରରେ; ଅବା ବନାରସ

ମିଠା ଦୋକାନରେ । ମୁଁ ତମକୁ ଦେଖୁନାହିଁ ଗ୍ରନ୍ଥାଳୟେ

ଦଶଟାବେଳେ ଟାଉନ୍ ବସରେ । ସାଙ୍ଗ ସାଥୀ ବାନ୍ଧବୀ

ମେଳରେ । ରାଜନୀତି, ବିଜ୍ଞାନ ବା ଦର୍ଶନ ଶ୍ରେଣୀରେ ।।

 

ତମେ ମୋର କେଶବତୀ

ତମେ ମୋର ପ୍ରେମର ଫସିଲ । ତମେ ମୋର ସଙ୍କେତର

ଧ୍ରୁବତାରା ସମ୍ପର୍କରେ ଜାଗ୍ରତ ପ୍ରହରୀ । ନିର୍ଜନରେ

ବର୍ଷାରାତି ଗର୍ଜୁଅଛି ମୋ କାନ୍ଥରେ ଗୁଣୁଗୁଣୁ ତମ

କଣ୍ଠସ୍ୱର । ତମେ ମୋର ଅନିମା ବସ୍ତିଆ ଅବା

ଆଲୋକ ମେହେର । ତମପାଇଁ ମୋ ଶେଯରେ ମୁଠା ମୁଠା

ଆକାଂକ୍ଷାର ସ୍ୱର । ଏ ସହରେ ସତେ ଅବା ମୁଁ ଏକ

ଦୁଃସ୍ଥ ଯାଯାବର ।

 

"ତମରି ବୟସ ବଢ଼ୁ ତମେ ହୁଅ ମୃତ୍ୟୁଞ୍ଜୟୀ

ତମେ ହୁଅ ଅକ୍ଷୟ ଅମର । ତମ ଗୁଣ ଗାନ କରି

ପୃଥିବୀର ଜରାୟୁରୁ ଜନ୍ମ ନେଉ

ଶତ ଶତ ବିକଳ ଅନ୍ତର ।।"

 

ଗୁମ୍ଫା

 

ସୁଡ଼ଙ୍ଗ ଖୋଳିବା କଥା ମିଛ ।।

ଗୁପ୍ତଗଙ୍ଗା ସମ୍ପର୍କରେ ଇତିହାସ

ପ୍ରୟୋଜନହୀନ । ତର୍କ ବା ବିତର୍କ

କାହିଁ ? ସବୁଆଡ଼େ ଉକୁଟି ଉଠୁଚି

ଅନ୍ଧାରର ବିଡ଼ମ୍ୱିତ ମୁହଁ । ଖଣ୍ଡ ଖଣ୍ଡ

ଉଚ୍ଚାଟ ନିଶ୍ୱାସ ।

ଦେହର ଦହନ ଆଉ

ରତିର ପ୍ରଲେପ; ରତି କ’ଣ

ସଦ୍ୟ ସକାଳର ଝଲମଲ ପାପ ?

ମୁଁ ସୁଡ଼ଙ୍ଗ ଖୋଳିବିନି ।।

ପଥର କାଟିବା କଥା ମିଛ, ମୋ’

ପାଖରେ ଖଣତି କି ଶାବଳ ବି

ନାଇଁ ।

 

ନିଷ୍କର୍ମା ପୁରୁଷ ପ୍ରାୟ ରତିର

ବିରତି ଦେଖି ପ୍ରମାଦ ଗଣିଲି ଓ

ଓଲଟା ପ୍ରଶ୍ନର ମୁହାଁମୁହିଁ ହୋଇ

ଭୟରେ ଥରିଲି;

ଚୁପ୍‍ଚାପ୍ ଗୁରୁଣ୍ଡିଲି

ଟିକି ପିଲାପରି ସଜଲିପା ଗୋବରର

ଚଟାଣ ଉପରେ ଗୁମ୍ଫାର ଅନ୍ଧାରେ

ପ୍ରମାଣ ପତ୍ର ଥାପିଲି, ହୀନବୀର୍ଯ୍ୟ ପୌରୁଷର

ନିର୍ଜନରେ ଗଡ଼ିଯାଇ ଚୂର୍ଯ୍ୟନାଦ କଲି

ସକଳ ସମ୍ପତ୍ତି ବାଜ୍ୟାପ୍ତ କରିଲି ।।

ଏବଂ ଘୋଷଣା କଲି

ଗଗନ, ପବନ, ବଜ୍ର, ଅଗ୍ନି, ଆକାଶ ଓ

ଚନ୍ଦ୍ର, ସୂର୍ଯ୍ୟ, ନକ୍ଷତ୍ରଙ୍କୁ ସାକ୍ଷୀରଖି,

ଏବଂ ପ୍ରମାଦ ଗଣିଲି

ପଳ ପଳ ରକ୍ତ, ମାଂସ ନିର୍ଜନତା

ଓ ଶୂନ୍ୟର ହାଲୁକା ଡଙ୍ଗା

ଭସାଇଲି ଆକାଶ ମାର୍ଗରେ;

ଏବଂ ଗୁମ୍ଫାର ଅନ୍ଧାରେ

ଆଶ୍ରୟ ଖୋଜିଲି;

ଲୋଟା କମଣ୍ଡଳୁ ଧରି ଓ

ସୁଡ଼ଙ୍ଗର ଦ୍ୱାର ଖୋଳି ମାର୍ଗ ବତାଇଲି

ଦୁଃଖୀଜନ ସୌଦାଗର କୃପଣମାନଙ୍କୁ ଯେ ।।

—୦—

 

ଦୁଇଟି କବିତା

 

ଏକ

 

ପ୍ରତାରିତ ପୌରୁଷର ଏକ ଅନୁଚ୍ଚାରିତ

ସ୍ୱର । ଓ ଝଲମଲ ଧୂସର ସକାଳ ।

 

ବିବର୍ଣ୍ଣ ପାଣ୍ଡୁର ଖୋଳ

କ୍ଷତ ଚିହ୍ନେ ଭରପୂର ଦୋକାନ ବଜାର । ପରାସ୍ତ ସେନାଧ୍ୟକ୍ଷ ବାଢ଼େ

ସଂଧିର ପ୍ରସ୍ତାବ ।

 

ଯୁଦ୍ଧ ଅପାତତଃ ଶେଷ,

କେଉଁ ପ୍ରହର ରାତ୍ରିର ବା’?

 

ଦୁଇ

 

ଧୂସର ସକାଳ ।

ବର୍ଣ୍ଣ ପିଙ୍ଗଳ

ଅନାବନା ସମ୍ପତ୍ତିର ହସ୍ତାନ୍ତର ।

 

ଜବାବ ସୁଆଲ ଅନ୍ତେ

ବାଜ୍ୟାପ୍ତି ଘୋଷଣା

କିଏ ସେ ବିଚାରପତି,

କେଉଁ ରାଜ୍ୟ ବା’ କେଉଁ ପ୍ରଗଣା ?

—୦—

 

ଅନାମ କବିତା

 

ଏ କେଉଁ ରାଜ୍ୟକୁ ମତେ ଆଣିଅଛ

ଛୁଞ୍ଚି ପରି ଫୋଡ଼ି ହୋଇ ଯାଉଅଛି ମୋର ସର୍ବାଙ୍ଗ

ଇର୍ଷା ଘୃଣା ସନ୍ଦେହର ଜର୍ଜରିତ ବ୍ୟକ୍ତି ମୂଢ଼

କ୍ରିୟାହୀନ ସ୍ଥାଣୁ ଓ ଅଥର୍ବ ଚଉଦିଗେ ଭୟଙ୍କର

ଅସ୍ଥିରତା ଶୂନ୍ୟତାର ଛାପ ଦିନରାତି କିଏ ପୁଣି ଅରଜୁଚି

ମୁଠା ମୁଠା କଳାରଙ୍ଗୀ ପାପ ।

 

କିଏ ବା’ ବୁଝିବ ତମ ନାନା ରଙ୍ଗ ଲୀଳା

ଚକାଡୋଳା କା’ର ବା ଯୁ ଅଛି ସମୁଦ୍ରର ଢେଉ ଗଣି

ସିଂହଦ୍ୱାରେ ଖଞ୍ଜଣି ପିଟିବ;

ମୁଁ ବିରୋଧି ବୀରବର ମହାବାହୁ

ବଳିୟାର ଭୂଜ ବୋଲି କହି ବୁଲୁଥିବ ।

 

ଏ’ କେଉଁ ରାଜ୍ୟକୁ ମତେ ଆଣିଅଛ

ବାନ୍ଧି ବୁନ୍ଧି ପାଲିଙ୍କିରେ ପ୍ରଭୁ ହେ;

ତମେ କ’ଣ ଜାଣନାଇଁ କିପରି ବିତଇ ନିତି

ଦୁଃଖୀଜନମାନଙ୍କର ଅସରନ୍ତି ଦିନ

କିଏ ଏଠି ଲାଞ୍ଚ ଦିଏ

କିଏ ବା ଲାଞ୍ଚକୁ ନିଏ

ଦାତା କିଏ; ଗ୍ରହୀତା କିଏ ବା’

ପାପର ସଜ୍ଞା ବା କ’ଣ କିଏ ସେ ବୁଝୁଚି

ହରିଲୁଟ ବଜାରରେ ବାଟହୁଡ଼ି ମୋ’ପରି

ଅଧମ ଜନ ଦୁଃଖ ଭୋଗୁଅଛି ।

ତମପାଖେ ମହଜୁଦ ଅଛି ପରା ଷୋଳକଳା

ସଭ୍ୟତାର ନାଗଫାଶ ବନ୍ଧନରେ ବନ୍ଧା ମୁଁ ଯେ,

ଏକୋଇର ବାଳା;

ମତେ ମୁକତି ଦିଅ ପ୍ରଭୁ ଯୁଗ ଯନ୍ତ୍ରଣାରୁ

ଦୈତ୍ୟର କବଳୁ; ଅନ୍ଧାରର ଅର୍ଗଳିରୁ

ସମୟର ଚନ୍ଦ୍ର ବନ୍ଧନୀରୁ

ମୁକତି ଦିଅ ବାରେ ଚଉଷଠି ବନ୍ଧନରୁ ଷଡ଼ରିପୁ

ତିନି ଦୁଃଖ ଓ ମୁଠା ମୁଠା ଓଦା ଶୂନ୍ୟତାରୁ ।

 

ମୁଁ ତୁମକୁ ଲାଞ୍ଚ ଦେବି ଘିଅ ଦୀପ ଜାଳି

ଠକାମି ଓ ଭଣ୍ଡାମିର ପ୍ରଭୁ ବୋଲି ରୂପ ଦେବି

ଦୁନିଆ ଦୁଆରେ;

ତମେ ଖଞ୍ଜ ତମେ ମୂକ ତମେଇ ବଧିର

ତମର ହୃଦୟ ନାଇଁ ଆତ୍ମା ନାଇଁ ପ୍ରାଣ ନାଇଁ

 

 

ପ୍ରେମ ପ୍ରୀତି ସ୍ନେହ କ୍ଷୟ କାଣିଚାଏ କରୁଣା ବି ନାଇଁ

ସ୍ୱାମୀ ନିରଞ୍ଜନ ।

 

ପ୍ରଭୁ ହେ; ଥରେ ବା ଦେଖନ୍ତି ଯଦି ତମ ବିଶ୍ଵରୂପ

ପାପତାପ ରୋଗ ଶୋକ କଟିଯାନ୍ତା ମୋ ଦେହର

କଙ୍କାଳରେ ଆପେ ଆପେ ନେସି ହୋଇ ଯାଇଥାନ୍ତା

ତମ କଳା ତନୁର ପ୍ରଲେପ ।

—୦—

 

ମହାପୁରୁଷ

 

କେଉଁ ମହାପ୍ରଭୁ ଆଜି ବିଜେ ହେବେ କିଏ ଜାଣେ ?

 

ବକ୍ଷେ ପାଟଛତ୍ରୀ ଟଣାହବ, ସାରା ରାସ୍ତା

ହରିଚ୍ ରଙ୍ଗର ପୋଷ୍ଟାର ମାରିବ । ସାଇ ସାଇ

ଲଫଙ୍ଗା ଟୋକାଙ୍କ ମେଳ ଜମିଯିବ । ବାଜାଦାରେ

ଭେଳିକି ଭେଳିକି ସୁର ଦେଇ ବାଜା ବଜାଇବେ, ଓ

ଗାଁ ଦାଣ୍ଡ ଧୂଳି ଧୂସରିତ ହେବ । ମହାପ୍ରଭୁ ବିଜେ ହେବେ

କେଉଁ ମାହେନ୍ଦ୍ର ଲଗ୍ନରେ, କିଏ ସେ କହିବ ।

 

ମହାତ୍ମାଙ୍କ ଆଗମନେ ହୋ ହଲ୍ଲା, ଜୟଧ୍ୱନି

ଶୂନ୍ୟରେ ବନ୍ଧ ଭାଙ୍ଗିବ; ଭୟଙ୍କର ଚିତ୍‍କାରରେ

ମେଦିନୀ ଫାଟିବା ଶବ୍ଦ

ବର୍ଚ୍ଛାଖେଳେ କାକୁସ୍ଥ ଦର୍ଶକଙ୍କ ମନ ରଞ୍ଜାଇବା,

ଓ ଠାଏ ଠାଏ ଅଣ୍ଡାକୃତି ତୋରଣ, ଆମ୍ୱ

ଦେବଦାରୁ ଡାଳେ ସୁଶୋଭିତ ରୂପର ଲାବଣ୍ୟ

ମାଇକ୍‍ର ଭୀମରଡ଼ି. ହେରେସାଙ୍କ ଅଭିନୟ, ଅତିଥିଙ୍କ

ଅଗମନେ ଆଦିଗଂତ ଛାଇ ହୋଇ ରହିଛି ଅତିକାୟ ଭୟ ।

 

ଅବେଳାରେ ଅତିଥି ଆସିବେ ବୋଲି

କିଏ ଜାଣିଥିଲା ?

ଲକ୍ଷେ ପଦ୍ମଭାର ଅଭାବରୁ ପ୍ରମାଦ ପଡ଼ିଲା

ସାଆଁତିଆଁ ପଟୁଆର ଉପରକୁ କେଉଁ ଅଜ୍ଞାତ ନାୟକ

ଦି; ଦି’ଟା ବୋମା ଫିଙ୍ଗିଦେଲା

ଭୟ ଚରିଗଲା ଚାରିଆଡ଼ ଅବୁଝା

ପବନ ପରି ଆଖିସବୁ ଜଳକା ଦିଶିଲା ।

 

ଅତିଥି ଆସିବା ବେଳ ହୋଇଗଲେ ଅଘଟଣ କଥାଟାଏ

ହବ ବୋଲି କିଏ ଭଲା ବେଳୁଁ ଜାଣିଥିଲା ?

—୦—

 

ଫେରିବାଲା

 

ଫେରିବାଲା ଫେରିଯାଉ ସହରରୁ

ନର୍କର ମୁହାଁଣ ଟପି ଯନ୍ତ୍ରଣାର ଗଳି

କନ୍ଦି ଅତିକ୍ରମି ବର୍ଷ ଶେଷେ କାଁଭାଁ

ସମ୍ପର୍କର ହିସାବ ନିକାସ କରି । ଫେରିବାଲା

ଫେରିଯାଉ ଶାଢ଼ି, ସାୟା, ବ୍ଲାଉଜ୍ ପିସ୍ ନେଇ

କୁଜା ପିଠି ନଚାଇ ନଚାଇ ।

 

ଆସନ୍ନ ମୁହୂର୍ତ୍ତେ ବସି ତା’ଦୁଃଖରେ ସମଦୁଃଖୀ

ହୋଇ ମୁଁ ଦେଖୁଚି ତା’ର ଗତି କି ଢଙ୍ଗରେ

ଖାଲ ଢିପ ଡେଇଁ ଆଗକୁ ବଢ଼ୁଚି

ସତେ କି ସେ ତା’ ଆତ୍ମୀୟମାନଙ୍କୁ କେଉଁ

ବିଦେଶୀ ମେଳାରେ ଛାଡ଼ି ଦେଇଥିବା ହେତୁ

ଅଧମ ବିଚାରା । କପାଳରେ ହାତ ମାରି ଦୁଃଖ ଭୋଗୁଅଛି ବାରମ୍ୱାର

ଅନ୍ୟର ଦୁଃଖକୁ କରି ଆପଣାର ଚିହ୍ନI ଚିହ୍ନା

ମାଇଲ ଖୁଣ୍ଟିମାନଙ୍କର ଟାପରା ଶୁଣୁଚି ।

 

ଫେରିବାଲା ଏ ସହରେ ଜଣାଶୁଣା ଅତି

ଆପଣାର । ତା’ ଡାକରେ ପାପବତୀ ରାମଣୀଙ୍କ

ନିଦ ଭାଙ୍ଗେ ସହଳ ସହଳ । ତା’ କଣ୍ଠର ହଇଚଇ

ଶବଦରେ ଚୁଡ଼ିମାନେ ଠଣଠଣ ଝଣଝଣ ଧ୍ୱନି କରି

ଝର୍କାରେ ଅନାନ୍ତି । ତା’ପିଠିର ବୋକଚାକୁ ଏପଟ

ସେପଟ କରି ବଢ଼ିଲା ଝିଅଙ୍କ ପରି ରଜାଘର ଗପ କହି

ମନ ବଦଳାନ୍ତି ।

 

ଫେରିବାଲା ସ୍ୱପ୍ନ ଦେଖେ ହରେକ ରଙ୍ଗର

ସ୍ୱପ୍ନ ରାଜଜେମା, ଦାସଦାସୀ, ବାରହାତ କଳା ବେଣୀ

ନଈବାଲି ଘୋଡ଼ା ଟାପୁ ଠକ୍ ଠକ୍ କଠଉ ଆୱାଜ

ଅନ୍ଧାରର ଗୋହିରୀ ହିଡ଼ରେ

ଅଣକିଳି ହଜିଯାଏ ଫେରିବାଲା ପାଏନାହିଁ

ଖୋଜି ଖୋଜି ପତା ବା ଠିକଣା । ସୂର୍ଯ୍ୟ ରଥେ

ଆସୁଥିବା ରାଜଜେମା ଅନ୍ଧାରରେ ହୁଏ ବାଟବଣା ।

 

ରକ୍ତର ଆହୁଲା ମାରି

ଫେରିବାଲା ଫେରିଯାଏ ସହରରୁ

ନିର୍ଜନ ପ୍ରହରେ । ଆକାଂକ୍ଷାର ନୀଳ ହ୍ରଦେ

ମଧ୍ୟ ରାତ୍ରେ କିଳିକିଳା ହଂସ ରଡ଼ି ଶୁଭେ ।

—୦—

 

ଉଦ୍ଧବ ଉବାଚ

 

ଦେଖ ଦେଖ ଚକାଡୋଳା ! ଏ ସହର ଦଶମାସ

ଗର୍ଭ ପରେ ପ୍ରସବ କରିଛି ସଂଖ୍ୟାହୀନ ଯନ୍ତ୍ରଣାର

ଛୁଆ କବିଲାଙ୍କୁ । ଶରତ କାଳରେ ଏ ସହର

ହାଣ୍ଡି ହାଣ୍ଡି ନାଲି ପାଣି ପିଇ ବାୟା ପରି ଆଉ କିମ୍ପା

ବୋବାଳି ଛାଡ଼ୁଛି !

 

ଏ ସହର ରକ୍ତଶୋଷା ଅକଟୋପୋଶ

ମାଳ ମାଳ ଓଡ଼ଶ ଓ ପଙ୍ଗପାଳଙ୍କର

ଏ ସହର ଉର୍ବଶୀର ଅବା କେଉଁ ବିଧବା ଇଚ୍ଛାର ।

ରାସ୍ତାରେ ଘୋଟେଇ ଆସେ

ବାର୍ଦ୍ଧକ୍ୟରେ କଳା ମେଘ

ରକ୍ତର ସମୁଦ୍ର-ଜଳି ଜଳି କଳାକାଠ ହୁଏ ।

ତିନିପଟ ତାସ୍ ଧରି ଓ ପେଟେ ମହୁଲି

ପାକୁଳି କରି କିଏ ପୁଣି ଲମ୍ୱା ଲମ୍ୱା

ଭାଷଣ ଦିଏ ।

 

"ବାୟାରେ ତୁ କେମିତି ବୁଲୁଅଛୁ

ଫୁଙ୍ଗୁଳା ଦେହରେ । ତୁ କେମିତି ଏ ବୟସେ

ସବୁ ବୁଝି କିଛି ବୁଝିନାହୁଁ । ତୋ ସୁନ୍ଦର

ମୁହଁ ନିମିଷକେ ଫିକା ଦିଶିଲାଣି । ତୁ ଥିଲୁ

କେମିତି ଦିନେ, ଆଜି ତୁ କ’ଣ ହେଲୁଣି ?"

(କେତେଦିନକୁ ଆରେ ବାୟା ବାନ୍ଧିଛୁ ଆଣ୍ଟ

କି ଘେନି ଯିବୁ ତୋର ଛୁଟିଲେ ଘଟରେ ।)

 

ଆରେ ଥକା ମନ ।

ଥରେ ହେଲେ ବୁଲି ଯା ବେଳକାଳ ହେଲେ

ପୁରୀ ସହରକୁ । ଚୁଡ଼ଙ୍ଗ ସାହିକୁ ଥରେ

ଦେଖିନେ । ଦେଖି ନେବୁ କେତକୀ ବନକୁ ।

କେମିତିକା ସେ ସହରେ ପାପୀମାନେ ଧାଡ଼ିବାନ୍ଧି

ଚାଲିଛନ୍ତି ସ୍ୱର୍ଗ ଦ୍ୱାର ମଶାଣିପଦାକୁ । ବଡ଼ ଦାଣ୍ଡେ

ମୂଢ଼ମାନେ ଖଞ୍ଜଣି ଭଜନ କରି ମାଦଳଙ୍କ ପରି

ଗଡ଼ୁଛନ୍ତି ମୁକ୍ତି ପାଇବାକୁ ।

 

ସବୁ ଜାଣିଶୁଣି ତୁ ବାଇଆଙ୍କ ପରି

କିଛି ବୁଝୁନାହୁଁ ବା ବୁଝିବାକୁ ଚେଷ୍ଟା ବି କରୁନୁ ।

ବେଳ ଥାଉ ଥାଉ ତୋ ଗଣ୍ଠିଲି ସଜ କରୁନାହୁଁ ।

କେତେ ତୋର ବଡ଼ପଣ । କେତେ ତୋର ନିଜ ସନମାନ ।

କେତେ ଅବା କରୁଥିବୁ ମିଛ ଆଉ ମାୟାର କୀର୍ତ୍ତନ ।

ଶୁଣରେ ସହରବାସୀ ଶୁଣ ଥରେ ଉଦ୍ଧବର ବାଣୀ

ପାପ କଲେ ମୁକ୍ତି ନାହିଁ, ମୁକ୍ତି ମିଳେ ଦିବ୍ୟବାଣୀ ଶୁଣି ।

—୦—

 

ଖାସ୍ ତୁମ ଦେହ

 

ତୁମ ଦେହ,

ଖାସ୍ ତୁମ ଦେହେ ଧଳା ଶାଢ଼ି, କଳା ଶାଢ଼ି

ନାଲି ଶାଢ଼ି, ନୀଳ ଶାଢ଼ି ଖୁବ୍ ଭଲ ଦିଶେ ।

ତୁମ ଦେହେ ବସନ୍ତ ହେଣ୍ଟାଳ ଛାଡ଼େ ।

ଚମ୍ପା ଫୁଟେ, ଜାଇ ଫୁଟେ ଯୂଈ ଫୁଟେ

ଫୁଟେ ପୁଣି କେତେ ରଙ୍ଗି ଫୁଲ । ତମପରି

ଆହାଃ; ସମତୁଲ ।

 

ତୁମ ଦେହ,

ଖାସ୍ ତୁମ ଦେହ ମାନଚିତ୍ରେ

ଦେଖେ ନିତି କେତେ ଛବି, କେତେ ରଙ୍ଗ

କେତେ ନଦୀ, କେତେ ଯେ ଇଲାକା । ତମ

ଦେହ ବର୍ଣ୍ଣାଳୀରେ ମେଣ୍ଢା ପରି ବାଟ ହୁଡ଼ି

କିଏ ମତେ କରେ ପୁଣି ବୋକା ।

ତୁମେ କ’ଣ ନାରୀ ?

ଅବା କେଉଁ ସ୍ୱର୍ଗର ଏକ ଅପସରୀ ??

ତମ କବରୀର ଡାଳେ

ସ୍ୱାତୀ ଅବା ଅରୁନ୍ଧତୀ ଝୁଲୁଛନ୍ତି

ବାଦୁଡ଼ିଙ୍କ ପରି । ଅନ୍ଧାରରେ ବାଟହୁଡ଼ି

ଘୂରୁଅଛୁ । ଆମେ ସବୁ ଆକ୍ରାନ୍ତ ଭିକାରି ।

 

ତୁମ ଦେହ ଏକ

ପୁଣ୍ୟତୋୟା ତୀର୍ଥସ୍ଥାନ । ଯେଉଁଠି ମୋ

କାମନାର ଶିଶୁପୁତ୍ର ଅବଧ୍ୟରେ କରେ ଗଙ୍ଗାସ୍ନାନ ।

ତମ ଦେହ ସତେ କିବା ଏକ

ନିକାଞ୍ଚନ ଦ୍ୱୀପ । କେଉଁଠି ମୋ ଦୁଃଖର

ବଣିକ; କପାଳରେ ହାତମାରି ଖୋଜିବୁଲେ

ପ୍ରୀତିର ପୋହଳା ।

ତମେ ମୋର ଜୀବନର କେନ୍ଦ୍ରବିନ୍ଦୁ

ତମେ ମୋର ସୁଜଳା ସୁଫଳା ।

 

ରାଣଦେଇ କହୁଛି ଲୋ ସୁନାଗୋରୀ,

ତୁମର ସେ ହଳଦିଆ ତମ୍ୱାପରି ଦେହ ।

ଅବିରତ ଘୂରୁଅଛି ଚକପରି ଯେଉଁଠାରେ

ଘୃଣା ଈର୍ଷା ବିଦ୍ୱେଷ ଜୀବ ପକ୍ଷେ ତାହା

ଏକ ନିଘଞ୍ଚ ଜଙ୍ଗଲ । ଶ୍ୱାପଦର ଭୟେ ଯହିଁ

ରଡ଼ି ଛାଡ଼େ ହରିଣୀର ପଲ । ମୁଁ ତ ଛାର ନିମିତ୍ତ

 

 

ମାତର । ମୋ ପାଇଁ କି ଲାଭ ଜାଳି ଅନ୍ଧାରରେ

ସ୍ମୃତିର ମଶାଲ ।

 

ତୁମ ଦେହ;

ପୂର୍ଣ୍ଣମୀ ତିଥିର ଜହ୍ନପରି ଚକଚକ ଦିଶୁ ।

ତୁମ ଦେହ,

ଲକ୍ଷେ ଗୋଲାପର ଗନ୍ଧ ନେଇ ମୋ ମନର ବଗିଚାରେ ଫୁଟୁ ।

—୦—

 

ରବିବାର

 

ରବିବାର । ଅଗଷ୍ଟ ମାସର ଏ ରୁଗ୍‍ଣ

ରବିବାର । ସ୍ମୃତି ସବୁ କୁହୁଡ଼ିର ଉପକଣ୍ଠେ

ସୁବିସ୍ତୃତ । ମାଇଲ ମାଇଲ ଧରି ନିଃସଙ୍ଗତା ମେଣ୍ଢାପରି

ଚାହିଁରହେ ଉଦାସ ଆଖିରେ ।

ଧାଡ଼ି ଧାଡ଼ି କୁହୁଡ଼ିର ଖେତ ଟପି ଧାଇଁବା ଯା’ ସାର ହୁଏ ।

ରବିବାର ମତେ ବାନ୍ଧିରଖି ଶୂନ୍ୟତାର ଚୌକସରେ

କିମିଆଁ କରାଏ ।

 

ଚାରିବର୍ଷ । ଦୀର୍ଘ ଚାରିବର୍ଷ କାଳ । ରବିବାର ମୋ

ଆସିବାର ସମୟକୁ କେତେ ଯେ ଅପେକ୍ଷା କରେ ନିର୍ଲିପ୍ତରେ ।

ଏବଂ ଆକସ୍ମିକ ଭେଟହେଲେ ମତେ ସେ ଜାବୁଡ଼ି ଧରେ

ତା’ ଛାତିର ଉଷୁମ ନିଆଁରେ । ସବୁତକ ବଳ ଖର୍ଚ୍ଚ କରି

ପାଇକରେ ଖୁନ୍ଦାଖୁନ୍ଦି ହୋଇ ବଢ଼ୁଥିବା ବିଦେଶୀ

ବୃକ୍ଷଙ୍କ ପରି ଘନ ଅରଣ୍ୟରେ । କୋଣାର୍କର ନଟୀ

ଚିତ୍ର ଦୃଶ୍ୟ ହୁଏ ମୋ ଆଖି ପର୍ଦାରେ ।

 

ରବିବାର । ସ୍ମୃତିର ମୋ’ ବାର ।

ରବିବାର ମୁଁ ଜାଣେନି । ଭୁଲ୍ କ’ଣ ? ଠିକ୍ କ’ଣ ?

ସ୍ୱପ୍ନ କ’ଣ ! ସତ୍ୟ କ’ଣ । ଅର୍ଥ କ’ଣ । ଅନର୍ଥ ବା

କ’ଣ । ଜୀବନର ମାନେ କ’ଣ ରବିବାର ଏକା ଏକା

ଅନିଶ୍ଚିତ ଇଲାକାରେ ବିତ ହୁଡ଼ି ବିନ୍ଦୁରେ ମିଶିବା ।

ବିନ୍ଦୁକୁ ଆଶ୍ରୟ କରି ଜ୍ୟାମିତିକ ସୂତ୍ରଗଣି ମାପିଚୁପି

ବୃତ୍ତର ପରିଧି କାଟି ଶୂନ୍ୟରେ ଘୂରିବା ।

ରବିବାର କ’ଣ ଏକ ଶୂନ୍ୟବାର ?

ହଜାଇବା, ଭୁଲିଯିବା ତାରିଖର ବାର ??

 

ରବିବାରେ ସ୍ମୃତିଏ ଡିଅନ୍ତି ବେଙ୍ଗପରି ଅଗଣାରେ

ମୁଁ ଅଥର୍ବ ପୁରୀର ନୋଳିଆ । ରବିବାରେ

ଧାଇଁ ଧାଇଁ ମୋ ଖୋଳେଇ ପୂର୍ଣ୍ଣକରେ ନିଃସଙ୍ଗତା

ନିର୍ଜନତା ଓ ନିରର୍ଥକ ଉପଳ ଖଣ୍ଡରେ ।

 

ରବିବାର । ମୋ ଜ୍ୱଳନର ବାର ।।

ଚାରିବର୍ଷ ହେଲା ଏଇମିତି ଆସେ ବିଧବା ନାରୀଙ୍କ

ପରି ମୋ ଘରକୁ ଥାକଥାକ ଭରିଦେଇ

ନୀଳ ଶୂନ୍ୟତାରେ । ଏଇମିତି ଯାଏ ପୁଣି ଦାୟିତ୍ୱ

ନ ଥିବା ବାପାମାଙ୍କପରି

ହାତୀ ଚଢ଼ି, ଘୋଡ଼ା ଚଢ଼ି ପାଲିଙ୍କି ପିଠିରେ ।।

—୦—

 

ସ୍ମୃତି ଓ ସାନ୍ତ୍ୱନା

 

ଗଭୀର ନିଶୀଥ ରାତି

ଦୁଃଖର ଆୟୁଷ ବଢ଼େ

ଶୂନ୍ୟରେ ମେଘ ରଡ଼ି ଛାଡ଼େ ।

 

ଝିଙ୍କାରିର ଝିନ୍ ଝିନ୍ ସ୍ଵନ

ମଧୁର ଗୁଞ୍ଜନ । ଅନ୍ଧାରରେ

ଶୁଭେ ନାଇଁ ନୂପୁର ନିକ୍ୱଣ ।

ଜଣେ ହେଲେ କେହି ନାଇଁ

କେହି ଆସେ ନାଇଁ । କା’ର

ଉଚ୍ଚାଟ ସ୍ୱର ଶୁଭେ ରହି ରହି ।

 

ଦିନୁଦିନ ବଢ଼େ ଦୁଃଖ

ଚାରିଆଡ଼େ ଛାଇ ଛାଇ ପାପର ପ୍ରଲେପ

ମନେପଡ଼େ । ଖୁବ୍ ବେଶି ମନେପଡ଼େ

ସହଜିଆ ଭାବ । ଭାବକୁ ଅଭାବ

ପୁଣି ଅଭାବକୁ ଭାବ ।

 

 

 

ପୁଞ୍ଜିଭୂତ ବେଦନାରେ ଡେଣାଝାଡ଼େ

ମନର ଈଗଲ । କାହିଁଗଲ, କାହିଁଗଲ ?

ଯିବା ଓ ଆସିବା ବେଳେ

ମନ ଖୋଲି ଟିକେ ନ ହସିଲ ।

 

ଆଜି ମୋର କିଛି ନାଇଁ । ଯାହା ଥିଲା ସବୁ ହରେଇଚି

ସ୍ମୃତିର ଗଜରା ଧରି ଶୂନ୍ୟରେ ଘୂରୁଚି ।।

—୦—

 

ଗ୍ରୀଷ୍ମଋତୁ

 

ଇଏ କ’ଣ ଗ୍ରୀଷ୍ମଋତୁ ଦ୍ୱିପ୍ରହର ଖରା ।

ହାବେଳୀ ଫୁଟାଇ ଆସୁଅଛି ରକ୍ତ ସମୁଦ୍ରରେ

ପାଲଟଣା ଜାହାଜର କାପ୍ତାନଙ୍କ ପରି ସ୍ମୃତିର ଚେହେରା ।

ଗ୍ରୀଷ୍ମଋତୁର ଏ ଖରା । ହରିଣ ନ ଦିଏ ଧରା ।

ବିଶ୍ଵାମିତ୍ର ନାଲି ଆଖି ପରି ଗ୍ରୀଷମର ଆକାଶରୁ ଖସିପଡ଼େ

ମୁଠା ମୁଠା ନିଆଁର ଉଜାଲା । ଫିକା ଫିକା ସ୍ମୃତି ତଳୁ

ଦିଶିଯାଏ ଗତ ସାଲ ଫଗୁଣର କେତେ ରଙ୍ଗ ଲୀଳା ।

 

କ୍ରମଶଃ ସୂର୍ଯ୍ୟର ଆୟୁ ଚକ୍ରବୃଦ୍ଧି ସୁଧହାରେ

ଲାଭାଂଶର ମୁଦା ଲଫାପାରେ ଭର୍ତ୍ତିହୁଏ । ବୈଶାଖର

ମଧ୍ୟଭାଗେ ଅପର୍ଯ୍ୟାପ୍ତ ଚର୍ବି ବୃଦ୍ଧି ହୁଏ । ନିରାଶାକୁ ଆତ୍ମା

ମୋର ନିର୍ଜନ ଏ ଟାପୁଟାରେ ଖରାବେଳେ ହାଇମାରେ

ଦୃଶ୍ୟ ସବୁ ବିକଳ ଭାବରେ ଫେଣ୍ଟି ହୁଏ କଫି ପିଆଲାରେ ।

ଗ୍ରୀଷ୍ମଋତୁ ମଧ୍ୟ-ବୟସରେ ।

 

ଏ ସମୟେ ଅନ୍ୟମାନେ ଟେକିଦେଲେ ମୋ ହାତରେ

ମୁକୁତାର ହାର, ଅଜସ୍ର ସ୍ୱପ୍ନର କେଶବତୀ କନ୍ୟା ମୋର

ଅଭିଶାପୁ ମୁକ୍ତି ପାଇ ହୋଇଲା ଉଦ୍ଧାର । ସ୍ୱପ୍ନ ହେଲା ଡଙ୍ଗା

ଏବଂ ହାର ହେଲା ନଈ । ଅୟୁତ ଫୁଟର ପଦ୍ମନାଡ଼େ ଗୁଡ଼େଇ

ତୁଡ଼େଇ ସା’ ପୁରୁଷ ବୁଡ଼ୁଅଛି ଅପେକ୍ଷାର କାଳନ୍ଦି ହ୍ରଦରେ ।

ନିଜ ସତ୍ତା ନିଜେ ଭୁଲି ମିଛଟାରେ ହାଉଯାଉ ହେଉଅଛି ଖରାବେଳଟାରେ

ଆକାଶ ପୃଥିବୀ ବ୍ୟାପୀ ପ୍ରସ୍ତ ପ୍ରସ୍ତ ଅନ୍ଧକାର ପେଣ୍ଡୁ ହୋଇ

ଗଡ଼ୁଅଛି ସାମନା ପଡ଼ିଆରେ ।

 

ଏ ମନ୍ଦ ବେଳାରେ ଆହା

କା’ କଣ୍ଠର ଚାପାହସ ବେଲୁନ ଫାଟିବା ଶବଦ କରି

ଲୋଟୁଅଛି ଧରି ଠିଆ ଦୋଳି ଖେଳୁଅଛି ବନ୍ଦ କୋଠରିରେ ।

ଏ ଖରାରେ ସୂର୍ଯ୍ୟ ସ୍ନାନ କରି କିଏ ବା’

ଆସୁଛି ଆଜି ଅସ୍ଥି, ଗଣ୍ଠି ମେଦ ମଚ୍ଛା ଓଟାରି ବିଦାରି

ମୁଠା ମୁଠା ହେନାଫୁଲ ପକେଟରେ ଭର୍ତ୍ତିକରି କିଏ ବା’

ଆସୁଚି ଆଜି ଇଥରରେ ଧ୍ୱନି ସୃଷ୍ଟି କରି । ଏ ଖରାରେ

ଖଣ୍ଡ ଖଣ୍ଡ ନିଆଁ ଝୁଲ ଝରିପଡ଼େ ମୋ ଦମ୍ଭର

ନୀଳ ଇଲାକାରେ । ମୋ ଦେହର କୋଠାଘରୁ ଇଟା ଖସେ

ବିଧବା ବୃକ୍ଷଙ୍କ ପରି ଜୁଳୁଜୁଳୁ ଚାହିଁ ଦେଖେ ତମ ମୁହଁ ଖରାବେଳଟାରେ ।

 

ଖରାବେଳେ ଯେଉଁ ନାରୀ ପାପ ଚିନ୍ତା କରି

ବିଶ୍ୱାସର ଗୋଲେଇ ଛକରୁ ଚାଟିଚୁଟି ସଫାକରେ ପ୍ରୀତିର ଫସଲ

ତାକୁ ବା’ ବଳ କାହାର ? ତାପାଇଁ କି ଲାଭ ଜାଳି

ବିଶ୍ୱାସରେ ଦିନରାତି ସ୍ମୃତିର ମଶାଲ । ତାକୁ ମୋ ଜୁହାର ।

ତା’ର ପ୍ରୀତିକୁ ଜୁହାର ।

 

ବେଳ ଗଲାଣି ତ ଗଡ଼ି

ଆଉ କିମ୍ପା ହୋହଲା, ରାଜ୍ୟଜୟ, ସମ୍ରାଟଙ୍କ

କଣ୍ଠସ୍ୱର ! ଶତ ଶତ ସେନାଧ୍ୟକ୍ଷଙ୍କର । ଆକାଂକ୍ଷାର

ଖରାବେଳ ନିଦର ବଟିକା ଖାଇ ଶୋଇରହେ ସତେ ଅବା

ଏକ ଚଳତ୍‍ଶକ୍ତିହୀନ ଅକାମୀ ବନ୍ଦର ।

 

ଖରାବେଳ ଏଇମିତି ଆସେ

ଟ୍ରେନ୍‍ପରି ଷ୍ଟେସନର ଇଲାକାରେ ଚହଳ ପକାଇ

ଏଇମିତି ଯାଏ ପୁଣି ଷ୍ଟେସନରୁ

ବେଦନାର ସୁସୁରୀ ବଜାଇ ।

—୦—

 

ଦୁଇଟି କବିତା

 

ଏକ

 

ପବନରେ କୁତୁକୁତୁ

ଦେହ ମୋର ମନ ମୋର

ସାମଗ୍ରିକ ସତ୍ତା ମୋର

 

ପବନର ଅନ୍ୟ ନାମ ଈର୍ଷା

ଈର୍ଷା ପୁଣି ପ୍ରେମର ମଶାଲ

 

ଦୁଇ

 

କେବଣ ମାର୍ଗେ ଆମ୍ଭେ ଗମୁଥାଇ

ରକ୍ତର ନଦୀ ପାର ହେଇ । ହାଡ଼ ଫୁଟଇ

କଡ଼ ମଡ଼, ନ ଦିଶେ କିଛି ବନ୍ଧ ବାଡ଼ ।

 

ଏମନ୍ତେ ବିତଇ ଜୀବନ

ଅନ୍ଧାରେ ବୁଦ୍ଧି ଜ୍ଞାନ ହୀନ

 

 

ଆଉ ସେ ରାଜ୍ୟେ ନ ଗମିବୁଁ

ବେଳହୁଁ ସାବଧାନ ହେବୁଁ ।

—୦—

 

ଗତାନୁଗତିକ

 

ଯାହା ବା ହବାକୁ ବାକିଥିଲା

କିଛି ହଉନାଇଁ; ନିକଟରେ ହବାର ବି

ସମ୍ଭାବନା ନାଇଁ ।

 

ଗଛରୁ ଝରିପଡ଼ୁଚି ପତ୍ରସବୁ

ମଝି ରାସ୍ତାପରେ; ହାବେଳୀ ଫୁଟୁଚି

ଠୋ ଠୋ ଶବଦ କରି ରକ୍ତ-ସମୁଦ୍ରରେ ।

ପବନରେ ସ୍ୱର ନାଇଁ

ରୁଦ୍ଧଶ୍ୱାସ ପ୍ରଚଣ୍ଡ ହଉଚି

ଜମାନବନ୍ଦିର ପ୍ରଶ୍ନ କାହିଁ?

ନ୍ୟାୟ ଆଡ଼୍‍ଡା ଶୂନ୍ୟ ପଡ଼ିଅଛି ଓ

ସମସ୍ତ ଅପରାଧ ମାଳାହୋଇ

ଗଳାରେ ଝୁଲୁଚି ।

 

ତମ ମୁହଁ ଦିଶୁଅଛି ପାରିଧିରୁ ଫେରିଥିବା ରାଜାଙ୍କର

ମଲା ବାଘୁଣୀଟି ପରି ।

ରକ୍ତସବୁ ଥପଥପ ଝରିପଡ଼େ ମାଟିର ଶେଯରେ

ପାଦର ଅଳତାଗାର

ସୂର୍ଯ୍ୟାସ୍ତର ଶେଷରେଖାପରି ଝଲମଲ ହେଉଅଛି

ବିଚିତ୍ର ଠାଣିରେ ଓ ତମର ଜାନୁଦ୍ୱୟ ସଶସ୍ତ୍ର

ସୈନିକ ପରି ପଇଁତରା ମାରୁଅଛି ଶୂନ୍ୟ ସଡ଼କରେ ।

ସମ୍ଭବତଃ ରାସ୍ତାରେ ଭିଡ଼ ନାଇଁ । ଟ୍ରାଫିକର

ହୋ ହଲ୍ଲା ନାଇଁ । ଗଛ ନାଇଁ । ଗଛରେ ଫୁଟନ୍ତା

ଫୁଲଙ୍କର ବାସ୍ନା ଟିକେ ନାଇଁ;

ଚଉଦିଗେ ଚକା ଚକା ମାଂସର ପାହାଡ଼ ।

କିଏ ବା ଜିଣିବ ବାଜିମାରି ରକ୍ତାକ୍ତ ଯୁଦ୍ଧରେ

ଅନ୍ଧାରିଆ ଗଡ଼ ।

 

ଆଉ ବା ହବାକୁ କ’ଣ ଅଛି ?

ଯାହା ହବାର ଥିଲା

ଅଳ୍ପ ବହୁତରେ ଶେଷ ହୋଇଗଲା

ଯାହା ଭାଙ୍ଗିବାର ଥିଲା

ଛୋଟ ବଡ଼ କାରଣରୁ ଆପେ ଆପେ

ଭାଙ୍ଗିରୁଜି ଗଲା । ରାଜ୍ୟ ଗଲା । ରାଜଧାନୀ ଗଲା ।

ଯାହା ବି ହବାକୁ ଥିଲା

ହେଉ ହେଉ ଅଧା ରହିଗଲା ।

ଆଉ ବା ହବାକୁ କ’ଣ ବାକି ଅଛି ??

—୦—

 

ଭୟ

 

ଭୟ ଖେଳିଯାଏ ଚରାଚର

ବିଶ୍ୱ ବ୍ରହ୍ମାଣ୍ଡରେ । ସିକ୍ତ ରୋଗା-ପାଣ୍ଡୁର

ଓଠପତା ସ୍ଫୀତ ଦୁଇଆଖି ଓ ଶୀର୍ଣ୍ଣ ମୁଖପଦ୍ମ ପରେ ।

 

ଅନ୍ଧାର ଘରେ କଳା ବିଲେଇର

ଭୁସ୍ ଭାସ୍ ଶବଦ । ଦେହର ଭୂଗୋଳେ

ମନର ଆକ୍ଷାଂଶେ ଓ ଚେତନାର ନିର୍ଦ୍ଦିଷ୍ଟ ବୃତ୍ତରେ

ଭୟର ସାମ୍ରାଟ ।

 

ଭୟ; ଆଜ୍ଞାଧୀନ ଅର୍ଦଳି ପରି ଉଭା

ହଉଚି ଦଶଟାବେଳେ କମନ୍‍ରୁମ୍ ପିଅନ

ରାମ ନାୟକର ଚିଠି ରଖା ପଟାବନ୍ଧା

ହାତୀମାର୍କା ନୋଟ ଖାତାରେ ।

 

ଭୟ; ପ୍ରେତପରି ହାତଗୋଡ଼ ହଲାଉଚି

ଶୂନ୍ୟରେ ପ୍ରକାଣ୍ଡ ଏକ ସାଗୁଆନ କାଠରେ

ନିର୍ମିତ ଉଡ଼ନ୍ତା ଚିଲର ଦିନରେ

ତା’ର ଅସାଧ୍ୟ କରାମତି ।

 

ମୁଁ ଲଳିତାକୁ କହିଲି;

ତମେ ଭୟ କରନାଇଁ ଅନ୍ଧାରରେ ଛପିଥିବା ।

କଳା ବିଲେଇକୁ । ଭୟ କରନାଇଁ

ମୋ ବଦଖିଆଲି ମନର ନିର୍ଲଜ୍ଜ ରସିକତାକୁ ।

 

ଭୟ ଏକ ବିକାର

ନାଇଁ ତା’ର କୌଣସି ନିର୍ଦ୍ଦିଷ୍ଟ ଆକାର

ବା’ ପ୍ରକାର ।

—୦—

 

ଦୃଶ୍ୟ ଏକ ମୌଜାର

 

ଏ ଏକ ବିଚିତ୍ର ଦୃଶ୍ୟ ।

ସମ୍ଭବତ କେଉଁ ମୃତ ବ୍ୟକ୍ତିଙ୍କର ଶୋକସଭା

ବିଦାୟକାଳୀନ ଦୃଶ୍ୟ, ଅଶ୍ରୁର ତର୍ପଣ । କିମ୍ୱା

ଘର ଛାଡ଼ି ଚାଲି ଆସିଥିବା ପ୍ରାପ୍ତବୟସ୍କ ସମ୍ପର୍କରେ

ଗୋଟିଏ ଘୋଷଣା । ରକ୍ତର କାଳିରେ ଯାହା

ଲିପିବଦ୍ଧ ନିହାତି ପୁରୁଣା ।

 

ବିଚିତ୍ର ଦୃଶ୍ୟରେ ଏହା ବସିଛନ୍ତି ସମାଜର

ବଡ଼ ପଣ୍ଡା, ଜଜମାନ ବ୍ରାହ୍ମଣ କରଣ ।

କି ହେବ ଦଶା ୟାଙ୍କର । କି ହେବ ବା ଏ

ସଭାର ଶେଷ ରାୟମାନ ।।

 

ଦୃଶ୍ୟପରେ ଦୃଶ୍ୟ ଆସେ ମାଲବୁହା

ଟ୍ରେନ୍‍ପରି ଷ୍ଟେସନର ଇଲାକାରେ ଚହଳ ପକାଇ ।

ଗାଡ଼ି ଆସେ ଗାଡ଼ି ଯାଏ । କାହା ଦୁଃଖ ବୁଝିବାକୁ

କେହି ଜଣେ ନାହିଁ ।

ସବୁଠି ଉଦାସ ପ୍ରଭୁଙ୍କ ମୁହଁ

ସବୁଆଡ଼ କାଁ, ଭାଁ ଖାପ୍‍ଛଡ଼ା ନୀରବ ଶୂନ୍ୟତା ।

ନନ୍ଦିଘୋଷ ଗଡ଼ିଲାଣି । ନୀଳଚକ୍ର

ବାନା ଦେଖି ବଡ଼ଦାଣ୍ଡେ ଧୂଳି ଧୂସର

ହେବ ଚରମ ମୂଢ଼ତା ।

 

ଏ ଏକ ବିଚିତ୍ର ଦୃଶ୍ୟ ।

ଏ ଦୃଶ୍ୟର ଆରମ୍ଭ ଓ ଶେଷ

କେଉଁଠାରେ ? ଏ କେଉଁ ଆଶ୍ଚର୍ଯ୍ୟ

ଦ୍ୱୀପ । ଆମେ ସବୁ ହାୱାଖାଇ

ଘୂରୁଅଛୁ ଫୁଙ୍ଗୁଳା ଦେହରେ ।

—୦—

 

ସମୟ : ଦୁଃସମୟ

 

କନକ ଆଖିର ଲୁହ

ଯେଉଁଠି ରହିଚି ଆମ ଅତୀତ ପ୍ରେମର

କେତେ ବିକଳ ଐତିହ୍ୟ ।

କନକର ଶାଢ଼ି ପଣତରେ

ଆକାଂକ୍ଷାର ଧଳାବଗ ଡେଣା ଦୋହଲାଇ

ଉଡ଼େ । ଖୋଲା ଆକାଶର

ତଳେ । ବେଶ୍ ନିଶ୍ଚିନ୍ତରେ ।

 

ସମୟ କି ଦୁଃସମୟ ।

ଅବା ବିଯୁକ୍ତି ସମୟ । ଯେଉଁଠି ମୁଁ

ମୋ ଫମ୍ପା ଆଦର୍ଶବାଦର

ଶବ ଥୋଇ ଶେଯପରେ ବିକଳେ ଅନେଇ ଦେଖେ

ଯମୁନା ନଦୀକୁ ।

ବର୍ଗାକାର ନିବୁଜ କକ୍ଷରେ ବୃତ୍ତାକାର

କୁଚକର ଚଚୁକମାନଙ୍କୁ ।

 

ଏ ସମୟେ ବରଫର ଶରୀରକୁ

ଫିଙ୍ଗିଦେଇ ଅଯତନେ

ଚୋରା ଚୌହଦୀରେ । ଜ୍ୟୋସ୍ନI ଶୀତଳ ଜଳେ

ନଗ୍ନ ହୋଇ ଯେଉଁ ନାରୀ

କେଶ ପଖାଳିଲା । ସେ କି ମୋର

ଏକାନ୍ତ ନିଜର । ତା’ ଦେହର ଆକାଶରେ

ଅପର୍ଯ୍ୟାପ୍ତ ମଲ୍ଲୀ ଓ ଟଗର । ତା’’ ଗଳିରେ

ମୁଠା ମୁଠା ହେନା ଗନ୍ଧ ଅତରର ବାସ୍ନା ।

ତା’ଆଖିର ଝରଣାରେ କେତେ ସ୍ମୃତି

କେତେ ଚିହ୍ନା ଗାଁ ।

ତାର ସ୍ମୃତି ସତେଜ ଦିଶୁଚି ବ୍ୟାଘ୍ର ଚର୍ମ ପରି

ଗଦାଏ ବାଟରୁ । ସମୟର କାଚ ଆଇନାରେ

ତା’ ଚେହେରା ଅବିକଳ ଝଲସୁଚି

ଆଦ୍ୟ ବସନ୍ତରୁ । କିଛିକ୍ଷଣ ପୂର୍ବେ

ମୋ ଶେଯରେ ଧଇଁସଇଁ କାନଫଟା

ବିକଳ କଣ୍ଠର ଶବଦ । ନୀରବ ଆଲୋଡ଼ନ ।

ବନ୍ଧ୍ୟା ନାରୀଙ୍କର ଅଜସ୍ର କୁନ୍ଥନ । ଅନେକ

ପ୍ରକାର ଦୃଶ୍ୟ । ଅନେକଟା ଅସହ୍ୟ ଓ

ବଳାତ୍କାର । ଶେୟର ପାରଦ ପେଟ

ମାଡ଼ି ମକ୍‍ଚି ଦରାଣ୍ଡୁଛି ଅନ୍ଧାରରେ

କନକର ମୃତ ପ୍ରେମ ବେକରେ ଦଉଡ଼ି

ବାନ୍ଧି ଝୁଲୁଅଛି ଶିଲିଂ ଫ୍ୟାନରେ ।

 

କନକ ଆଖିର ଲୁହ

ଯେଉଁଠି ମରି ଶୋଇଚି କେତେ ଲବଣାକ୍ତ

ସ୍ମୃତି କେତେ ରଙ୍ଗ ଭାବ ବିନିମୟ ।

ଯେହେତୁ କନକ ଜାଣେ

ଦେହ ବିନା ପ୍ରେମ ନାହିଁ । ପ୍ରେମ ଅସମ୍ଭବ ।

ଦେହକୁ ପୃଥକ କରି ବଞ୍ଚିବାଟା ନୁହଁଇ ସମ୍ଭବ ।

ଦେହରୁ ଦେହଳି ଡେଇଁ

କୁଦାମାରି ବାଘପରି ଭିଡ଼ିମୋଡ଼ି ହୋଇ

ଗହନ ବନରବୁଢ଼ା ଅଜଗର ପରି ଏକଡ଼

ସେକଡ଼ ହୋଇ । କନକର ପ୍ରେତ କିଆଁ

ଧାଉଁଅଛି ଗଣ୍ଠି, ସନ୍ଧି, ଖୋଲ ଓ ସ୍ନାୟୁର

ସବୁ ବାଡ଼ବନ୍ଧ ଡେଇଁ । ଘରମୁହାଁ ହୋଇଥିବା

ବଳଦଙ୍କ ପରି ଖୁରା ଓଲଟାଇ ।

ଅଦଳ ବଦଳ କରି ପଡ଼ିଉଠି

ଗୋହିରୀ ହିଡ଼ରେ । ଦର୍ପଣରେ ନିଜ ରୂପ

ନିଜେ ଦେଖି ସେ କିଆଁ ମରୁଛି

ଆହାଃ ମଧ୍ୟ ବୟସରେ ।

 

କନକ ଲୋ !

"ତୋ ବୟସ ଷୋହଳ ବା ସତର ବି

ନୁହେଁ । ଅତର ବିକୁଚୁ କିମ୍ପା ଡାକି ଡାକି

ବଡ଼ଦାଣ୍ଡେ ହିନିମାନୀ ହୋଇ ।

ତୁ କ’ଣ ଜାଣିନୁ କିଲୋ,

ଅତର ବିକା ସରିଲେ କେହି ଜଣେ

ଏ ପୃଥ୍ଵୀରେ ତୋ ନିଜର ନାହିଁ ।

ତୁ ଯାହାକୁ ଆଦରିଚୁ ସ୍ୱାମୀ ବୋଲି

ତୋ ଅବଶିଷ୍ଟ ଜୀବନର ନିରାପତ୍ତାପାଇଁ

ସେ କାହୁଁ ବୁଝିବ ଆଲୋ ରାତିଅଧେ

ତୋର ମନ କି କାରଣେ ହୁଏ ହାଇଁପାଇଁ ।

ସେ କାହୁଁ ବୁଝିବ ତୋ ମନର କଥା ?

ଅତୀତର ପୁଞ୍ଜିଭୂତ ବେଦନାର

ପାହାଡ଼କୁ ଟପି । ସେ କିମ୍ପା ଆଣିବ ତୋଳି

ବାରଣ ଗଛରୁ ଫଳ ଯାହା ଅଟେ ତୋ ନିଜର ରୁଚି ।

 

କନକ ଲୋ !

"ତୋ ଶରୀର ମହାବଳ । ଲୁହାର କବାଟ ।

ମୁଦା କୋଠରିରେ ବସି ତୁ କରିବୁ

ତା’ ସଙ୍ଗେ କେତେ ରଙ୍ଗେ ନାଟ । ତୋ ଦେହର

ସବୁ ଶିରୀ ଫିକା ପଡ଼ିଯିବ । ତଥାପି ଲୋ;

ସ୍ମୃତିର ଫରୁଆ ତୋର ଜନ୍ମଜନ୍ମIନ୍ତରପାଇଁ

ସତେଜ ଦିଶିବ ।

 

ତୋ ଦେହର ନଡ଼ିଆ ଗଛରୁ ଗୋଟି ଗୋଟି

ବାହୁଙ୍ଗା ଖସିଲେ ତୁ କ’ଣ ଫୁଲେଇ ହୋଇ

ଛାଇକୁ ଦେଖିବୁ ? ନଡ଼ିଆ ଗଛ ମୂଳରେ ଯେଉଁଜନ

ବସିଅଛି ଏତେଟିକେ ଛାଇପାଇଁ ସେ ଜନର

ମନକଥା ତୁ କାହୁଁ ବୁଝିବୁ ?

କନକ ଲୋ, ତୋ ନିମନ୍ତେ ଦେହ ଲୋଡ଼ା

ତୋ ବିଚାରେ ଦେହ ବୃନ୍ଦାବନ । ଯେଉଁଠି ନିଇତି ହୁଏ

କୃଷ୍ଣ ସଙ୍ଗେ କେତେ ଗୋପାଗୋପୀଙ୍କ ମିଳନ ।

—୦—

 

ଘର ବାହୁଡ଼ା

 

ଆଃ, କେତେ ଦୁଃଖ ତା’ର ଫେରନ୍ତା ରାସ୍ତାରେ ।

 

ଅନ୍ଧ ସେନାପତି ଲାଲ୍ ଘୋଡ଼ା ଚଢ଼ି

ଟହଲ ମାରୁଚି ତା’ର ଯୁବା ପତ୍ନୀ ତକ୍ତପୋଷ ପଲଙ୍କରେ

ଫଁ ଫଁ ନିଶ୍ୱାସ ଛାଡ଼ୁଚି ।

 

ଦୁର୍ଲଭ ସମୟ ଉପସ୍ଥିତ ।

କେଉଁ ଦୂରନ୍ତ ଇଚ୍ଛାକୁ ସେ ବାନ୍ଧିଦବ

ଗରୁଡ଼ ସ୍ତମ୍ଭରେ;

ଈର୍ଷାର ଛୁରିରେ କାଟି ନିଜ ଗୁପ୍ତ ଅଙ୍ଗ

ମାଦଳ ପରି ଗଡ଼ିବ ବେଢ଼ା ମଣ୍ଡପରେ ।

 

ଏବଂ ପରିଚୟ ପ୍ରଦାନ ପର୍ବରେ

ନିଜ କୀର୍ତ୍ତି ବଖାଣିବ

ଗଞ୍ଜ କୁମ୍ଭୀର ଲଢ଼େଇକୁ କ୍ଷେପିଯିବ

ମହା ଆଡ଼ମ୍ୱରେ

ଏବଂ ଦାନ୍ତ କଡ଼ମଡ଼ କରି ପତ୍ନୀକୁ ଭେଟିବ

 

 

ଅନ୍ଧ ସେନାପତି ମୁହାଁମୁହିଁ ରକ୍ତାକ୍ତ ଯୁଦ୍ଧରେ

ପରାଜିତ ହବ ।

 

ଆଃ, କେତେ ଦୁଃଖ ତା’ର ଫେରନ୍ତା ରାସ୍ତାରେ ।

କେତେ ଦୁଃଖ ଆପଣାକୁ ହତ୍ୟାକରି

ଅସହଜ ଦୁର୍ବୋଧ୍ୟ ହବାରେ ।।

—୦—

 

ସମ୍ୱୋଧନ

 

ବୋଉ ଲୋ ମାଡ଼ୁଚି ଡର ସହରର ଭଙ୍ଗା ପୋଲ

ଅସନା ଗଳିରେ । ରେସ୍ତୋରାରେ କଫି ଦୋକାନରେ

ସିନେମାର ବାଲକୋନିରେ,

ବୋଉ ଲୋ ମାଡ଼ୁଚି ଡର ଏକା ଏକା । ପିଚୁଢ଼ଳା

ସଡ଼କର ଚଉଡ଼ା ଛାତିରେ ।

 

ମୁଁ ତୋର ଅର୍ଖିତ ପୁଅ ଅପଗଣ୍ଡ ଅପଦାର୍ଥ ପୁଅ

ମୋପାଇଁ କାନ୍ଦନା ଆଉ ଅଯଥାରେ । କଷ୍ଟ ଦେଇ

ଆପଣା ଶରୀରେ । ଓଷା ବ୍ରତ ଉପାସନା କରନି ତୁ

ମୋ ଲାଗି ଗଡ଼ାନି ଲୁହ ମଥାପିଟି ଭଙ୍ଗା ମନ୍ଦିରରେ ।

 

ମୁଁ ମୋ ନିଜର ଶତ୍ରୁ

ନିଜକୁ ମୁଁ ଚିହ୍ନୁ ନାହିଁ । ନିଜ କଥା ବୁଝିପାରୁ ନାହିଁ

ନିଜ ଦୁଃଖ କାହା ଆଗେ କହି ମୁଁ ପାରୁନି । ଅବା

ନିଜ ଭାଗ୍ୟ ଫଳ, ବର୍ଣ୍ଣ, ଗୋତ୍ର ଜାତି ମୁଁ ଜାଣୁନି

ବୋଉ ଲୋ ତୁ ଆଜିଠାରୁ ଦଶବର୍ଷ ପରେ

ଯଦି ଯାଉ ଟ୍ରେନ୍ ଚଢ଼ି ବାପାଙ୍କ ପାଖକୁ । ବୁଝାଇ

କହିବୁ ତାଙ୍କୁ କି କାରଣେ ତାଙ୍କ ପୁଅ ଅମଣିଷ

ହେଲା । ନିଜକୁ ଭାଙ୍ଗିଲା, ଆହା ନିଜକୁ ଜାଳିଲା ।

 

ଆଲୋ ବୋଉ । ମତେ ତୁ ଜନମ ଦେଲୁ ଯେଉଁ

ପୃଥିବୀରେ । ସେଠି ମୋ ଭୂମିକା କ’ଣ ନିଜେ ମୁଁ ଜାଣୁନି ।

ନିଜକୁ ପଚାରି ପ୍ରଶ୍ନ ନିଜଠାରୁ ଉତ୍ତର ପାଉନି ।

 

ମୁଁ କି ତୋର ଯୋଗ୍ୟ ପୁଅ ?

ମୁଁ କି ତୋର ଅତି ଆପଣାର ??

କି କାରଣେ ଏ ମଣିଷ ମିଛଟାରେ ହୁଏ କଲବଲ ।

 

ମୁଁ କି ଗାନ୍ଧୀ ? ମୁଁ କି ମାଓ ??

ମୁଁ କି ହିପ୍‍ପି ??? ମୁଁ କି ବିଟନିକ୍ ????

ମୋ ଆଗରେ ଏକ ରାସ୍ତା ମୋ ଦଲିଲ ହୁଏ ଟିକ୍‍ନିକ୍ ।

 

ଆଲ୍ଲା, ଯୀଶୁ, କୃଷ୍ଣ, ବୁଦ୍ଧ—ମୋପାଇଁ ନୁହନ୍ତି କିଛି

ଏମାନେ ସଂସାରେ । ମୋ ଲାଗି ଖୋଳୁଚି ଗାଡ଼

କିଏ ବସି ରାତାରାତି ଶତାବ୍ଦୀର ନୀଳ ଆଲୁଅରେ ।

ବୋଉ ଲୋ ତୁ ଫୁଲଟିଏ ଥୋଇଦେବୁ

ତୋ ପୁଅର କବର ଉପରେ ।

—୦—

 

ସାପ

 

ଜହ୍ନର ଆରିସି ଧରି ମୁଁ ଦେଖିଲି ସମୁଦ୍ରକୁ

ରାଜଧାନୀ, ରାସ୍ତାଘାଟ, ଗଛପତ୍ର, ଗୋଡ଼ି ଓ ମାଟିକୁ

ଯେ ସେ ସମସ୍ତ ଜଳୁଥିଲା ଜ୍ୱଳନ୍ତ ନିଆଁରେ

ରାସ୍ତାସବୁ କେଉଁମନ୍ତେ ନିଦ୍ରାଗଲେ ବୃଦ୍ଧ ଅଜଗର

ପରି ଗହନ ନିଦରେ ।

 

ଜହ୍ନର ଆରିସି ଧରି

ମୁଁ କେମିତି ଆକାଶରୁ ଏକା ଏକା ମର୍ତ୍ତକୁ

ଆସିଲି । ଅଗ୍ନିର ବଳୟ ଟପି ସମୁଦ୍ରର

ଗର୍ବ ଖର୍ବ କରି ମୁଁ କେମିତି ଧରାଦେଲି ସେ ଗଳିରେ

ଆତ୍ମହତ୍ୟାପାଇଁ ଚେଷ୍ଟା କରୁଥିବା କେଉଁ ରୂପବତୀ

ଯୁବତୀ ହାତରେ ।

 

ଗ୍ରୀଷ୍ମର ଉଷୁମ ଶେଯେ ଅତୀତକୁ ଭୁଲିଯାଇ

ଅତୀତକୁ ମନେ ବି ପକାଇ । ମୁଁ ଆଖି ଖୋଲିଲି

ତା’ ଆଖିରେ ଆଖିକୁ ମିଶାଇ । ତା’

ଦେହରେ ମୋ ଦେହକୁ ରଖି କେତେ କ’ଣ କଥା

ହେଲି ଆଜି ମୋର କିଛି ମନେ ନାହିଁ ।।

 

ନିଘୋଡ଼ ନିଦରେ ଶୋଇ ମୁଁ ଦେଖିଲି

ମିଠା ମିଠା ସବୁଜ ସପନ । ତା’ର ଦୁଇ

ଚମ୍ପା ମୋ ବେକରେ ସାପପରି ଝୁଲି ପଡ଼ିଥିଲା

ତା’ ନାସିକାର ରନ୍ଧ୍ର ଦେଇ ମୋ ଦେହର ସମୁଦ୍ରରେ

ଅଣଚାଶ ପବନ ବହିଲା ।

 

ମୁଁ ହଠାତ ହତବାକ୍ ହୋଇ ଦେଖୁଥିଲି

ନିର୍ବୋଧ ମଣ୍ଡୁକ ସମ ସାପଟିକୁ ଆଉ ତା’ର

ଢଳ ଢଳ ଆଖି ଦୁଇଟିକୁ । କେଉଁ ମନ୍ତେ ବିଧି

ତାକୁ ଏମନ୍ତେ ଗଢ଼ିଲା ? କି କାରଣେ ସିଏ ପୁଣି

ସାପ ଆଖ୍ୟା ନେଲା ??

 

ସପନ ଭାଙ୍ଗିଲା ପରେ ମୁଁ ଦେଖିଲି ସେ

ସାପଟି ଆକାଶରେ ଉଡ଼ୁଅଛି । ପୃଥିବୀର

ଅନ୍ୟ କେଉଁ ଇଲାକାକୁ ଉଡ଼ିଯିବାପାଇଁ ପ୍ରଚେଷ୍ଟା

କରୁଚି । ମୁଁ ତାକୁ ଖୋଜିଲି କେତେ ଜହ୍ନଚ

ଆରିସି ଧରି ଆକାଶର ତାରାଙ୍କ ଗହଳେ

ଗ୍ରହ ଗ୍ରହାନ୍ତରେ ଅବା କେଉଁ ନାମହୀନ ପ୍ରବାଳ ଦ୍ଵୀପରେ

"ମୋ’ ରକ୍ତରେ ତା’ ଦେହର ବିଷ କ୍ରମେ

ପ୍ରସାରିତ ହୁଏ । ଚାହୁଁ ଚାହୁଁ ସ୍ୱର୍ଗଦ୍ୱାରେ

କି କାରଣେ ମୋ ଶରୀର ଭସ୍ମ ହୋଇଯାଏ ।"

—୦—

 

ଅଦୃଷ୍ଟକୁ

 

ଏ କେଉଁ କଣ୍ଠର ଚାପା ସ୍ୱର

ଯାହା ମୋତେ ବାରମ୍ୱାର ଅସ୍ତବ୍ୟସ୍ତ

କରୁଅଛି ସ୍ତନପାୟୀ ପଶୁପରି ପ୍ରତି ମୁହୂର୍ତ୍ତରେ ।

ଓ ମୋର ଲୋଚାକୋଚା ସ୍ନାୟୁ ଓ ପାଣିଚିଆ

ରକ୍ତ ସମୁଦ୍ରକୁ ଟପି ବାର୍ତ୍ତା ବାଢ଼ୁଅଛି ସଙ୍ଗୋପନେ

ବିକଳ ଭାବରେ ।

 

ଏ କି ମୋର ନିଜ ସ୍ୱର । ବିଖଣ୍ଡିତ

ବ୍ୟକ୍ତିତ୍ୱର ଚଳମାନ ସ୍ୱର । ଯା’କୁ

ଆମେ ରୂପ ଦେଉ ଆତ୍ମା ବା ଈଶ୍ୱର କହି

ଅବା କହୁ ନିରାକାର, ଶୂନ୍ୟବ୍ରହ୍ମ । ଯାହାଠୁ

ସମସ୍ତ ସୃଷ୍ଟି ଓ ବିସ୍ମୃତି ହୁଅଇ ସମ୍ଭବ । ଯାହାଙ୍କ

ଆଜ୍ଞାରେ ଦିନ ରାତି, ମାସ ଋତୁ, ଦଣ୍ଡ, ଚନ୍ଦ୍ର

ସୂର୍ଯ୍ୟ ଆତଯାତ । ଯାହାଙ୍କ ଅନ୍ୟନାମ ନିରାକାର

ନିର୍ଗୁଣ ଈଶ୍ୱର । ସେ ତ ଶୂନ୍ୟ ଶୂନ୍ୟ, ଶୂନ୍ୟବ୍ରହ୍ମ

ଶୂନ୍ୟ ହିଁ ଈଶ୍ୱର ।

 

 

 

ଏ କେଉଁ ବିଚିତ୍ର ଜୀବର ସ୍ୱର । ଅବା

ଏକି ମୋର ଦେହ, ମାଂସ, ରକ୍ତ, ବୀର୍ଯ୍ୟ

ସ୍ନାୟୁ ସକଳର ଅବା ଚାପାଶ୍ୱର ସକଳ ଇଚ୍ଛାର ।

ଅବା କେଉଁ ସୂକ୍ଷ୍ମତମ ପ୍ରଦେଶର ପରିଚିତ ଆତ୍ମୀୟର

ସ୍ୱର । ମୁଁ ଯାହାକୁ ସପନର ପାଇକରେ

କୃଷ୍ଣପକ୍ଷ ଶେଷ ରାତି ଶେଷ ପ୍ରହରରେ । ଯେଉଁଠି

ଅନ୍ଧାର ମିଶେ ଗୋଳିଘାଣ୍ଟି ହୋଇ ନିଶ୍ଚୁପରେ ଆଲୋକ ସାଙ୍ଗରେ ।

 

ସେ ସ୍ଵରର ଡାକରାରେ ହଇଚଇ ହୋଇ

ହଠାତ ନିଦରୁ ଉଠି ଅଣ୍ଡାଳିଲି ମୋର

ଲୋଚା କୋଚା ଶେଯକଡ଼େ କିଏ ଅବା ପଡ଼ିଥିବ ଶୋଇ

ମୁଁ ଦେଖିଲି କେହି ନାହିଁ । କିଛି ମୋର ହାତ

ପାଆନ୍ତାରେ ନାହିଁ । ସୂର୍ଯ୍ୟ ନାହିଁ । ଚନ୍ଦ୍ର ନାହିଁ ।

ତାରା ନାହିଁ । ବିଜୁଳିର ଜରିଶାଢ଼ି ନାହିଁ । ଯେଣେ ଚାହଁ

ତେଣେ ଦେଖ ସୁବିସ୍ତୃତ ଶୂନ୍ୟର ଇଲାକା । ଶୂନ୍ୟ

ସତ୍ୟ, ଶୂନ୍ୟହିଁ ଅଲେଖ । ଚତୁର୍ଦ୍ଦିଗେ ପରଂବ୍ରହ୍ମଙ୍କର

ଗହ ଗହ ନାଦ । ଏହା କି ସମ୍ୱାଦ ଅବା ଏହା

ଏକ ଚଳମାନ ବିସମ୍ୱାଦ ।

 

 

 

ମୁଁ ଆପାତତଃ ନିଦରୁ ଉଠି ଦେଖିଲି ଯେ

ମୋ ଆଗରେ ଏକ ଅଦ୍ଭୁତ ସହର ରାତାରାତି

ମୁଣ୍ଡ ଟେକି ଗଢ଼ି ଉଠିଅଛି । ଯେ ସହରେ ସତ୍ୟ, ପ୍ରେମ

ଦୟା ଓ ମମତା ପବନ ପ୍ରଚଣ୍ଡ ବହୁଛି । ଓ ମୁଁ

ମୋର ଦୁଇହାତ ଶେଥା ପାପୁଲିରେ ଆଖି ମିଳିମିଳି

ଦେଖିଲି ଯେ ସଂଖ୍ୟାହୀନ କୃଷ୍ଣକାର ଛାଇମାନେ

ରକ୍ତବସ୍ତ୍ର ପିନ୍ଧି ନାଚୁଛନ୍ତି । ମୋ ସର୍ବାଙ୍ଗ

ଭୟରେ ଥରୁଛି ।

 

ମୁଁ ମୋର ଅସଞ୍ଜତ ମନର ଅଣାୟତ ଇଚ୍ଛାଙ୍କୁ

କଷ୍ଟେମଷ୍ଟେ ଆପଣାର କରି ପଚାରିଲି କିଏ ବାବା ?

କିଏ ତମେ ? କେଉଁଠୁ ଆସିଲ ? କାହିଁକି ବା ଅର୍ଧରାତ୍ରେ

ନିଦରୁ ଉଠାଇ ମତେ ଏତେ ହଟହଟା କଲ ।

ମୁଁ ତ ମୋର ଶୋଇଥିଲି ନିଘୋଡ଼ ନିଦରେ ଭିଡ଼ିଧରି

ଚାରି ଚୌକସରେ ସ୍ମୃତିର ଦିଆଲ । ତମେ କିମ୍ପା ଛାଇପରି

ମୋ ପଛରେ ଲାଗିରହି ଚିମୁଟି ଚିମୁଟି ମୋ ଦେହକୁ

ମତେ ଏତେ ଦହଙ୍ଗଜ କଲ ?

 

ମୁଁ ଏବେ ଯାଏଁ କୁଆଡ଼େ ମୋ ଆଗରେ

ଭିନ୍ନ ରାସ୍ତା ସ୍ୱର୍ଗ ଏବଂ ନରକକୁ । ସମୁଦ୍ରକୁ

ଅରଣ୍ୟକୁ । ଅଜଗର ଗର୍ତ୍ତ ଗହ୍ୱରକୁ । ମୁଁ ଏବେ

କରେ କଅଣ ? ମୋ ଆଗରେ ଖଣ୍ଡ ଖଣ୍ଡ ଅନ୍ଧକାର

କ୍ରମଶଃ ଜମାଟ ବାନ୍ଧୁଛି । ପବନ ବହୁଚି ତ ଅସମ୍ଭାଳ

ହଉଚି । ଏବଂ ସେ କେଉଁ କଣ୍ଠର ସ୍ୱର

ଯାହା ମୋତେ ବାରମ୍ୱାର ହିନସ୍ତା କରୁଛି ।

 

ମୁଁ ଭୟରେ ଲିଭାଇ ଦେଲି

ସିଗାରେଟ ଗୁଲ ଦେଲି ଝାଡ଼ି । ଚୁପ୍‍ଚାପ୍ କମ୍ବଳ

ଭିତରେ ଶୋଇବାର ଛଳନା କରିଲି । ସମୁଦାୟ ସହରରେ

ଅନ୍ଧାରର ସୁଅ ଛୁଟାଇଲି । ଶୂନ୍ୟରେ ଉଡ଼ିଲି ମୁଁ ଯେ

ଶୂନ୍ୟରୁ ପଡ଼ିଲି । ମହାଶୂନ୍ୟତାରେ ଉଡ଼ି ଉଡ଼ି ମୋ ନିଜର ସତ୍ତା

ହରାଇଲି । ତଥାପି ମୁଁ ଜାଣି ନ ପାରିଲି । ମୁଁ କିଏ ? କେଉଁଠୁ ଆସିଲି ?

କାହିଁକି ବା’ ଆସିଥିଲି ଏହି ସହରକୁ । ଅର୍ଧରାତ୍ରେ ସ୍ୱର ଶୁଣି

କୁନି ପିଲାପରି ଅଥୟ ହେବାକୁ ।

—୦—

 

ଅନାମ କବିତା

 

ମୁଁ ଆଉ ଯିବିନି ଆରେ ତୋ’ ମନ୍ଦିର

ବେଢ଼ା ଭିତରକୁ । ଧୂପ ଦୀପ ନୈବେଦ୍ୟ ବାଢ଼ିବି ନାଇଁ

ସକାଳ ସଞ୍ଜରେ । ତୋ’ ମନ୍ଦିରେ ଦୟା ନାଇଁ, କ୍ଷମା ନାଇଁ

ପ୍ରେମ ନାଇଁ ପ୍ରୀତି ନାଇଁ ଅଛି ଖାଲି ଭଙ୍ଗା ଭଙ୍ଗା କାଚ ଗୁଣ୍ଡ

କଣ୍ଟାବୁଦା ପ୍ରସ୍ତ ପ୍ରସ୍ତ ଶୂନ୍ୟର ଇଲାକା

ତୁ ଖଣ୍ଟିଆ ଛପନ ପଉଟି ଭୋଗ ଚଳୁ କରିଦେଇ

ମଲା କଙ୍କଡ଼ାଙ୍କ ଆଗେ ହୋଇଛୁ ବଢ଼ିଆ ।

 

ମୁଁ ତୋ’ର କିଏ ? ତୋ’ ସହିତ କଟି ମୋର ତିନିବର୍ଷ

ହେଲା । ତୋ’ ଛାଇ ଦେଖିଲେ ମୋ’ ନାହି ଡେଉଁଚି । ମୁଁ

ତୋ’ର ସଉତୁଣୀ ପରି ଯୁକ୍ତି ବାଢ଼ୁଅଛି ତର୍କଶାସ୍ତ୍ର

ପୃଷ୍ଠା ଓଲଟାଇ । ମୁଁ ଜାଣିଚି । ତୋ’ ଅନ୍ତରେ ମୋପାଇଁ

ଏତେ ଟିକେ କୃପା ନାଇଁ । ତୋ’ ଧୂପ ଦୀପ ରୋଗ-ଶୋକ-ପୃଥିବୀରେ

ମୋର କିଛି ଯା’ ଆସ ନାଇଁ ।

 

ତୁ ମତେ ନ ପଚାର, କୋଳ କରି ନ ନେଲେ ବି ତୋ’ର

ଦୁଇ ଫୁଙ୍ଗୁଳା ହାତରେ । ଦୁଧ ହାଣ୍ଡି ଉତୁରି ଯିବନି

ମୁଁ ବୁଝିଚି ଷଷ୍ଠ ଶ୍ରେଣୀ ପିଲାପରି କାଳିଆ ମରିଛି ମୋପାଇଁ

ତିନିବର୍ଷ ହେଲା । ମଲାଲୋକ ଏ ପୃଥ୍ଵୀରେ କେବେହେଲେ ଜୀଇଁଉଠେ ନାଇଁ ।

 

ଛି ଛି ଛି, ଏଡ଼ିକି କପଟୀ ତୁରେ

କି ଦୋଷ ବା ଅର୍ଜିଥିଲି ଗଜା ବୟସରେ ତୋ

ବଡ଼ ଦେଉଳେ । କେଉଁ ଅପକର୍ମେ ବାନ୍ଧିବୁନ୍ଧି ମତେ

ତୋ ମନ୍ଦିର ବାରଣ କରିଲୁ । ଜାଉଁଳି କବାଟ ଦେଇ

ଦି’ ଦି’ଟା ଜଗୁଆଳି ଠିଆ କରେଇଲୁ ।

ମୁଁ ନୁହେଁ ଶକୁନି ଅବା ଅନ୍ୟ କେଉଁ ଖଳ ଜନ

ମୁଖା ପିନ୍ଧି ଖଞ୍ଜଣା ପିଟିବି । ତୋ ନାଁରେ

ନେତ ବାନ୍ଧି ଚକାଆଖି ସାମନାରେ ଲକ୍ଷ ଲକ୍ଷ ପାପ ଅରଜିବି ।

 

ମୁଁ ନୁହଁରେ ସାଲବେଗ, ଦାସିଆ ବାଉରୀ ଅବା ତୋର

ଆପଣାର ପ୍ରିୟ ଲୋକ; ମୁଁ ନୁହେଁ ତୋ ଭୋଗଡ଼ାଲା

ହବିଷାର୍ଣ୍ଣ ମାହାର୍ଦ କୁଡ଼ୁଆ କିମ୍ୱା ଗାରେଡ଼ି ମନ୍ତର ।

ମୋ ସାଙ୍ଗେ କପଟ କରି କି ଲାଭ ପାଇବୁ କହ

ମଉନରେ ବସିଛୁ କିମ୍ପାଇ । ତୋ ଗର୍ବର ଦେଉଳ ଭାଙ୍ଗିରୁଜି ଗଲେ

କେଉଁଠି ତ ମୁଣ୍ଡ ଗୁଞ୍ଜି ରହିବାକୁ ଠାବ ଟିକେ ନାଇଁ ।

 

କିଏ ବା ନିଜର ଅଛି ? ତୋ ଶୁଖିଲା ମୁହଁ ଦେଖି

କ୍ଷୀର ସର ଲବଣୀ ଖୋଇବ । ଜଙ୍ଗଲଲର ଫଳମୂଳେ

ଶୂନ୍ୟ ଚାଙ୍ଗୁଡ଼ି ତୋ’ର ପୂର୍ଣ୍ଣ କରିଦେବ ।

 

ତୁ ତ ନିଜେ ପୂର୍ଣ୍ଣବ୍ରହ୍ମ, ତୋଠାରୁ ଉତ୍ପତ୍ତି କେତେ

ବିଶ୍ୱ ବ୍ରହ୍ମାଣ୍ଡର । ତୁ ନିଜେ ଦ୍ୱୈତ୍ୟବାଦୀ; ତୁ ପୁଣି ଅଦ୍ୱୈତ

ଈଶ୍ୱର । ମୋ ମୃତ୍ୟୁରେ ତୋର ଅବା ଯାଏ କେତେ ଆସେ କେତେ

ତୋ ସିଂହଦ୍ୱାରୁ ଗୋଟିଏ ମଣିଷ ମାତ୍ର ଉଭାନ ହୋଇବ ।

ତୋ ଭଣ୍ଡାର ଘରେ ଅଭଡ଼ା କୁଡ଼ୁଆଟିଏ ବଳକା ରହିବ ।

 

ମୋ ମୃତ୍ୟୁରେ ତୋ ପୃଥିବୀ ହସୁଥାଉ

ହସିଉଠୁ ତୋ ଭଙ୍ଗା ଦେଉଳ । ଛଳନାର ଜାଲବୁଣି

ବଞ୍ଚିବାଠୁଁ ତୋ ମରଣ ଶତଗୁଣେ ଭଲ ।

—୦—

 

ଯୁଦ୍ଧ

 

ଭୟଙ୍କର ଅସୁସ୍ଥତା ପରସ୍ପରର କୋଳାକୋଳି

ନିଃଶ୍ଵାସରେ ନିଃଶ୍ୱାସର

ଫେଣ୍ଟିହବା ଶବ୍ଦ

"ଅହଂ ବ୍ରହ୍ମIସ୍ମିନ୍"

କେଉଁ ପ୍ରହାର ରାତ୍ରିର ବା ?

 

ସେନାଧ୍ୟକ୍ଷ ଯନ୍ତ୍ରଣା ଜର୍ଜିତ

ପ୍ରତାପୀ "ରୋବର୍ଟ" ଗର୍ଜେ ଅବାରିତ

ବା

ରକ୍ତରେ ଫୁଟଇ ଟକମକ ଧବଳ ଟଗର

ରେରେକାର ଧ୍ୱନି କରି

ଉଡ଼ିଯିବ ପୌରୁଷର

ଅନୁଚ୍ଚାରିତ ସ୍ୱର; କେଉଁ ଘଡ଼ି ବା

କେଉଁ ପ୍ରହର ?

 

ଚତୁର୍ଦ୍ଦିଗେ ନିରଙ୍କୁଶ ଭାବ

ପରାସ୍ତ ସୈନିକ ବାଢ଼େ ସନ୍ଧିର ପ୍ରସ୍ତାବ

 

ଯୁଦ୍ଧ ଅପାତତଃ ଶେଷ

ଯୁଦ୍ଧ ଅପାତତଃ ଶେଷ ।।

—୦—

 

Unknown

ସୂର୍ଯ୍ୟୋଦୟ

 

ଅସହାୟ ଭାବେ ନିଜକୁ ସମର୍ପି ଦେଇ ଅନ୍ଧାରରେ

ହାତାହାତି ଭାଗ୍ୟ ସାଥେ ଯୁଦ୍ଧ କରି ନାସ୍ତିକ ହବାରେ

କିବା ପ୍ରୟୋଜନ !

 

ସଂସ୍କୃତିର ଇତିହାସ ନିରେଖିବା । ଜୀବନର ଅର୍ଥ ଖୋଜ

ଚରମ ମୂଢ଼ତା । ବିଭ୍ରାଟ ଚିନ୍ତାର ସ୍ରୋତ । ନଗ୍ନତାର ଜୟଧ୍ୱନି ।

ଶତାବ୍ଦୀର ଉନମନାଭାବ । ଅସହାୟରୂପେ ନିଜକୁ ସମର୍ପି ଦେଇ

ଉଜାଣି ନଈରେ । ସ୍ୱର୍ଗପ୍ରାପ୍ତି ହେବା ଅସମ୍ଭବ ।

 

ଏଠାରେ କୌଣସି ମାର୍ଗ ସୁନିର୍ଦ୍ଦିଷ୍ଟ ନୁହେଁ ।

ଏଠାରେ କୌଣସି ବସ୍ତୁ ମୂଲ୍ୟବାନ ନୁହେଁ ।

ଏଠାରେ କୌଣସି ନୀତି ନାଇଁ । ନୀତିବାଦୀ ପୁରୁଷଙ୍କ

ସତ୍ତା ନାଇଁ । ଯୋଜନ ଯୋଜନ ବ୍ୟାପୀ ଘୁମନ୍ତ ଅନ୍ଧାର ।

ନିଜ ମୁହେଁ କାଳି ବୋଳି

ଫଟା ଆଇନାରେ ପ୍ରତିବିମ୍ୱ ଦେଖି

ନାଚିବାଟି ସାର ।।

 

 

 

ଧର୍ମ ଏଠି ମୃତ ପିଣ୍ଡ । ନୀତି ଅଟେ କବରର ଗାଡ଼ ।

ସମାଜ ଢୋକର ଏବଂ ପ୍ରଚଳିତ ମୂଲ୍ୟବୋଧ ସ୍ମୃତିର ଦିଆଲ ।

ଏ ସମାଜ ଧ୍ୱଂସ ହେଉ

ଧ୍ୱଂସ ହେଉ ଜୀବନ-ଯନ୍ତ୍ରଣା ।

ଧ୍ୱଂସ ହେଉ ମଣିଷର ଚାଲବାଜି

ଶଠତା ଓ ଅନ୍ଧ ବୁଝାମଣା ।

ଧ୍ୱଂସ ହେଉ ପ୍ରଚଳିତ ମୂଲ୍ୟବୋଧ

ଗୁପ୍ତ ଗନ୍ତାଘର । ନୂଆକରି ଗଢ଼ିଉଠୁ ମାନସିକ

ସ୍ମୃତି ଏବଂ ସୌର୍ଯ୍ୟପାଇଁ ଶାନ୍ତିର ମନ୍ଦିର ।।

—୦—

 

କାହାର ସ୍ୱାମୀ ପ୍ରେମିକ ବା

 

କାହାର ସ୍ୱାମୀ ବା ମୁଁ

କାହାର ପ୍ରେମିକ ? ବିଖଣ୍ଡିତ ବ୍ୟକ୍ତିତ୍ୱ

ବିକୃତ ମନୁଷ୍ୟତ୍ୱ ଓ ନିତାନ୍ତ ଅସହାୟ ଭାବ ।

ମୋର ଭୂତ, ଭବିଷ୍ୟ ଓ ବର୍ତ୍ତମାନ ନିଷ୍‍ଫଳ

ହାଃ ହାଃକାର ଧ୍ୱନିରେ ଧ୍ୱନିତ । ଅପର୍ଯ୍ୟାପ୍ତ ନିରଙ୍କୁଶ

ଭାବ ମୋ ଗର୍ବର ପ୍ରବଳ ଦ୍ୱୀପକୁ କରେ ଅସ୍ତମିତ ।

 

ଭୟାନକ ପୃଥିବୀରେ

କିବା ପ୍ରୟୋଜନ ଆକାଶର ଇସ୍‍ପାତ

ଦେହକୁ ମାପି କମ୍ପାସ ମୁନରେ?

ସ୍ୱାମୀ ବା ପ୍ରେମିକ ସାଜି ଭ୍ରାନ୍ତ ବିଶ୍ୱାସରେ

ସ୍ୱଗତୋଃକ୍ତି କରୁଥିବା ।

ଚତୁର୍ଦ୍ଦିଗେ ଶୂନ୍ୟଗର୍ଭା ପୃଥିବୀର

ବିଚିତ୍ର ଅମ୍ବର । ଏବଂ ହାତ ପାଆନ୍ତାରେ

ମୁଠା ମୁଠା ବିକୃତ ଦୃଶ୍ୟର ଶୀର୍ଣ୍ଣ ମୂର୍ତ୍ତି ।

ଈଶ୍ୱରଙ୍କ ମୃତ୍ୟୁପରେ

ପ୍ରତ୍ୟେକଟି ଚିହ୍ନାଛକେ ଏକ ଏକ ପରିଚିତ ଭୀତି ।

 

ମୁଁ ନୁହେଁ କା’ର କିଛି । କେହି

ମୋର କିଛି ବି ନୁହନ୍ତି । ହତାଶାର ଚିତ୍ରପଟ

ଏକ ମୋ ମନର ଫଟା କାନ୍ଥେ ଦାନ୍ତ

ନିକୁଟୁଛି । ଏ ପୃଥିବୀ ସୁବିସ୍ତୃତ ନାଚଖାନା ।

ଆମେ ସବୁ ମୁଖା ପିନ୍ଧା ପୁରୋହିତ; ଈଶ୍ୱରଙ୍କୁ

ହତ୍ୟାକରି ଶ୍ରାଦ୍ଧ ବାଢ଼ୁଅଛୁ ।

କା’ର ସ୍ୱାମୀ ବା ପ୍ରେମିକ ସାଜି

ମଧ୍ୟ ବୟସରେ ଦୁଃଖ ଭୋଗୁଅଛୁ ।

—୦—

 

ଜୀବନ ଦର୍ଶନ

 

ବ୍ୟଥାର ମୁକୁଟ ପିନ୍ଧି ମୋ ଶିରରେ ମୋ

ଦେହରେ ବ୍ୟାଧିର ଦରଜ ନେଇ ମୁଁ ଫେରି

ଆସିଚି, କଦମ୍ୱ ବନରୁ ଗୋଟିଏ ବି

ଫୁଲ ମୋର ଚାଙ୍ଗୁଡ଼ିରେ ନାଇଁ ।

 

ଚତୁର୍ଦ୍ଦିଗେ ଦୀର୍ଘଶ୍ୱାସ । ମୋ ଦେହରେ ଅଣଚାଶ

ଝଡ଼ ଓ ବତାସ । ମୋ ଶବକୁ କାନ୍ଧରେ ବୁହାଇ

ନେଇ ଫିଙ୍ଗେ କିଏ ଆକାଶ ନୀଳ ନୀଳ ସୋରିଷ

ବଣରେ । କିମ୍ପା ମୋ ନାମରେ ଏତେ ବେନାମୀ

ନୋଟିସ ହାତେ ସମୟର ଡାକବାଲା ହାତେ ଅବେଳାରେ ।।

 

ମୋ’ ବୋଉ ପେଟରେ ମୋର ଧନ କି ଢଙ୍ଗରେ ।

ମଜଗୁଲ ରହିଥିଲା ଶରଧା ବାଲିରେ ଗଡ଼ି ମନଇଚ୍ଛା

ସ୍ୱର୍ଗକୁ ଯିବାକୁ । ନିଜ ଛାଇ ନିଜେ ଦେଖି ମନେ ମନେ

ତନ୍ମୟ ହେବାକୁ । କିଏ ସେ ଫୁଙ୍କିଲା ଶଙ୍ଖ ?

ମୁଁ କିମ୍ପା ଆସିଲି ଧାଇଁ ରକ୍ତନାଡ଼ ଛିଣ୍ଡାଇ ଛିଣ୍ଡାଇ

ଚାରଣ ଫଳକୁ ଖାଇ କି କର୍ମରେ ଘାଣ୍ଟି ହେଲି

କୁହ ହେ ଗୋସାଇଁ ।

 

ନିର୍ଲଜ୍ଜ ନାରୀଙ୍କ ପରି ଶତାବ୍ଦୀର ନିସ୍ତବ୍ଧ

ରାତିରେ ମୋ ରକ୍ତର କୋଠରିକୁ ଉତ୍ତେଜିତ

କରି ମୁଁ ଲେଖୁଛି ମଣିଷର ଇତିହାସ କଦମ୍ୱ

ବନରୁ କଳିଯୁଗ ଯାଏଁ ମୋ ଅସ୍ଥିରେ ପ୍ରଣୟର

ସାନାଇ ବଜାଇ । ମୁଁ ଅଥର୍ବ ଆଜି । ମୋ ମନରେ

ଦୟାମାୟା ନାହିଁ । ମୋ ରକ୍ତରେ ଲକ୍ଷେ ସୂରୁଜର ଜ୍ୟୋତି

ମୋ ସାମ୍ରାଜ୍ୟ ଭୁଶୁଡ଼ି ପଡ଼ୁଛି କି ବିକଳ ଦୃଶ୍ୟରେ ।

ଲୁଣଖିଆ ଫଟା ହାଣ୍ଡିପରି ମୋ ଦେହର ମୁଦା

କୋଠରିରୁ ପଳ ପଳ ମାଂସ କିଆଁ ଝରେ ? କିଆଁ

ମୋ ବ୍ୟଥାର ବନ ଢଳେ ଖାଲି ହା ହୁତାଶରେ ??

 

କେଉଁଠି ରଖିବି ପ୍ରଭୁ ମୋ ଅର୍ଜିତ ହୀରା ନୀଳା

ଐଶ୍ୱର୍ଯ୍ୟ ଦ୍ୱୀପକୁ । କେଉଁଠି ଥୋଇବି କୁହ

ପିତୃଲୋକମାନଙ୍କର ଗଚ୍ଛିତ କୀର୍ତ୍ତିକୁ । ଶକୁନିର ଡଙ୍ଗା ଭାସେ

ମୋ’ ଓଠର ଅତଳ ଜଳରେ, ମୋର ପିନ୍ଧା ଲୁଗା ସବୁ

ଫିଟିପଡ଼େ ଦୁଃଶାସନ ହଟ ଚମକରେ ।

ମୋ’ ଦେହରେ ବ୍ୟାଧିର ଦରଜ ନେଇ ମୁଁ ଫେରିଆସିଛି

ପ୍ରଭୁ, କଦମ୍ୱ ବନରୁ ଗୋଟିଏ ବି ଫୁଲ ମୋର

ଚାଙ୍ଗୁଡ଼ିରେ ନାହିଁ ।

 

କେତେକାଳ ଶୂନ୍ୟରେ ଝୁଲିବା

 

ଶୂନ୍ୟରେ ଝୁଲିବା ଆଉ କେତେକାଳ

କେତେକାଳ ମର୍ଯ୍ୟାଦାର ଭଙ୍ଗାବାଡ଼ି ହାତେ ଧରି

ବ୍ୟକ୍ତିତ୍ୱର ମୂଲ୍ୟହ୍ରାସ ସତ୍ତ୍ୱେ ଚତୁର୍ଦ୍ଦିଗେ ପୁଞ୍ଜା ପୁଞ୍ଜା

ଶୂନ୍ୟତାର ଶାମୁକା ଓ ନିରର୍ଥକ ଭାବନାର ଓଦାକାନ୍ଥ

ଶେଥାଓଠେ ଭୟଙ୍କର ଶବଦମାନଙ୍କର ବେଶଭୂଷା

ନଗର କୀର୍ତ୍ତନ ଅଦ୍‍ଭୂତ ଅସ୍ଥିରତା ଓ ସାମ୍‍ନା ସାମ୍‍ନି

ଯେତେ ଚିହ୍ନା ମୁହଁ ସେତିକି ବିରକ୍ତିକର ନୀରବତା

ଧୂସର ଇଲାକା ଏବଂ ଦିଗନ୍ତର ବର୍ଣ୍ଣହୀନ ଜହ୍ନ

ପୃଥିବୀ ପୃଥିବୀ ବ୍ୟାପୀ

କଳା କଳା ଲମ୍ୱାହାତ ଖୋଲା ଝର୍କା ଭଙ୍ଗା ଦର୍ପଣର

ଛାଇ ଦୀର୍ଘକାଳ ଅପେକ୍ଷାରେ ନୀରବ ମୁହୂର୍ତ୍ତମାନ

ପୋଡ଼ୁହୋଇ ଗଡ଼ଛନ୍ତି କେମନ୍ତେ ଗୋସାଇଁ;

 

କେତେ ଆଉ ନିଛାଟିଆ ଜଙ୍ଗଲରେ

ଏକା ଏକା ଠିଆହୋଇ ଚାରିଆଡ଼େ ଚାହୁଁଥିବି

ଦୃଶ୍ୟ ଦେଖି ତନ୍ମୟ ହୋଇବି ନିଜ ସାଥେ ବାଜିମାରି

ଶୂନ୍ୟତାର ସିଢ଼ି ଗଣୁଥିବି

ଶୂନ୍ୟତା ମୋ ଆଗେ ଅଗେ କୁନିପାଦ ଥୋଇ ପଛକୁ

ଚାହୁଁଚି ମୋ ପଛରେ ଶୂନ୍ୟତାର କଳାଛାଇ ଲମ୍ୱି ଲମ୍ୱି

ଦୀର୍ଘ ହେଉଅଛି କେମନ୍ତେ ମୁଁ ନିରେଖିବି ମୋ ନିଜର

ଶକ୍ତି ଦମ୍ଭ ବିରାଟ ବୃତ୍ତରେ ଏକା ଏକା ଦାୟିତ୍ୱର

ବୋଝ ବୋହି ଆତ୍ମଜ୍ଞ ପୁରୁଷପରି ତତ୍ତ୍ଵବାର୍ତ୍ତା ପ୍ରଚାରିବି

"ସ୍ତ୍ରୀ ପୁତ୍ର ସଖାଦ୍ୱାରା ନିମିତ୍ତ ମାତର

କିଏ ବା ନିଜର ଏଠି କିଏ ପର କିଏ ଆପଣାର ।"

—୦—

 

ହଠାତ ବସନ୍ତ

 

ବସନ୍ତ ଯାଇଚି ଚାଲି

ଚେତନାର ସହରରେ ବିବେକ ପୁରୁଷ ଶୁଏ

ଗହମ ନିଦରେ । ଆକାଶରେ ଜହ୍ନନାହିଁ । ତାରା ଖାଲି

ତାରାର ରୋଷଣୀ । ମୋ ମନର ଅରଣ୍ୟରେ ବାଟଘାଟ

ଭୁଲି ମୁଁ ବୁଲୁଚି ଯୋଗୀ ଅବା ଯାଯାବର ପରି

ବସନ୍ତ ଯାଇଚି ଚାଲି

ସ୍ମୃତି ସବୁ ଫିକା ପଡ଼ିଲାଣି ।

 

ବସନ୍ତ ଆସିବ ଯିବ । ଯିବ ଆଉ ପୁଣି ବି ଆସିବ ।

ତଥାପି ଏ ବସନ୍ତର ସୁଅରେ ପହଁରି

ମୁଁ ଲାଗିଲି ତମ ମନ ଯମୁନାର କୂଳେ ।

ତମରି ବାଳକୁ ଦେଲି ପନିଆରେ ଯତନେ କୁଣ୍ଡାଇ

ତମ ସାଙ୍ଗେ ଲୁଚିଛପି ସିନେମା ବି ଗଲି (ସ୍ମୃତି ସବୁ ଝାପସା

ଦିଶିଲାଣି ଯଦିଓ ବା ଏ ବସନ୍ତ ବିଧବା ହେଲାଣି ।)

ଯଦିଓ ବା ଏ ବସନ୍ତ ମୋପାଇଁ ସବୁଠାରୁ

ଦାରୁଣ ଯନ୍ତ୍ରଣା । ଏ ବସନ୍ତେ ମୋ ମନର

ଅଗଣାରେ ଫୁଲ ଝରୁନାଇଁ । ମୁଁ ମରୁଚି

ଜଳିପୋଡ଼ି ମୋ ମନର କୁଢ଼ କୁଢ଼ ଦୁଃଖ ଯନ୍ତ୍ରଣାରେ

ମୁଁ ସଢ଼ୁଚି ରୋଗ ବାତ କଫ ପୀତ ଅଶେଷ ଜ୍ୱାଳାରେ ।

 

ମୋ ଭାଗ୍ୟ ଖରାପ ଭାରି

ମୋ ରାଶିର ଶନି ଦଶା ଅଛି ।

ରାହୁଗ୍ରସ୍ତ ଚନ୍ଦ୍ରପରି ମୁଁ ଜଳୁଚି ମୁଠା ମୁଠା

ଜହ୍ନ ଆଲୁଅରେ ।

 

ମୁଁ ଦିନେ ଜାଣିଥିଲି

ଯଦି ବା ମୁଁ ମରିଯାଏ

ତମ ମନୁ ଅନ୍ତର୍ଧ୍ୟାନ ହୁଏ । ତମେ

କେବେ କାନ୍ଦିବନି ଆକାଶ ଓ

ପୃଥିବୀ କମ୍ପାଇ । ତମେ କେବେ ଭୋଗିବନି

ବୈଧବ୍ୟ ଯନ୍ତ୍ରଣା । ତମେ ପୁଣି ବୋହୂ ବେଶେ

ବୁଲିଯିବ ଏ ସାହିରୁ ଉପର ସାହିକୁ

ତମ ଘରୁ ପଡ଼ିଶା ଘରକୁ । ତମେ ନିଶ୍ଚେ

ଭୁଲିଯିବ ଏ ବସନ୍ତେ ଅତୀତକୁ । ଦୁଃସ୍ଥ ଅତୀତକୁ ।

 

"ବସନ୍ତରେ ତୋର ପାଶେ ମୁଁ

ଅବା କି ଦୋଷ କରିଲି । ତୋ

ଆଖିର କାଚ ବାଡ଼ ଭାଙ୍ଗିଗଲେ ତୁ

ଦେଖିବୁ ମୁଁ କେମିତି ଦିନ ରାତି

ଜଳୁଅଛି ଜଳନ୍ତା ନିଆଁରେ ।

ବସନ୍ତରେ ।

ତତେ ମୋର ସପ୍ତପୁରୁଷଙ୍କ ରାଣ

ଦୋଷ ତା’ର ଧରିବୁନି ।

କୁନି ଝିଅଟିଏ । ତା’ ଆଗେ

କହିବୁନି ମୁଁ କେମିତି ସମୟ କାଟୁଚି

ରାକ୍ଷସୀ ମେଳରେ । ଭିଜା ଭିଜା

ସ୍ମୃତିଙ୍କର ଗହଳ ଡାଳରେ ।

ବସନ୍ତରେ । ତତେ ମୋ ରାଣ

ତତେ ମୋ କୋଟି କୋଟି ପିତୃପୁରୁଷଙ୍କ ରାଣ ।

—୦—

 

ଅସଫଳ ସ୍ୱପ୍ନ ସମ୍ପର୍କରେ

 

ଆହା ମୋର ବିପର୍ଯ୍ୟସ୍ତ ବୟସର ଫିକାଳିଆ

ରଙ୍ଗ । କେଉଁ ମାଲୁଣୀର ସଙ୍ଗେ ପଡ଼ିଥିଲା ତୋହର

ପ୍ରସଙ୍ଗ । କେଉଁ ରାଇଜରୁ ଅବା ଆଣିଥିଲୁ ଏତେ ବେଶି

ପ୍ରୀତିର ମହୁଲ । ଅଷ୍ଟମିର ଜହ୍ନ ପରି

ଯାହା ଦିଶେ ସ୍ୱଚ୍ଛ ନିରିମଳ ।

 

ପଚିଶ ବର୍ଷର ସ୍ୱପ୍ନ ଯନ୍ତ୍ରଣାରେ

ହୁଏ କଲବଲ । ଅବା ସେ ମାଲୁଣୀଟିର

ଗୋରା ତକତକ ଗାଲ । ୫ବର୍ଷରେ

ଯାହା ଦିଶେ ସୂର୍ଯ୍ୟାସ୍ତରେ ସତେଜ ମାର୍ବଲ ।

 

ସ୍ମୃତିରେ ହଜାରେ ଗନ୍ଧ

ସେ ଗନ୍ଧରେ ମାଦକତା ନାଇଁ

ସତେ କି ମୃତ୍ୟୁ ଆସୁଚି ଚତୁର୍ଦିଗେ

ବାସ ଚହଟାଇ, କେଉଁ ଗହଳିରେ

ଏହା ବାଟହୁଡ଼ି ଗଲୁ ମୋର ଧନ ।

ତୋ’ ଦେହ ବୃନ୍ଦାବନ ମନ ତୋ’ର

ପବନ ନନ୍ଦନ । ମାଂସର ଦହନ ଖାଲି

ଦେହର ଦହନ ।

ପ୍ରେମ ସେଠି ମିଳେ ନାଇଁ ଆରେ ବାୟାମନ ।

 

ସେ ନର୍କର ଗଳି ଟପି

ବେଗେ ବେଗେ ଚାଲିଆ ମୋ ଧନ

ଅନାଇ ବସିଚି ଏଣେ ତୋ ନିମନ୍ତେ

ପ୍ରଭୁ ଜନାର୍ଦନ ।

ବିପଦ ଭଞ୍ଜନ ।

ତାଙ୍କ ପଦ ପାଦତଳେ ଢାଳିଦେ’ତୁ

ତୋ ଅର୍ଜିତ ଯେତେ ଯେତେ ମୂଢ଼ କର୍ମ ମାନ ।

—୦—

 

ଏକ ନାମଜାଦା ସହରର ଶୋଭାଯାତ୍ରା ପ୍ରତି

 

ଇଏ କି ନଗର ଦେଖ

ଏଠି ଖାଲି ପୁଞ୍ଜା ପୁଞ୍ଜା ଗାଡ଼ି ଘୋଡ଼ା

ଗଛବୃଛ କୋଠାବାଡ଼ି ମଟର ସ୍କୁଟର ଏବଂ

ଦି’ ଚକିଆ ଯାନ । ଏଠାରେ ନାହାନ୍ତି କେହି

ଜଣେହେଲେ ଆତ୍ମୀୟ ସ୍ୱଜନ

ଯେ କି ଅନ୍ଧାରରେ ହାତଧରି ଓଟାରିବେ

ଗହଳିଆ ଯାତ ପଡ଼ିଆକୁ । ଯେଉଁଠି ମାସକର

ପାପକୁ ବିକ୍ରିକରି ବଜାରର ଚୁଡ଼ି ଦୋକାନରେ

ସତୀଏ ସିନ୍ଦୂର ମାଖି କପାଳରେ

ପିନ୍ଧାଲୁଗା ମଖାଳନ୍ତି କଟକର ଅସତୀ ଘାଟରେ ।

 

କଟକ ନଗର ଆହାଃ ଫାଟିପଡ଼େ

ମୁଠା ମୁଠା ଚାପା ନିଃଶ୍ଵାସରେ । ଯେଣେ ଚାହଁ

ତେଣେ ଅଶ୍ଳୀଳ ରେଖାମାନଙ୍କ ହାତଠରା

ଆଖିମରା ଭାବ । ବର୍ଧିତ ସ୍ତନମାନଙ୍କ ଖାପ ଛଡ଼ା ଶୋଭାଯାତ୍ରା

ଲୁଙ୍ଗିନୀ ନାରୀଙ୍କ କେତେ ବୁଝା ଓ ଅବୁଝା ଭାବ

କଟକର ଚଣ୍ଡିଛକେ ଭାବବିନୋଦିଆ ଠିଆହୋଇ

ଲଗାଇଚି କେତେ ଲୀଳା ଭଙ୍ଗ ।

 

ମୋର ବା ବୟସ କେତେ ବୁଝିବାକୁ

ସେମାନଙ୍କ ଭଲମନ୍ଦ ସୁଖ ଦୁଃଖ କଥା

ମୋର ବା ବୟସ କେତେ ଯୁଝିବାକୁ

ରକ୍ତ ମାଂସ ବଳ ବୀର୍ଯ୍ୟ ଗାଥା । ଅନାଥ ଶିଶୁଙ୍କ

ପରି ମୁଁ ତ ମୋର ବଢ଼ୁଅଛି ବାରଘର ଶୁଣ୍ଢି ପିଣ୍ଡା

ବୁଲି । କିଏ ବା ବୁଝୁଚି କା’ର ଭାବ ଓ ଅଭାବ

ସହରର ଗହଳି ମୋଡ଼ରେ ହିପ୍‍ପୀୟ ଯୌନଚିନ୍ତା

ମତେ କାବୁ କରି ମୋର ଦୁଇ ପୁଙ୍ଗୁଳା ପାଦକୁ

ଭିଡ଼ୁଛନ୍ତି ନର୍କର ଗଳିକୁ । ଗଳି ବା ବୁଝିବୁ କାହୁଁ

ମୁଁ କେମିତି ଅନ୍ଧାରରେ ବିଳିବିଳି ହେଉଅଛି ମୁକ୍ତି ପାଇବାକୁ ।

 

କେତେ ବା ସମୟ ଆଉ ମୋ ହାତରେ ବାକିଅଛି ଦେଖିବାକୁ

ସେମାନଙ୍କ ଦେଖାଶିଖା ଭାବ । ଓଠଚାପା ଅଭଦ୍ର ଇସାରା ଦେଖି

ଟକମକ ଫୁଟୁଅଛି ମୋ ରକ୍ତରେ କା’ର ପ୍ରତିବିମ୍ୱ ।

ସ୍ମୃତିଏ ଓଟାରି ନେଇ ମତେ ଶିଖାଇଲେ କେତେ ଯେ ସୁଆଙ୍ଗ ।

ସୁଆଙ୍ଗ ସରିଲେ ବୁଦ୍ଧି ମୋର ହଜିଯିବ ମୁଁ ହୁଏତ ନିଜକୁ ପଚାରି

ପ୍ରଶ୍ନ ହେତୁଥିବି ବିଗତ ସ୍ମୃତିକୁ । ବାର ହାତ ଖଣ୍ଡା ଖୋଳ ବୋହି ବୋହି

ମୋ ଆୟୁକୁ କ୍ଷୟ କରୁଥିବି । ଏ ସହରରୁ ଗାଡ଼ି ଘୋଡ଼ା ପାଲିଙ୍କି

ସବାରିର ଶୋଭାଯାତ୍ରା ଯାଉଥିବ ଖାନ୍‍ନଗର ମଶାଣିପଦାକୁ ।

ଅଣ୍ଟାରେ ଗାମୁଛା ଭିଡ଼ି ଟିକିପିଲା ମେଳେ ଧାଉଁଥିବି ଶୋଭାଯାତ୍ରା ପଛେ ପଛେ

ନିଜେ ଜଳି ଅର୍ଖିତ ହେବାକୁ ।

—୦—

 

ଜନ୍ମଦିନ

 

ଆଜି ତା’ର ଜନ୍ମଦିନ

ଆମ ଗାଁ ଆକାଶରେ

ବିଖଣ୍ଡିତ ଜହ୍ନ ।

 

ଜନ୍ମଦିନେ ସ୍ମୃତିଏ ଦିଅନ୍ତି ମୋ

ଆଖିର ଝୁଲନ୍ତ ଡାଳରେ । ଶାଖାରେ ପ୍ରଶାଖାରେ ।

ରକ୍ତର ନଦୀରେ ଭାସିଉଠେ

ହାରେମ୍‍ର ଜହ୍ନ ।

ଜନ୍ମଦିନ

ଆହା; ସ୍ମୃତିର ଏ ଦିନ ।

 

ତା’ ବୟସ ଚାହୁଁ ଚାହୁଁ ଉଣେଇଶ ହେଲା

ଲୁହ ଛଳ ଛଳ ଆଖିକରି ରୋଗଣା ମୁହଁକୁ

ମା’ ତା’ର ନିରେଖି ଦେଖିଲା ।

 

ସ୍ୱପ୍ନସବୁ ସ୍ମୃତି ହୋଇ ଜନ୍ମଦିନେ ଭାସୁଥିଲେ

ଅଥଳ ଜଳରେ । ଝର୍କାବାଟେ ମୁହଁ ଗୁଞ୍ଜି

ସେ କେଉଁ ବାଟହଜା ଚଢ଼େଇ ଛୁଆର

ସ୍ୱର ଶୁଣୁଥିଲା ।

ଜନ୍ମଦିନେ କିଏ ତା’ର ମଲା ଶରୀରକୁ

ଗୋଗଛବାଡ଼ିଆ କଲା ।

 

ଆଜି ତା’ର ଜନ୍ମଦିନ

ଆଜି ମୋର ଯନ୍ତ୍ରଣାର ଦିନ ।

ତା’ କପାଳେ ଲେପିଦିଅ ଟିପି ଟିପି

ଅଗୁରୁ ଚନ୍ଦନ । ତା’ ମନର ଫିକା ଆକାଶରେ

ଉଇଁଉଠୁ ଇଦର ଜହ୍ନ ।

ଜନ୍ମଦିନ ।

ଏହା ମୋର ଯନ୍ତ୍ରଣାର ଦିନ ।

—୦—

 

ଅସତ୍ୟ ସହର

 

କେତେଦିନ ସମୁଦ୍ରକୂଳରେ ଆଉ ବସିଥିବି

ନିରିମାଖି ଜନପରି ପାଣି ମୁନ୍ଦେପାଇଁ ।

କେତେ ଆଉ ଜଳକାଙ୍କ ପରି ତୋ’ ମୁହଁକୁ

ଦେଖୁଥିବି ତା’ ବେକରେ ସାପ ପରି ଛନ୍ଦି

ହୋଇଥିବି ତା’ ଦେହରେ ସବୁତକ ବଳ ଖର୍ଚ୍ଚ

କରି ମିଶିଯିବି ବିକଳାଙ୍କ ପରି ।

 

ତା’ପରେ ଆସିବା ବେଳ

ହୋଇଗଲେ ଗଙ୍ଗାଜଳେ ଶୌଚକରି ଧୋବ

ଲୁଗା ପିନ୍ଧି ଶ୍ରୀମନ୍ଦିର ଖଞ୍ଜଣି ବାଦନ

କରି ମୁଁ ନିର୍ବୋଧ ମୋ ମୁହଁକୁ ନିରେଖି

ଦେଖିବି । ମୋ ରକ୍ତକୁ ଟିକିନିଖି ପରୀକ୍ଷା କରିଚି ।

 

ଅସତ୍ୟ ଏ ସହରରେ

ଘର ଏଠି ନିତି ନିତି ଜଳେ

ଆକାଶରୁ ରକ୍ତବର୍ଷା ଝରେ । ସମୁଦ୍ର ଦେହରେ

ନିଆଁ ଜଳେ; କିମ୍ପା ଏ ନିଆଁର ଏତେ ଖେଳ

 

 

ଜମେ ତମ ଦେହେ, ମୋ ଦେହେ, ଏବଂ ଆମ

ସଭିଙ୍କ ଦେହରେ ।

 

ତା’ପରେ ଅନ୍ଧାର ଆସେ

ଘୁଡ଼ୁଘୁଡ଼ୁ ଶବଦ କରି ରାସ୍ତା ଓ ସହର ସବୁ

ଅନ୍ଧାରରେ ପ୍ରେତପରି ନାଚେ ।

ତା’ପରେ ଆସିବ ବେଳ

ଚାରିଆଡେ ଘୁଙ୍ଗାପରି ଅନାଇବା ବେଳ ।

 

କେଉଁ ଦିଗେ କିଛି ନାହିଁ

ଗୋଡ଼ି ନାହିଁ, ଘୋଡ଼ା ନାହିଁ, ଦେହ ନାହିଁ

ମନ ନାହିଁ, ସୁଖ, ଶାନ୍ତି ଡରଭୟ

ଏତେ ଟିକେ ନାହିଁ ।

 

ମୁଁ ତଥାପି ସମୁଦ୍ରକୂଳରେ ବସି

ଢେଉ ଗଣୁଅଛି । ଏକପାଖେ ଅଗ୍ନି

ଜାଳି ଅନ୍ୟ ପାଖେ ବୈଶ୍ଵାନର ସାଜି

ଏକଦିଗେ ଶ୍ଵାନପରି ଜିଭ କାଢ଼ି

ଅନ୍ୟ ଦିଗେ ଧନୁଶର ଧରି ତା’ ବାଟକୁ

ଅନେଇବି କାଳେ ମୋତେ ଠକିଦେଇ

ଚାଲିଯିବ ହରିଣୀଟି ଘନ ବନାନୀକୁ

କାଳେ ମତେ ଲାଞ୍ଚ ଦେଇ ଠକି ଦେବେ

ଉତ୍କଳୀୟ କଳବର୍ଗେଶ୍ଵର । ବିରାଧି ବିରାଟ

ଶ୍ରୀ ଶ୍ରୀ ଶ୍ରୀ ମହାବାହୁ ବଳିୟାରେଶ୍ଵର ।

 

ତା’ର ସ୍ମୃତି ଶବପରି ପଡ଼ିଅଛି ମୋ

ଶେଯରେ ଯଦିବା ସେ ମୋଠାରୁ ଅନନ୍ତ ଦୂରରେ

ମୋର ପିନ୍ଧା ଲୁଗାସବୁ କି କାରଣେ ମାଡ଼ିମକଚି

ହୋଇ ଭିଜୁଅଛି ବର୍ଷାଝର ଆକାଶର ଲୋହିତ ଜଳରେ ।

ଯଦିବା ହାତରେ ଅଛି ବେଳ ତୋର,

କୁମରରେ ପଚାର ପଚାର ତାକୁ କେଉଁଠି ସେ

ରଖିଅଛି ପଞ୍ଜୁରୀର ପକ୍ଷୀଟିକୁ ? ତା’ ଦେହର ଫୁଲ

ବଗିଚାକୁ ? କେଉଁଠି ବା ରଖିଅଛ ମଣି ମୁକ୍ତା ବିମଣ୍ଡିତ ସ୍ମୃତିର ହାରକୁ ?"

 

ଅସତ୍ୟ ଏ ସହରରେ

ଫୁଲ ସବୁ ବର୍ଷାପରି ଝରେ

କଫି ରଙ୍ଗ ପରି ସହରଟା ଭୟଙ୍କର ଦିଶେ

ତା’ପରେ ଅନ୍ଧାର ଆସେ ବନ୍ୟ ଜନ୍ତୁପରି

ମୁଁ ତାକୁ ଜାବୁଡ଼ି ଧରେ ଶିଶୁପରି

 

ଆବଶ୍ୟକ ମନେକଲେ ଶକ୍ତି ବି ପ୍ରୟୋଗ କରେ

ଯେହେତୁ; ସେ ମୋଠାରୁ ଦୂରେଇ ଗଲେ

ବରଫ ଜମାଟ ବାନ୍ଧେ ମୋ ରକ୍ତରେ ।

ଯେହେତୁ; ମୋଠାରୁ ପୃଥକ ହେଲେ

ମୋ ଦେହର ପ୍ରତ୍ୟେକ ଗଣ୍ଠିରେ ଦର୍ଜ ବଢ଼େ

ଏବଂ ଦର୍ଜ ବଢ଼େ ମୋ ଅସ୍ଥିରେ, ମୋ ରକ୍ତରେ

ମୋ ସ୍ନାୟୁର ପ୍ରତ୍ୟେକ ସହରେ ।।

—୦—

 

ସାଲୁର

 

ତା’ ଆଖିର ଲୁଣି ଲୁହ

ଟପ୍‍ଟପ୍ ଝରିପଡ଼େ

ସକାଳ କୁହୁଡ଼ିପରି

ସାଲୁର ଘାଟିରେ;

 

ତା’ ଉଚ୍ଚାଟ ନିଃଶ୍ୱାସେ

କେତେ ଯନ୍ତ୍ରଣା; ନର୍କର

କେତେ ବିରହ; ସମୟର

ସମୟର

ନର୍କର

ଯନ୍ତ୍ରଣାର

ଗ୍ଲାନି ଓ ପରାଜୟର

କେତେ କେତେ ଦୀର୍ଘଶ୍ୱାସ

ତା’ ରୂପରେ ଅରୂପର

ପ୍ରଥମ ଆଭାସ ।।

—୦—

 

ମୃତ୍ୟୁ

 

ପବନରେ ଚାପା ସ୍ୱର

ଡହଳ ବିକଳ ଅଞ୍ଚର ।

 

ଛାଇପରି ଗୋଡ଼େ ଗୋଡ଼େ ଜଗିବସେ

ଟିକକ କଥାରେ

ରାଗ ରୁଷା, ମୁହଁ ଫୁଲା ଭୁଲ୍ ବୁଝାମଣା

କେତେ ଦୂର ବ୍ୟାପୀ ଲମ୍ୱିଅଛି ତାଙ୍କରି ପ୍ରଗଣା ।

 

ପବନରେ ସ୍ୱର ଶୁଭେ

ସତେ କି ଆସିବ ଫୁଲଡ଼ାଲା ଧରି

ବାଣମାରି ସାଆନ୍ତିଆ ପଟୁଆର ଧରି

ଯୋଜନ ଯୋଜନ ବାସ୍ନା ଛୁଟୁଥିବ

ଗାଁ ଲୋକେ ଚିର୍‍ଚିରେଇ ପକାଇବେ ହୁରି ।

 

କିଏ ସେ ଅତିଥି ? କେଉଁ ନବାଗତ ?

କେଉଁଠି ବା ତାଙ୍କ ଘର

କେତେ ଆଡ଼ମ୍ୱରେ ତାଙ୍କୁ

 

 

ପାଛୋଟି ଆଣନ୍ତି ମଇଁଷି ଉପରେ ବସି

ଲୋଭି ସୌଦାଗର ।

 

ଚାରିଆଡ଼େ ଅଣ୍ଡାକୃତି ତୋରଣ

ନାଲି ନେଳି ସବୁଜ ପତାକା ଉଡ଼େ

ଫର ଫର । ଅତିଥି ଆସିବେ ନିଶ୍ଚେ

ସମୟ ରଥରେ ବସି ସଅଳ ସଅଳ ।

ଏତେ ଦୁଃଖ କାହିଁପାଇଁ;

କା’ର ବହପ ଅଛି ଅଣ୍ଟାରେ

ଗାମୁଛା ଭିଡ଼ି ବାଟ ଓଗାଳିବ । ଏ ରାସ୍ତାରେ

ଦଉଡ଼ି ବାନ୍ଧି ବଜ୍ଜାତ ଟୋକାଙ୍କ ପରି ହିନସ୍ତା କରିବ ।

 

କାହିଁକି ବା ଏତେ ଖାଲି ହାଇଁପାଇଁ

ଭାବ । ଅତିଥିଙ୍କ ଆଗମନେ ତଣ୍ଟି ଅଠା ଅଠା

ଓ ପଞ୍ଜାବିରେ ଲାଗିଅଛି ଛିଟା ରକ୍ତଦାଗ ।

କିଏ ସେ ଅତିଥି;

କେଉଁ ନବାଗତ ।

—୦—

 

ରାସ୍ତା

 

ଅନେକ ବିଚ୍ଛେଦ ପରେ ଦେଖିଲି ମୋ ମିତଣୀକୁ

ଭୁବନେଶ୍ୱରରେ । ପକ୍‍କା ସଡ଼କର ଜରିଦିଆ ଫୁଟ୍‍ପାଥ ପରେ

ଯେଉଁଠି ନିଇତି ଫୁଟେ ହରରଙ୍ଗୀ ଫୁଲ ଆଉ ଫୁଲ

ଝରେ ନର୍ଦମାରେ । ଭଙ୍ଗା ଗୋଲାପରେ । ଯେଉଁଠି ନିଇତି

ଦେଖେ ମିତଣୀକୁ କଳା, ଧଳା, ନୀଳ ଅବା ସବୁଜ ଶାଢ଼ିରେ ।

 

ମିତଣି ଲୋ;

ପ୍ରେମ ସିନା ଶେଷ ହେଲା ସହରର ଉଠାଣି ରାସ୍ତାରେ ।

ସବୁକଥା ମିଛହେଲା । ପୀରତିରେ ସିନା ଆମ ଡୋରି ବନ୍ଧା ହେଲା ।

ତତେ ମୁଁ କି ମାଗୁଥିଲି ଟଙ୍କା, ସୁନା, ହାତୀ, ଘୋଡ଼ା ଅବା

କିଛି ଦାମିକା ଦରବ । ତତେ ମୁଁ କି ଖୋଜୁଥିଲି ଖରାବେଳେ

ଅବା କେଉଁଠାରେ ଅବା

କେଉଁ ନିଶବଦ ନିଥର ବେଳାରେ ।

 

ନ ହେଉ ନ ହେଉ ଦେଖା ଯଦିଓ ବା ମୋ

ମିତଣୀ ପିଲାଲୋକ । ଭଲ ମନ୍ଦ ସତ ମିଛ

ଜାଣି ପାରୁନାହିଁ । ନ କହୁ ନ କହୁ କଥା ମୋ ମିତଣୀ

ଯଦିଓ ବା କଳିହୁଡ଼ି ଘରଭଙ୍ଗି ହୁଣ୍ଡି ଝିଅଟିଏ ।

ଭୁଲ୍ ତ ମଣିଷ କରେ ସେଥିରେ ବା’ ଯା’ଆସ କେତେ ।

ପ୍ରେମ ପରେ ଦେଖାଚାହାଁ । ଶେଷ ହୁଏ

ସେଥିରେ ବା ଯା’ ଆସ କେତେ ।

 

କେହି ଯଦି ମରିଯାଏ ଲୋ ମିତଣୀ;

ଯଦି କା’ର ମଲାର ଖବର ପବନରେ ଡେଇଁ ଡେଇଁ

ଅକସ୍ମାତ୍ କାହା ପାଖେ ବଜ୍ରପରି ପହଞ୍ଚିବା ଯାଏ । ଯଦି କେହି

କାହାପାଇଁ ନାଉତୁମ୍ୱା ହାତେ

ଧରି ପୃଥିବୀକୁ ପରିକ୍ରମା କରେ । ସେଥିରେ ଶୋଚନା

ନାହିଁ । ଲୁହ ଢାଳି କାନ୍ଦିବାକୁ ସମୟ ବି ନାହିଁ । ଗଲା ପୁତ୍ର

ଆଉ ଜମା ବାହୁଡ଼ି ଆସିବ ନାହିଁ । ମିତଣୀ ଲୋ; ଅକାରଣେ

ମନ କଷ୍ଟ କରି ଲାଭ ନାହିଁ, ଲାଭ ନହିଁ, ଲାଭ ନାହିଁ ।

 

ଏ ପୃଥିବୀ କଳାମେଘ

ପ୍ରେମ ଏଠି ବିଜୁଳି ବା’ ତୋ ଶାଢ଼ିର ଫିକାଳିଆ

ରଙ୍ଗ । ଦେହ ଏଠି ମହାବଳ, ମନ ଯାହା ମିଞ୍ଜି ମିଞ୍ଜି

ତାରାର ଆଲୁଅ । ଚିଠିପତ୍ର ଦିଆ ନିଆ ନ ହେଉ ଲୋ

ସୁଖର ସଂସାର ଗଢ଼ି କାଚଘରେ ଦିନ ତୁ କାଟୁଥା

ରାକ୍ତ ମାଂସ ନ ମିଶୁ ଲୋ ଶାଢ଼ି, ଚୁଡ଼ି, ସିନ୍ଦୂର

ନାଇ ତୁ; ପରଘରେ ନିଜେ ଜଳି ଆଲୁଅ କରୁଥା ।

 

ଦେହ

 

ତା’ର ସତୀର୍ଥ କାମନା ମନ୍ଦିରେ

ମୁଁ ଏକ ବଂଶୀ ।

ମୁଁ ପୂଜକ; ବଡ଼ ପଣ୍ଡା

ତାଳିମାରି ପାଣି ଢାଳେ ଯୋଡ଼ା ଲିଙ୍ଗପରେ

ପବନ ବହୁଚି ଅଚିହ୍ନା ବ୍ୟାଧିପରି

ଅତି ଗୋପନରେ ।

 

ତା’ର ଦେହର ବଳୟରେ

ମୁଁ ଏକ ପ୍ରତାପୀ ସମ୍ରାଟ । ବଳାତ୍କାରେ ଦୁଃଶାସନ ସାଜେ

ଅନ୍ଧାର ରାତିରେ । ଆପାଦ ମସ୍ତକ ଛାଇଦିଏ

ଲକ୍ଷେ ପଦ୍ମଭାର ।

ପବନରେ ଡହଳ ବିକଳ ଭାବ

ଦେହ ଓ ମନର ।

 

ଦେହ ଦହନର ସୂତ୍ରଧାର

ଦେହହିଁ ରକ୍ତର ସ୍ଵାକ୍ଷର ।

—୦—

 

ପ୍ରଥମ ଦଲିଲ

 

ଶ୍ରାବଣର ଅର୍ଧ ରାତ୍ରେ ଝଡ଼ ନାଚେ ତ୍ରିସଙ୍କୁ ବେଳାରେ

ଲକ୍ଷେ ବିଜୁଳିର ଜ୍ୟୋତି ଫୁଟି ଦିଶେ ନୀଳ ନଭ ପରେ

ଜୀବନର ମହାମନ୍ତ୍ର ଜପି ଜପି ମୁଁ ଭଣ୍ଡ ସନ୍ନ୍ୟାସୀ

ଅର୍ଧରାତ୍ରେ ସ୍ୱପ୍ନାତୁର କାହିଁ ମୋର ମନର ମାନସୀ ?

 

ଝଡ଼ର ଗିଟାର ଧରି ପୂର୍ବଦିନ ସ୍ମୃତି ସବୁ ନାଚେ

ମହାଦ୍ରୁମ ଗଳିପଡ଼ି ଜୀବନର ମଧ୍ୟାହ୍ନ ପାହାଚେ

ଦୁର୍ଦ୍ଦାନ୍ତ ଶାର୍ଦ୍ଦୁଳ ପରି ମୁଁ ମୋର ଶକ୍ତି ଦେଖିନିଏ

କେତେ କ୍ଷୁଦ୍ର ମୋ ଇଲାକା ମୋ ଆୟରୁ କେତେ କ୍ଷୟ ହୁଏ ।

କେତେ ବା ରହିଲା ବାକି ଅବଶିଷ୍ଟ ମୁହୂର୍ତ୍ତ ପର୍ଯ୍ୟନ୍ତ

କାଳର କରାଳ ଗତି କିଏ ଜାଣେ ତା’ର ଆଦି ଅନ୍ତ ।

ଏମନ୍ତ ସମୟେ ଝଡ଼ ନାଚିଯାଏ ବାରଙ୍ଗନା ପରି

ମନର ବଗିଚା ପରେ ଅଣଚାଶ ପବନ ଉତାରି ।

ଝଡ଼ର ଝୁଲନ୍ତ ଡେଣା ଦୃଶ୍ୟ ହୁଏ ମୋ ଆଖି ପର୍ଦାରେ

ପୂର୍ବ ସ୍ମୃତି ମନେପଡ଼େ ଏ ଘରର କଡ଼ି ବର୍‍ଗା ତଳେ

ନିର୍ବୋଧ କୋବିଦ ସମ ମୋ ରକ୍ତରେ ମଶାଲ ଜଳାଇ

ମୋ ରାଜ୍ୟରେ ଆନ୍ଦୋଳନ, ଜୀବ ହତ୍ୟା ତୁର୍ଯ୍ୟନାଦ ଦେଇ

 

 

ମୁଁ ଖୋଜୁଚି ଐତିହ୍ୟକୁ, ମୋ ମନର ଆଦ୍ୟ ବସନ୍ତକୁ

ମୋ’ ରାଜ୍ୟର ଇଲାକାକୁ ଅବା କେଉଁ ସ୍ମୃତିର ହାରକୁ ।

 

ପ୍ରଥମ ବସନ୍ତେ ଆହା କିଏ ଆସି ଚାରା ଗୋପିଗଲା ।

କିଏ ମତେ ମୋହ କଲା ? ପ୍ରେମ ମନ୍ତ୍ର କିଏ ଶିଖାଇଲା ?

ଆଦ୍ୟ ଯୌବନରେ ତମେ କିମ୍ପା ମତେ ବିବସ୍ତ୍ର କରିଲ

ଆଖିରେ ଆଖିଏ ନିଶା ଭରି ମୋର ସର୍ବସ୍ୱ ଲୁଟିଲ

ଝଡ଼ର ଝୁଲନ୍ତା ଡେଣା ମୋ ରଥକୁ ଖଣ୍ଡ ଖଣ୍ଡ କରି

ବଞ୍ଚି ଥାଉ ଥାଉ କିମ୍ପା ମୋ ମାଂସକୁ ଓଟାରି ବିଦାରି

ଫିଙ୍ଗିଲା ଦୂର ନଗ୍ରକୁ ବିଲ, ବଣ ଅନ୍ଧାର ଗଳିକୁ

ଭାଙ୍ଗିଲା ମୋ ଦର୍ପ ଦମ୍ଭ, ଅଭିମାନ, ମାନବିକତାକୁ ।

 

ଅଦିନ ବତାସ ପରି ତମେ ଏହା ଗଲ ଉଡ଼ି ଉଡ଼ି

ସହରର ହୁଣ୍ଡାଟୋକା ଯେମିତିକା ଉଡ଼ାଏ ତା’ ଗୁଡ଼ି

ଭୁଲିଲଣି ସବୁକଥା ମତେ କରି ଅଯଥା ହିନସ୍ତା

ହଜିଲାଣି ବୁଦ୍ଧି ଜ୍ଞାନ ଦିଶୁନାହିଁ ଏ ଝଡ଼ରେ ରାସ୍ତା

ମେଘର ଜାହାଜ ଚଢ଼ି ତମେ ଗଲ ଚନ୍ଦ୍ରର ଦେଶକୁ

ରୂପର ରୋଷଣୀ ଜାଳି ଅନ୍ୟ ଘରେ ଦେହ ବିକିବାକୁ ।

 

 

ବିଜୁଳିର ଜରି ଶାଢ଼ି ଚିକିଚିକି ତାରାର ଆଲୁଅ,

ଆମେ କେତେ ଅସହାୟ; କେତେ ଅବା ଆମ ପରିଚୟ ।

 

ପରାଜିତ କରି ମତେ ଜୀବନର ମଝି ପାହାଚରେ

ଘୃଣାରେ ଫିଙ୍ଗିଲ କିମ୍ପା ଡହଡହ ଜଳନ୍ତା ନର୍କରେ

ମୋ ମନର ସବୁ ଆଶା ସବୁ ନିଶା ଚୂରମାର କରି

ଲୁଚି ଲୁଚି ତମେ ଗଲ ଗାଁ ଲୋକେ ପକାଇଲେ ହୁରି

କି ଅବା ଅଧିକ ଅଛି ମୋ ଜୀବନ କେତେ ହିନିମାନ

ମତେ ମୁଁ ଚିହ୍ନୁନାହିଁ, ସତେ ଅବା ମୋଠାରୁ ମୁଁ ଭିନ୍ନ ।

କିଏ ନେଲା ଏତେ ତେଜ, ଏତେ ବୀର୍ଯ୍ୟ ଏତେ ମୋର ଶକ୍ତି

ମାଟିର ପିତୁଳା ସମ ପଡ଼ିଅଛି ନାହିଁ ମୋର ଏ ଜୀବନେ ମୁକ୍ତି

ଯାହାକିଛି ରଖିଥିଲି ତମ ପକ୍ଷେ ସେ ସବୁକୁ କଲ ପ୍ରତ୍ୟାଖ୍ୟାନ

ତମେ ଯାଅ ସେ ବାଟେ ମୁଁ କରୁଛି ତମ ଗୁଣଗାନ ।

ତମ ସୁଖ ଦେଖି ଦେଖି ମୋ ମନରେ ଦୁଃଖ ଲେଶ ନାହିଁ

ତମେ ମତେ ଭୁଲିଗଲେ ମୋର କିଛି ଯାଏ ଆସେ ନାହିଁ

ତମେ ମତେ ଘୃଣାକାର, ଇର୍ଷାକର ମୋ ଉପରେ ହୁଅ ଗରଗର

କଳଙ୍କ ମୁକୁଟ ପିନ୍ଧି ମୋ ଦଲିଲ କର ନାରଖାର ।

 

ଛୋଟ ମୁଖେ ବଡ଼ କଥା କହିବାକୁ କରିଥିଲି ଆଶା

ମନରୁ ମଲାଣି ରଙ୍ଗ, ଲିଭିଲାଣି ପ୍ରଣୟର ନିଶା ।

ଏତେଦିନେ ବୁଝିଲି ମୁଁ ତମେ ମୋର ଦେବୀ ଓ ମାନସୀ

ଜଳନ୍ତା ଜୁଇରେ ଥୋଇ ସେକୁଥିଲି ଯେମିତିକା ସେକଇ ରାକ୍ଷସୀ

ମୁଁ ତୁମକୁ ଭୁଲୁଅଛି ତମେ ମୋତେ ଆଜିଠାରୁ

ଯିବ ନିଶ୍ଚେ ଭୁଲି । ମଶାଣିପଦାରେ ଯେହ୍ନେ

ଜଳିଯାଏ ପ୍ରୀତିର ଦଲିଲ୍ ।

—୦—

 

ଶତାବ୍‍ଦୀର ସହର

 

କେମନ୍ତେ ପାଇବା ମୁକ୍ତି ଲୋହିତ ନର୍କରୁ ?

ଯେ ନର୍କର ଗଳିସବୁ ଅନ୍ଧାରିଆ ଅଙ୍କା ବଙ୍କା

ରାସ୍ତାଦେଇ ଆଗକୁ ବଢ଼ନ୍ତି; ଯେ ନର୍କର ପ୍ରତିଛକ

ଥୁଣ୍ଟାଗଛେ ଫୁଲ ଫୁଟେ ଘୃଣା ଏବଂ ତିତୀକ୍ଷାଚ;

ବ୍ୟର୍ଥତା ଓ ଆତ୍ମ-ପ୍ରତ୍ୟୟର ।

ପୁଂଜିଭୂତ ବ୍ୟଭିଚାର ନିର୍ଜନରେ ହାଇମାରେ

ଧ୍ୱଂସକରି ସତ୍ୟ ଧର୍ମ ନ୍ୟାୟର ମନ୍ଦିର ।

 

ନର୍କର ପ୍ରାଚୀର ଟପି ମୁଁ କେମନ୍ତେ ମୁହାଁଇବି

ଶ୍ରୀକ୍ଷେତ୍ରକୁ ନିର୍ଜନରେ;

ବିଷର୍ଣ୍ଣ ବିବର୍ଣ୍ଣ ନିଶବ୍‍ଦ ମୋ ଆତ୍ମ-ପୁରୁଷ

ଲୁପ୍ତ ପ୍ରାୟ ମୋ ପୌରୁଷ ନିଷ୍‍ପେସିତ ବୃତ୍ତାକାର

ଚକ୍ରରେ ଘୂର୍ଣ୍ଣିତ । ବଳ ବୀର୍ଯ୍ୟ ସୌର୍ଯ୍ୟ ଦମ୍ଭ ନଷ୍ଟଭ୍ରଷ୍ଟ

ସ୍ଥବିର ଓ ଅସ୍ତମିତ ।

 

ଏ ନର୍କର ରାଜା ହୋଇ ରାଜକାର୍ଯ୍ୟ ଚଳାଇବା

ଅନାବଶ୍ୟକ; ମୁଁ ଏକ ଭଣ୍ଡ ପ୍ରତାରିତ କାମୁକ ପୁରୁଷ ।

ଦୀର୍ଘକାଳ ନୀରବତା ଅସହ୍ୟ ଯନ୍ତ୍ରଣାଦାୟକ ।

ସାରା ଦେହେ ମୋର ବିଭତ୍ସ ଚିନ୍ତାର ଘୂର୍ଣ୍ଣିବାୟୁ

ମୋ ଇଚ୍ଛା ଅନିଚ୍ଛାର ଜୀବନଗଛରୁ

ଗୋଟି ଗୋଟି ଝରିପଡ଼େ ଆୟୁ ।

 

ଶତାବ୍ଦୀର ଜୀର୍ଣ୍ଣସ୍ତମ୍ଭ ଡେଇଁ ଆମେ ସବୁ ଧାଉଁଅଛେ

ଅନ୍ଧାରରେ ସୁଡ଼ଙ୍ଗ ଭିତରେ, ଚୁପ୍‍ଚାପ୍ ଡାକୁଛୁ କାହାକୁ

ସଙ୍ଗୋପନେ ଶରତ କାଳରେ ।

ପ୍ରଭୁ ହେ, ଆଲୋକେ ତମେ ଦୃଶ୍ୟମାନ ସୂର୍ଯ୍ୟପରି

ଉଭା ହୁଅ କଳା ପର୍ଦା ଚିରି । ଶତାବ୍ଦୀର ସହରରେ ତାଣ୍ଡବ ନୃତ୍ୟ ଆଚରି

ମୁକ୍ତି ଦିଅ ଏ ସୃଷ୍ଟିକୁ ସାପର କବଳୁ ।

ମୁକ୍ତି ଦିଅ ଏ ଯୁଗର ମଣିଷକୁ ସନ୍ଦେହହର ଯନ୍ତ୍ରଣାରୁ

ବିଫଳତା ଭୟ ସଙ୍କୁଚିତ ରୁଗ୍‍ଣ ଓ ଧୂସର ଖୋଳରୁ ।

—୦—

 

ଖରାବେଳ

 

ଆହାଃ; ବନ୍ଦକର, ବନ୍ଦକର

ତମର ସେ ପୁରୁଣା କାହାଣୀ । ହାତୀ ଦେବି ।

ଘୋଡ଼ା ଦେବି ।

ମାଗିଲେ ବି ଦେବି ଆଣି ଚନ୍ଦ୍ର ଚୂଡ଼ାମଣି ।

 

ପ୍ରଗଳ୍‍ଭତା ବନ୍ଦକର । ଓ

ସମସ୍ତ ବିପର୍ଯ୍ୟସ୍ତ କାହାଣୀର ପୂର୍ଣ୍ଣଚ୍ଛେଦ

ପଡ଼ୁ । ତା’ପରେ ଦର୍ପଣ ଆଣି ମୁହଁ ଦେଖ ।

ବାମ ଗାଲ, ତଳି ଓଠ ଭଲକରି ସଫାକରି ନିଅ ।

ଯଦି ବା; ଖରାଦିନ ପ୍ରେମବତୀ ନାରୀ ପକ୍ଷେ

ଦୁର୍ବିସହ; ଯନ୍ତ୍ରଣା ଦାୟକ ।

ମଧ୍ୟାହ୍ନରେ ଦୁଃସ୍ଥ ଚିନ୍ତା ଯଦିଓ ବା

ଶାସ୍ତ୍ରମତ ନୁହେଁ । ତଥାପି ମୁଁ କ୍ଷୌର ହୁଏ ।

ତୋଫା ଜହ୍ନ ପରି । ପାଚିଲା କଦଳୀ ପରି ।

ଖରାବେଳେ ତମ ମୁହଁ ବଗପରି ଚକ୍ ଚକ୍

ଦିଶୁ । ମୋ ରକ୍ତର ଦୁଃଷ୍ଟକୀଟ ତମ ଦେହେ

ଖରାବେଳେ ମିଶୁ ।

 

ବନ୍ଦକର ପ୍ରଗଳ୍‍ଭତା ।

ତମର ସେ ଆଦର୍ଶବାଦ ଲୋକ ଦେଖା

କଥାବାର୍ତ୍ତା । ନିଛକ ଭଦ୍ରତା । ପ୍ରତିବର୍ଷ ପରି

ଏ ବର୍ଷ ବି ଖରାବେଳ ସହରକୁ ମୋହିଁଲାଣି

ଝାଉଁବଣ ନିସ୍ତବ୍‍ଧ ହେଲାଣି ।

ପଡ଼ୋଶୀଏ ନିଶ୍ଚିନ୍ତରେ ଶୋଇଲେଣି । ବ୍ୟସ୍ତହେବା

ଦର୍କାର ପଡ଼ୁନି । ତମେ ଆସ ।

ସାଧା ସିଧା ସରଳ ବାଳିକା ପରି । ଓ ଋତୁମତୀ

ବନ୍ଧ୍ୟା ନାରୀ ପରି । ମୁଁ ତମର ତନୁମନ ଖୋଲିଦିଏ

ଖରାବେଳଟାରେ । ସମ୍ପୂର୍ଣ୍ଣରେ ମୁଁ ତମକୁ

ଉଲଗ୍ନ ଦୃଶ୍ୟରେ ଆହାଃ; ଦେଖିନିଏ ଥରେ !

 

ପାପ କ’ଣ ? ପୁଣ୍ୟ କଣ ? ପୁନର୍ଜନ୍ମ କଥା

ଚିନ୍ତା କରି ଖରାବେଳେ ଲାଭ କ’ଣ ? କିଛି

ଏଠି ହଜେନାହିଁ ଦୁଇଧାର ଯୁକ୍ତ ହୋଇଗଲେ ।

କିଛି ଏଠି ମିଳେନାହିଁ । ତମ ଓଠ, ତମ ମୁହଁ,

ମୋ ଦେହରେ ଘସିହୋଇ କିଳିକିଳା ରଡ଼ି ଛାଡ଼ୁଥିଲେ ।

ଅସଜଡ଼ା ଶେଯ ପରେ ମୁଁ ସେମିତି ବସିରହେ

ଉଦୁଉଦିଆ ଖରାବେଳଟାରେ । ତମ ଦେହ ପରିପୂର୍ଣ୍ଣ

ହୁଏ ପୁଣି ଶାଢ଼ି, ସାୟା, ବ୍ଲାଉଜରେ ଓ ବକ୍ଷ ବନ୍ଧନୀରେ ।

ଯେମିତିକା ତମେ ଏକ ସର୍କସ ପାର୍ଟିର

ଝିଅ । ନାନା ରଙ୍ଗେ ବେଶ ବଦଳାଅ । ବିଚିତ୍ର

ପୃଥିବୀ ପରି । ପ୍ରଜାପତି ପରି । ଓ ପୁଣି

ସାପପରି । ମୋ ଆଗରେ ଖରାବେଳଟାରେ ।

ଆହାଃ; ତମେ ମୋର ପାଟରାଣୀ ।

ଏଇଠି ବି ଅଛ ପୁଣି ଏଇଠି ବି ନାହଁ ।

ଖରାବେଳ ମୋ ଆଗରେ ଜଳେ ଅହରହ ।

—୦—

 

ପ୍ରାର୍ଥନା

 

କି ମାନ ମିଳିବ ଆଉ ଜପି ଜପି ତମ

ନାମ ଅଯଥାରେ କଷ୍ଟଦେଇ ଆପଣା ଶରୀରେ ।

କି, ସୁଖ ପାଇବାପାଇଁ ଆମେ ସବୁ ଦିନରାତି

ହାଉ ଯାଉ ଶରଧା ବାଲିରେ । ନିରାସକ୍ତ ମନ ମୋର

ମିଛରେ ବାଉଳି ହୋଇ

ଶହେ ଆଠ ମାଳା ଜପି ଚନ୍ଦ୍ରାୟଣ ବ୍ରତ କରି

ଯୋଗ ସାଧନାରେ ମଜ୍ଜି ମିଟି ମିଟି ଆଖି କରି ଦେଖୁଅଛି

ନିଲଠା ଭାବରେ; ତମର ସେ କଳା ଆଖି ଚକାଡୋଳା

ପରତେ ଦେଖିବାପାଇଁ ଲଣ୍ଡ ଭଣ୍ଡ ହେଉଅଛି ଅମୁହାଁ ମନ୍ଦିରେ

 

ମନ୍ଦିରେ ଜମିଛି ଭିଡ଼ ସାଲୁ ସାଲୁ ପାପ ପୁଣ୍ୟ

କାମନାରେ ଅୟୁତ ଇଚ୍ଛାର ଝଡ଼ ଭାଙ୍ଗିପଡ଼େ ବିକଳ ଦୃଶ୍ୟରେ

ମୋର ଆତ୍ମା ମତେ ଛାଡ଼ି ଏକାନ୍ତରେ ହାଇ ମାରିବାକୁ

ଫୁରୁସତ ପାଏନାଇଁ ଥରେ ।

 

ମୁଁ କିସ କରିବି ପ୍ରଭୁ;

ତମ ଚରଣରେ ମଥା ପିଟି ପିଟି ନିଃସଙ୍ଗ ଆତ୍ମାରୁ

ଯଦି ମୋର ରକ୍ତସ୍ରାବ ହୁଏ । ତମ ହାତ ଗଢ଼ା

ଦୟାର ଭଣ୍ଡାର ନିଶୂନ ଓ ଫାଙ୍କା ଫାଙ୍କା ଦେଖି

ଯଦି ମୋର ହଂସା ଉଡ଼ିଯାଏ । ମନ୍ଦିରରେ କେବେ ଯଦି

କୁଢ଼ କୁଢ଼ ବୋମା ବର୍ଷା ହୁଏ । ନୀଳଚକ୍ର ବାନା

ଚିଲପରି ବଉଦର ସିଢ଼ି ଡେଇଁ ଉଡ଼ିଯାଏ ।

ବାଇଶ ପାହାଚ ହିଂସା ଦ୍ୱେଷ ଓ ଭୟର

ପ୍ରହରୀମାନଙ୍କପରି ଯଦି ମୋର ରକ୍ତର କୋଠରିକୁ

ଉତ୍ତେଜିତ କରେ । ଯଦିବା ଶୂନ୍ୟରୁ କେବେ ରକ୍ତ ଝରେ ।

ଲୁହ ଝରେ । ମାଂସ, ହାଡ଼, ଅସ୍ଥି, ମଜ୍ଜା ଖଣ୍ଡ ଖଣ୍ଡ

ଝରିପଡ଼େ । ମୁଁ କିସ କରିବି ପ୍ରଭୁ । ଅଣସର ଗୁଳୁଗୁଳି

ଭୟପାଇ ମୁଁ କି ଯିବି ଗୁଣ୍ଡିଚା ଘରକୁ । ଅବା ମୁଁ

ସ୍ନାନ ମଣ୍ଡପ ଡେଇଁ ମୁହାଁଇବି

ସମୁଦ୍ରକୂଳକୁ ।

 

ସମୁଦ୍ରକୂଳରେ ପ୍ରଭୁ ଚକାଡୋଳା

ସାଲୁ ସାଲୁ ଚିତାବାଘ; ବନ୍ୟଜନ୍ତୁ ଭୟଙ୍କର ପ୍ରାଢ଼ି

ଅମୁଦ୍ରାକୂଳରେ ପୁଣି ଦନ୍ଥରା ଫସକା ଡଙ୍ଗା

ଚିରା କଉପୁନି ଶିପ ଓ ଶାମୁକ ଏବଂ

ଭୟଙ୍କର ରାତି ।

ଅମୁଦ୍ରକୂଳରେ ପୁଣି ଚେଇଁଉଠେ କେତେ ଲକ୍ଷ

 

 

ଇର୍ଷା ଓ ଆଶଙ୍କା । ମିଛ ମାୟା ଧୋକାବାଜୀ

ତୁଚ୍ଛା ପ୍ରହେଳିକା ।

 

ମୋର କି ଏକଇ ଆତ୍ମା ଭିନ୍ନ

ଯାହା ଶତ ଶତ ସରୀସୃପଠାରୁ । କିବା

ମୋର ଦୁଃଖ ଶୋକ ଯାନି ଯାତ୍ରା ଆଦର୍ଶପଣିଆ ।

ମିଛଟାରେ ମାଳାଜପି କି ଲାଭ ମିଳିବ ଆଉ

ଦଣ୍ଡାସନ କରି ଅପେକ୍ଷାର କାଳନ୍ଦି ହ୍ରଦରେ

ନିଜକୁ ହକାରି ଏଥୁଅନ୍ତେ ଅଯଥାରେ

ଆଦ୍ୟ ବସନ୍ତରେ ।।

—୦—

 

ବସନ୍ତ ଋତୁ

 

ଶୀତର ସମାଧି ଅନ୍ତେ

ନିରାଶ ପଥିକ ପରି ବସନ୍ତ ଆସୁଚି ଆହା,

ଏପ୍ରିଲରେ ପର ଗଣି ଗଣି । ନାଲି, ନେଳି, ହଳଦିଆ

ଆଲୁଅ ବିମାନ ଧରି ବସନ୍ତ ଆସୁଚି ଆଜି

ନିମ୍ୱପତ୍ର ଆମ୍ୱଗଛ ବଉଳ ଗଣ୍ଠିରେ । ପ୍ରେମିକାର

ନାଲିଓଠେ ରିଂକରା ଖୋସାରେ ଖୋସାରେ ।

 

ବସନ୍ତ ଆସେରେ ଆସେ

ଐଶ୍ୱର୍ଯ୍ୟ ବିମାନ ବାହି ପାତ୍ର ମନ୍ତ୍ରୀ କଟୁଆଳ

ପୁରବର୍ଗ ଧରି । ସମୁଦ୍ରର ନୀଳ ଜଳେ ଦୋହଲି

ଦୋହଲି । ମାର୍ଚ୍ଚର ସଡ଼କ ପରେ ଶୋଭାଯାତ୍ରା କରି

ଏସନ ବସନ୍ତ ଆସେ ଚତୁର୍ଦିଗେ ବାସ ଚହଟାଇ

ଅନ୍ଧାରରେ ମନଇଚ୍ଛା ଘୁଙ୍ଗୁର ବଜାଇ । ସମୁଦ୍ରର

ବାଲିଝଡ଼ ଲକ୍ଷ୍ୟଭ୍ରଷ୍ଟ ହୋଇ । ଏସନ ବସନ୍ତ

ଆସେ ସ୍ୱର୍ଗ ଦ୍ୱାର ଜୁଇନିଆଁ ଉଖାରି ଉଖାରି ।

ସହରକୁ ଟର୍ଚ୍ଚଲାଇଟ ପ୍ରୋସେସନ କରି ।

 

 

 

ବସନ୍ତ ଡାକୁଚି ଆସ୍ତେ ରାତି ଅଧେ

ଇରା ନାରୀ ମେନକାର କାଚଘରେ ପଶି

ବସନ୍ତ ଆସୁଚି ଅବା କନକର ଦିସ୍ତା ଦିସ୍ତା

ନୀଳ ପୃଷ୍ଠା ଦେଇ । କିମ୍ୱା ସେ ବସନ୍ତ ଅକସ୍ମାତ

ଆସୁଅଛି ବିଧବାଙ୍କ ପରି ପ୍ରେମିକାର ଧଳାଶାଢ଼ି

କାନିରେ କାନିରେ । ଗତବର୍ଷ ପ୍ରଣୟର ପୁରୁଣା ଖେତରେ ।

 

ବସନ୍ତ ଏଠାକୁ ଆସେ

ଆସି ପୁଣି ଫେରିଯାଏ । କୁମ୍ଭକର୍ଣ୍ଣ

ନିଦ ଶୋଇ ପୁତନାର ଏ ସହର ବିଳିବିଳି ହୁଏ

କୋଇଲିର କୁହୁସ୍ୱର ସ୍ୱପ୍ନ ହୁଏ । ସ୍ୱପ୍ନ ହୁଏ

ଶୀତର କମ୍ୱଳ ଏବଂ ବସନ୍ତର ଆମ୍ବତୋଟା ମାଳ ।

 

ବସନ୍ତ ଯାଏରେ ଯାଏ

ଯେଉଁବାଟେ ଆସିଥାଏ ସେଇବାଟେ

ଘାଟ, ହିଡ଼ ତୋଟା ଡେଇଁ ଚୋରପରି ଯାଏ

ଜରତୀ ପୃଥିବୀ ପୁଣି ଗର୍ଭ ହୁଏ, ନିମିଷକେ ଶ୍ୱାସରୁଦ୍ଧ ହୁଏ ।

 

ଏ ସାଲ ବସନ୍ତ ଆସି ମୋ ଘରର

ଝରକାରେ କିଳିକିଳା ରଡ଼ିକରି ମୁହଁ ମୋଡ଼ିଲେଣି

ଏ ସାଲ ବସନ୍ତ ଆସି ଢିମା ଢିମା ଆଖିକରି

କାଳି ସ୍ତ୍ରୀ ପରି ମତେ ଅଥୟ କଲାଣି ।

ମୁଁ ନିର୍ବୋଧ ପ୍ୟାଣ୍ଟ କୋର୍ଟ ଟାଇ କୁର୍ତ୍ତା

ପିନ୍ଧି ବସିଅଛି ବସନ୍ତର ଫେରିବା ପଥକୁ

ପେନସିଲ ଗାର ଟାଣି ଟାଣି

ଗଣୁଅଛି ବସନ୍ତର ଆସିବା ଦିନକୁ ।

—୦—

 

ହାୱା

 

କିଛି ଭଲ ଲାଗୁନାଇଁ, ଦିଅଁ ପୂଜା

ଶନିବାର ହେଲାକ୍ଷଣି ଘରକୁ ଧାଇଁ ବା

ବା ପତ୍ନୀଙ୍କ ଉପରେ ରାଗ ଥମ ଥମ ହୋଇ

ନାଲି ମଟରରେ ବସି ସହର ଘୁମିବା ।

 

ଯାହା ବା ଲାଗନ୍ତା ଭଲ, ଶୀତଋତୁ

ଶେଷ ବଖରାର ଝଲମଲ କଟା ମୁଣ୍ଡ

ପାପର । କାକୁସ୍ଥ ଓ ଅସହଜ ହାୱାରେ

ଗହଳ ଚହଳ ଦୋକାନ ବଜାର ।

 

ତମ ଦେଖା ମିଳିବାକୁ ଚାରୋଟି ସପ୍ତାହ ବାକି

ଚାରିଗୋଟି ଦ୍ୱାରପାଳ ଜଗିଛନ୍ତି ଚଉମୁହାଁଣୀରେ

ଗରୁଡ଼ ସ୍ତମ୍ଭର ନିସ୍ତେଜିତ ଦୀପର ଆଲୁଏ

ତମ ମୁହଁ ନିତ୍ୟ ଦିଶୁନାଇଁ । ହଟହଟା ଯେମିତି ଦୁର୍ବୃତ୍ତ

ପବନ ଏକ ଧସେଇ ପଶି ଆସିଛି ନୌରାତ୍ କୋଣରୁ ।

 

କିଛି ଭଲ ଲାଗୁନାଇଁ । ମୁଁ ଝର୍କାର ପର୍ଦା

ଟେକି ଦେଖୁନାଇ ବାରମ୍ୱାର ରୁବି ମୁହଁ । ଦୋ’ ଦୋ

ପଞ୍ଚ ହୋଇ ବିଜୁଳି ତରାରେ ସମ୍ଭବତଃ ମୃତ ପକ୍ଷୀଟିଏ

ଝୁଲୁଅଛି । କଦମ୍ୱ ଫୁଲିଆ ଜହ୍ନ ପଡ଼ିଅଛି

ଫର୍ଚ୍ଚା ଅଗଣାରେ ।

 

ତମେ ଅଛ, ତମେ ନାହଁ ବା ତମେ

ରୁବି ସଙ୍ଗେ ଏକାକାର ହେଉଅଛ

ଶୂନ୍ୟ ଇଲାକାରେ ।

—୦—

 

ବାଘ

 

ଗ୍ରାମବାସୀ ସାଇଭାଇ ବନ୍ଧୁ ଗୁରୁଜନ । ଡକାହକା

ହୋଇ ରୁଣ୍ଡହୋଇ ନଈକୂଳେ ଯେଉଁଠି ନିଈତି

ଶୁଭେ ବ୍ୟାଘ୍ରଟିର ଉଚ୍ଚାଟ ଗର୍ଜନ । ଯେଉଁଠୁ ଆରମ୍ଭ

ମାତ୍ର ଆକାଂକ୍ଷାର ଘଞ୍ଚ ଉପବନ ।

 

ସେ ନଈର ଖରସୁଅ

ସାପମୁଣ୍ଡ ଛିଣ୍ଡି ଯାଇପାରେ । ସେ ବନର ଗହନ

ଅନ୍ଧାରେ ପାପ ପୁଣ୍ୟ ନିରୋଳାରେ ହାଇମାରେ

ସେ ନଈର ଉପକୂଳେ ବ୍ୟାଘ୍ରର ଗର୍ଜନ । ଲୋଭର

ଜାଲରେ ପଡ଼ି ଦୁଃଖ ଭୋଗେ ପ୍ରୌଢ଼ ମହାଜନ ।

ଚନ୍ଦ୍ରାୟଣ ବ୍ରତ କରି

ବ୍ୟାଘ୍ରରାଜ ଧ୍ୟାନରେ ବସିଚି । ତା’ ମୁହଁର

ପ୍ରତିବିମ୍ୱ କାଚକେନ୍ଦୁ ଜଳର ପରିଧି ପରେ

ସତେଜ ଦିଶୁଚି । ସେ ପ୍ରତୀକ୍ଷା କେଉଁ ଏକ

ଅନନ୍ତ ଯୁଗର । ଯେଉଁଠି ପାପର ଦୌଲତ

ଠୁଳ କରି ରାତି ଉଜାଗର ରହେ ବୁଢ଼ା ସୌଦାଗର ।

 

 

 

ଗ୍ରାମବାସୀ ବିଚାରନ୍ତି ନଦୀ ଖଣ୍ଡି ବୁଦା ଉହାଡ଼ରେ

କେମନ୍ତେ ମାରିବା ବ୍ୟାଘ୍ର କି ଉପାୟ ଅଛି ଆମ୍ଭ

ହାତ ପାଆନ୍ତାରେ? ଶିକାରୀ କୁଳବର୍ଗକୁ ଠେଙ୍ଗାଦାର

ବାର୍ତାନି ପଠାଉ । ଗଉଣ୍ଡିଆ ସାହୁକାର ବଡ଼ବାବୁ

ଓ ଯେତିକି କାରପଟଦାର । ହାତରେ ବନ୍ଧୁକ ଧରି

ବୀରବେଶେ ବାହାରନ୍ତୁ କରିବାକୁ

ବାଘର ଶିକାର ।

 

ବାଘର କୁହାଟ ଶୁଭେ

ଅନ୍ଧାରିଆ ବୁଦା ଉହାଡ଼ରୁ ।

ଯେସନେ ଗର୍ଭିଣୀ ସ୍ତ୍ରୀ ଦୁଃଖ ଭୋଗେ

ପ୍ରସୂତିଶାଳାରେ । ଯେସନେ ଅବୋଧ୍ୟ ଶିଶୁ

ଛକରାସ୍ତା ପାର ହେଉ ହେଉ ଟ୍ରକ୍ ଚକାତଳେ

ଚାପି ହୋଇ ସମୟର ଜାହାଜରେ ବୁଲିଯାଏ

ଦୂରଦେଶେ ଅଚିହ୍ନା ବନ୍ଦରେ । ତେସନେ ଏ

ନଦୀପଠା ବେଣାମୂଳ ଗାଁ ଖଣ୍ଡିମାନ । ଶ୍ୱାପଦର

ଭୟ ପାଇ ଶୂନ୍ୟତାର ଯନ୍ତ୍ରଣାକୁ ଚୁପ୍‍ଚାପ୍

କରେ ଆଲିଙ୍ଗନ ।

 

 

 

ଜଙ୍ଗଲରେ ବ୍ୟାଘ୍ର ଉପଦ୍ରବ

ଭୟାର୍ତ ହରିଣୀ ପଲ । ପାହାଡ଼ ଗୁମ୍ଫାରୁ

ଆସେ ଲମ୍ଫ ମାରି ମହାବଳ ବାଘ ।

ଏ ବାଘକୁ ଦେଖିଚ କି ନୀଳ ଚଷମାରେ ?

ରକ୍ତର ନଦୀରେ କରି ଗଙ୍ଗାସ୍ନାନ

ସୂର୍ଯ୍ୟସ୍ତରେ । ଜୀବନର ମୁଦା ଲଫାପାରେ ।

ଏ ବାଘକୁ ଦେଖିଚ କି ? ଏ ତ ନୁହଁ

ସାଧାସିଧା କାଗଜର ବାଘ । ୟା’ କେବଳ ଅଯଥାରେ

ପଡ଼ି ଅତିକ୍ରାନ୍ତ ଯୌବନକୁ ଘାଣ୍ଟି ଘାଣ୍ଟି

କିବା ଆଉ ଲାଭ ।

—୦—

 

ଆଉ ବା ଭୟ କାହାକୁ

 

ଆଜି ସବୁ ସ୍ୱପ୍‍ନ ଲାଗେ ମିଛ ମିଛ ଡାହା ମିଛ ଲାଗେ

ଆଜି ସବୁ ଭୁଲ୍‍ଭାଲ୍ ଆଜି ସବୁ ଖୋଲାଖୋଲି ଧରା ପଡ଼ିଯାଏ ।

ଚାହୁଁ ଚାହୁଁ ଜହ୍ନ ହଜେ ସ୍ମୃତି ସବୁ ଭାରି ଭାରି ଲାଗେ । କ୍ଷୟଷ୍ଣୁ

ସମୟ ଆସ୍ତେ ଘଷିମାଜି ଶେଷ ହୋଇଯାଏ ।

 

ଜାକିଜୁକି ଶୀତ ଆସେ ଚାରିଆଡ଼ୁ ଶୀତ ଘୋଟିଆସେ

ବେହେଲାରେ ତାର ସବୁ ଅକସ୍ମାତ ଛିଣ୍ଡିଯାଏ ସ୍ୱର ଶୁଭେ ନାହିଁ ।

ତମରି ଫୁଙ୍ଗୁଳା ଦେହ ଜୋକପରି ପଲଙ୍କରେ ଭିଡ଼ିମୋଡ଼ି ହୁଏ

ତମେ କଥା କୁହନାହିଁ; ତମ ବାର୍ତ୍ତା କେହି ଦିଏନାହିଁ । ଯଦିବା ଆସନ୍ତ ତମେ

ଥରେହେଲେ ପ୍ରିୟ କିମ୍ୱା ବାନ୍ଧବୀ ରୂପରେ । ରୋଗ-ଶୋକ-ପୃଥିବୀରେ ରଖି

ତମ କୁନି କୁନି ପାଦ । ଯଦିବା ଆସନ୍ତ ଥରେ

ଭାସି ଭାସି ସମୟର ଉଜାଣି ସୁଅରେ

ମୁଁ ତମରି ଆଗମନେ ଗାଉଥାନ୍ତି ସ୍ୱାଗତ ସଙ୍ଗୀତ ।

 

ତମ କଥା ମିଛ ସବୁ, ଭୁଲ୍ ସବୁ, ସବୁ ଭୁଲ୍, ସବୁ ମିଛ, ନିପଟ ଛଳନା

ଭୁଲ୍ ସବୁ ପ୍ରତିଶ୍ରୁତି, ଦିଆନିଆ ମନର କଳନା । ମିଛ ସବୁ, ତୁଚ୍ଛା ମିଛ

କଞ୍ଚା ମିଛ ଆମ ପ୍ରେମ, ଆମରି ଖେଳଣା । ମିଛ ତମ ଚିଠିଲେଖା, ଓଷା, ବ୍ରତ,

ପୂଜା ଉପାସନା । ସ୍ମୃତି ସ୍ମୃତି ସ୍ମୃତି ସ୍ମୃତି—ସ୍ମୃତି ଖାଲି ମରେ ହଜେ ସମୟର

ଆଉଟା ନିଆଁରେ । ଭୂତର ପ୍ରତୀକ ଆସି କିଳିକିଳା ନାଦ କରେ

ବିଶ୍ୱାସ ଗୋପନ ଛକରେ ।

 

ନିଛାଟିଆ ମଧ୍ୟାହ୍ନରେ

ଛାଇ କ୍ରମେ ଲମ୍ୱି ଲମ୍ୱି ଦୀର୍ଘତମ ହୁଏ । ମୁଁ ଶୁଣେ ମୋ ନିଜ ସ୍ୱର

ଅସହାୟ ଜନପରି । କିଏ ମତେ ଏକା ଏକା ଶୂନ୍ୟରୁ ଇସାରା ଦିଏ ।

ସବୁକିଛି ମଧ୍ୟାହ୍ନରେ ଭୁଲ୍ ବୋଲି ଧରା ପଡ଼ିଯାଏ । ସବୁକଥା ଶଠତା,

ଭଣ୍ଡାମୀ ଓ ଜୁଆଚୋରି ପରି ମନେହୁଏ ।

 

ଦ୍ୱିପ୍ରହର ଜଳ ଜଳ ଦିଶିଯାଏ

ଝର୍କା ଖୋଲି ଅଭିମାନୀ ସ୍ତ୍ରୀ ପରି ବକବକ ଚାହେଁ । ଆକାଶର ଅଗଣାରୁ

ନୀଳ, ନୀଳ, ସବୁଜ ରଙ୍ଗର ତାରା ଖସେ, ଜହ୍ନ ଖସେ, ଉଲ୍‍କା ଖସେ,

ଖସେ କେତେ ସପନର ଫୁଲ । ତମ ଦେଖା ମିଳେ ନାହିଁ । ତମ ମୁହଁ ହୁଏନାହିଁ

ଏ ସହରେ କାହା ସଙ୍ଗେ ଆଉ ସମତୁଲ ।

 

ମଶାଣିରେ ଜଳିଯାଏ, ପୋଡ଼ିଯାଏ କେତେ ଦେହ କେତେ ଯେ ଖବର

କେତେ ରୂପାପରି ଭରା ପରିଚିତ ବୋଇତ, ବନ୍ଦର । ମଶାଣିର ନିଆଁରେ ସବୁ

ଜଳିଯାଏ, ପୋଡ଼ିଯାଏ, ମୋଦି ମୋଦି ଚିତାଜଳେ କଡ଼କଡ଼ ଶବଦ କରି

ହାଡ଼ ଗଣ୍ଠି ଫୁଟେ । ଜଳନ୍ତା ନିଆଁରୁ ତମେ ଆସ୍ତେ ଆସ୍ତେ ଉଠିଆସ

ଆସ୍ତେ ଆସ ପାଉଁଶ ଗଦାରୁ । ଉଖାରି ଉଖାରି ଆସ ।

ଯେତେ ଯେତେ ଉଚ୍ଚଖିଆ ଗୀତ

କିମ୍ୱା ପୁରାଣ ପୃଷ୍ଠାରୁ

 

ତମେ ଆସ ଥରେହେଲେ ପୂର୍ବପରି ଛପି ଛପି ପ୍ରେମିକ ବା ମିତଣୀ ରୂପରେ ।

ଅଣ୍ଟିରେ ପୂରାଇ ଛୁରି ତମେ ଆସ ଡହଡହ ମଧ୍ୟାହ୍ନରେ ଉଲଗ୍ନ ତାତିରେ ।

ରାତି ଏଠି କଡ଼ମୋଡ଼େ ଅସୁରୁଣୀ ବୁଢ଼ିପରି କ୍ଲାନ୍ତ ହୋଇ

ସିମେଣ୍ଟ ନଗରେ । ଏଠି ସବୁ ଗଛବୃଛ ଥୁଣ୍ଟା ହୁଏ ପତ୍ରସବୁ ଝରିଝରି ପଡ଼େ ।

ଅକାଳେ ବାର୍ଧକ୍ୟ ଆସେ

ପବନରେ ବାଟବଣା ହୋଇ ସତେ ଅବା ଉଡ଼ିଉଡ଼ି ଆସେ

ଅଣ୍ଟାପିଠି, ମେରୁହାଡ଼ ଭାଙ୍ଗି ଦିଏ ଧନୁପରି ବଙ୍କା ହୋଇଯାଏ

ଆଖି ସବୁ ପଶିଯାଇ ହନୁହାଡ଼ ସ୍ପଷ୍ଟ ବାରିହୁଏ । ଗାଲ ବି

ପାକୁଆ ହୁଏ; ସ୍ତନ ସବୁ ପ୍ରସ୍ତ ସମ୍ରାଟ ପରି ଅଧୋମୁଖ ହୁଏ

ମୁଣ୍ଡ ବାଳ ଧଳା ହୋଇ ଝୋଟପରି ଫୁରୁଫୁରୁ ଉଡ଼େ ।

ହତାଶ ଓ ଗ୍ଲାନିଭରା ମନ ନେଇ ମୁଁ ତମର ମ୍ଳାନ ମୁହଁ,

ଶେଥା ଓଠ, ଖୋଲା ଛାତି ଦେଖେ ବାରମ୍ୱାର । ଯେମିତିକା ଚିଲଟିଏ

ସୁଉଚ୍ଚ ଶୃଙ୍ଗରେ ବସାବାନ୍ଧି ପୃଥିବୀକୁ ଦେଖେ ଥରଥର ।

 

ମଧ୍ୟାହ୍ନର ଛାଇ କ୍ରମେ ଘୋଡ଼ିଆସେ ନିକୋଟିନ୍ ଗନ୍ଧପରି ତମଘର ଲନ୍‍ଟପି

ସାଧାସିଧା ଚଉଡ଼ା ରାସ୍ତାରେ । ଛାଇ କ୍ରମେ ଲମ୍ୱି ଲମ୍ୱି ଦୀର୍ଘ ହୁଏ ଜିରାଫ୍‍ର

ବେକପରି ଗଳି ନାଳି ଅରମା ବାଟରେ । ଅପରାହ୍ନ ମାଡ଼ିଆସେ

ଭୟପରି ଦପଦପ ଛାତିଥରେ ରକ୍ତ ସବୁ ପାଣି ଫାଟିଯାଏ । ଅସମ୍ଭବ ଭୟ

ଆସେ ମାଡ଼ିମକଚି ସଙ୍ଗେ ସଙ୍ଗେ ସବୁ ସ୍ମୃତି କ୍ଷୟ ହୋଇଯାଏ ।

ମୁଁ ତମକୁ ଭଲପାଏ, ପ୍ରେମକରି ମୁଁ ରଖୁଚି ତମରି ଖବର ।

ମୁଁ ପାଉଛି ତମରି ଦେହର ଗନ୍ଧ, ତୁଚ୍ଛା ଗନ୍ଧ କେଉଁ ଅରଣ୍ୟର ।

ସୂର୍ପଣଖା ଅଶ୍ରୁଳ ଚରିତ୍ର । ମୁଁ ଆଙ୍କୁଛି ମଧ୍ୟାହ୍ନରେ,

ଚାର୍‍ମିନାର ଜାଳି ଜାଳି ଉର୍ବଶୀ ବା

ଅଳକାର ରେଖା ଚିତ୍ରପଟ ।

 

ତମେ ଆଜି ଥରଟିଏ ମୋ ପାଖକୁ ଚାଲିଆସ

ଶାପଗ୍ରସ୍ତ ଜୀବନର ଅନ୍ଧାରୀ ଗୁମ୍ଫାରୁ । କୋଣାର୍କର ବାଲିତଳୁ

ଅଧାପୋତା ଅଧାଉଠା ଭଙ୍ଗା ଦିଆଲରୁ । ଆସ ତମେ

ଫେରିଆସ ଶାଢ଼ିପିନ୍ଧି ଚୁଡ଼ି ପିନ୍ଧି ପୁରୁଣା ଅଙ୍କରୁ । ଭଙ୍ଗା ମନ୍ଦିରରୁ

ଅବା ଜରାଜୀର୍ଣ୍ଣ ପ୍ରସ୍ତର ଗୁମ୍ଫାର । ମୁଁ ତମରି ମୂର୍ତ୍ତି ଆଙ୍କେ

ପୋଡ଼ି ପୋଡ଼ି ଓଠପତା କ୍ଲାନ୍ତ ବୟସରେ । ମୁଁ ତମର କଥା ଶୁଣେ

ଥରଟିଏ ଘାଣ୍ଟି ଘାଣ୍ଟି ମୋ ଆତ୍ମାର ଭଙ୍ଗା ଦିଆଲକୁ । ତମରି ଦେହରେ ମୋର

ଦେହ ମିଳୁ, ତମ ରକ୍ତ ମୋ ରକ୍ତ ମିଳି ଏକାକାର ହେଉ ।

ତମେ ମୋର ଆପଣାର, ମୋ ଆତ୍ମାର ଏକାନ୍ତ ନିଜର

ସମୟର ସୁଅ ମୁହେଁ ଦୁହେଁ ଯିବା ଭାସି ଭାସି ନାହିଁ ଭୟ ନାହିଁ ଆଉ ଡର ।

—୦—

 

ଉଦାସ

 

କିଛି ଭଲ ଲାଗୁନାଇଁ । ଉଦାସ ପବନ

କଟା ଗୁଡ଼ି ପରି ବେକ ମୋଡ଼ି ପଡ଼ିଅଛି

ବିଜୁଳି ତାରରେ ।

ରାସ୍ତାରେ କୌଣସି ଯାନବାହାନ ଯାଉନି,

ବନ୍ଦିଟିଏ ଦୁଇହାତେ ଲୁହାଛଡ଼ ଧରି

ଅନେଇଚି ଖୋଲ ପଡ଼ିଆକୁ ।

 

ତମ ଦେହ ଥରୁଚି କି ପବନରେ ?

ଆଉ ବା କେତେଟା ଦିନ;

ମୁ ତାଙ୍କୁ ପାଇକରି ହାତୀ ଦେଖାଇବି

ଓ ରକ୍ତ ସମୁଦ୍ରରୁ ହଲି ହଲି ଉଠୁଥିବା

ସୂର୍ଯ୍ୟପାଇଁ ଜରିଦିଆ ପୋଷାକ ଆଣିବି ।

 

କିଛି ଭଲ ଲାଗୁନାଇଁ ।

ଡାକବେଳ ଗଡ଼ିଗଲେ ମନରେ ବ୍ୟସ୍ତତା ବଢ଼ୁନି

ବରଂ ସାପଟିଏ ପରି ନିଶ୍ଚିନ୍ତ ଅଛି ଯେ

ତମେ ମୋର ଉଦାସ ଭାବନା ସବୁ ଦୂରକରି

ରଜାଘର କାହାଣୀ କହିବି ଓ

ମୁଁ ହୁଣ୍ଡା ବୋକାପରି ଆମଘର ପକ୍‍କା ଛାତେ

ଠିଆ ହୋଇ ଦ୍ଵିପ୍ରହରେ ମନଇଚ୍ଛା ଗୁଡ଼ି ଉଡ଼ାଇବି ।

—୦—

 

ନର୍କବାସ

 

କେତେ ବା ସମୟ ଆଉ ଖର୍ଚ୍ଚକରି କହୁଥିବୁ ସାଇଭାଇ

ଆତ୍ମୀୟମାନଙ୍କୁ କେତେ ବା ବୁଝାଉଥିବୁ ଯୁକ୍ତିଛଳେ ବୁଦ୍ଧି ବିଦ୍ୟା

ଅପଚୟ କରି ତୋ’ ନିଜର ମହିମା-ଧର୍ମକୁ ଅନ୍ୟଆଗେ ଜୋରକରି

ପ୍ରମାଣ କରିବୁ ଯେ; ତୁ ଏକମାତ୍ର ଅଭିଜ୍ଞ ପୁରୁଷ ତୋ ପ୍ରଜ୍ଞାର

ବୌଦ୍ଧିକତାର ତୋର ଯେତେ ରେରେକାର ପୌରୁଷର;

ପୁରୁଷ ପୁରୁଷ ଧରି କେତେ ବା ବଖାଣୁଥିବୁ ନିଜେକଥା

ଯୌବନର ରୁଦ୍ଧିମନ୍ତ ବ୍ୟଥା ଓ ବେଦନା କେତେ ଆଉ ଫେଣାଇବୁ

ବାରମ୍ୱାର ଭଙ୍ଗା ଭଙ୍ଗା କଥାର ଶବଦକୁ ଭିନ୍ନରୂପ ଭିନ୍ନରଙ୍ଗ ଦେଇ

ସମୟ କେତେ ବା ଅଛି ତୋ ହାତରେ ସେକଥା ଭାବିଛୁ

କେବେ ମନଧ୍ୟାନ ଦେଇ ।।

 

ତୁ କେମିତି ଅଜ୍ଞ ହେଲୁ ବିଜ୍ଞତାର ଖୋଳ ପିନ୍ଧି ବୟସ୍କ

ପୁରୁଷ ସତ୍ତ୍ୱେ ଟିକିପିଲା ପରି ଗୁପ୍ତଅଙ୍ଗ ଦେଖାଇଲୁ ପ୍ରକାଶ୍ୟରେ

ସହଜ ସରଳଭାବେ, ତୋ ନିଜ ଆତ୍ମ-ଚେତନାର ଦଦରା ମୃଦଙ୍ଗ ପିଟି

ଅନ୍ୟ ଆଗେ ପ୍ରମାଣ କରିଲୁ ଯେ; ତୁ ଏକମାତ୍ର କବି ଲେଖକ

କଳାକାର । ଏକମାତ୍ର ପ୍ରତିନିଧି ପ୍ରାଚ୍ୟ ମଧ୍ୟ ସଂପ୍ରତିକାଳର ।

ଏତେ ମାନ ଏତେ ଶିରୀ ସତ୍ତ୍ୱେ

ତୁ କେମିତି ଆପେ ଆପେ ସଙ୍କୁଚିତ ହୋଇ ବିନ୍ଦୁରେ

ମିଶିଲୁ ଶୂନ୍ୟ-ପୁରୁଷର ତତ୍ତ୍ଵବାର୍ତ୍ତା ସମ୍ପର୍କରେ ପ୍ରଚାର-ପତ୍ର ମାଇଲୁ ସହରର

ଗଳି କନ୍ଦି ବୁଲି ତୋ ଖ୍ୟାତିର ପରିଧିକୁ ବଳାତ୍କାରେ ସୁବିସ୍ତୃତ କରି ଗର୍ବର

ମଶାଲ ଜାଳି ଅନ୍ୟପକ୍ଷେ ଶତ୍ରୁ ଅରଜିଲୁ ମିଥ୍ୟାର ଡିଣ୍ଡିମ ପିଟି ପ୍ରହେଳିକା

ସୃଷ୍ଟିକରି ଅପର୍ଯ୍ୟାପ୍ତ ମୂର୍ତ୍ତିମନ୍ତ ସମୟକୁ ହତ୍ୟାକଲୁ ।

କଳଙ୍କର ବାନା ଉଡ଼ାଇଲୁ ।

ଓ କେତେ କେତେ ଅପବାଦ ଗଞ୍ଜଣା ସହିଲୁ ।

ଆରେ ମୂଢ଼; ନିଜକୁ ଭାବିବୁ ଯଦି ଏକମାତ୍ର ସାଧୁସନ୍ଥ ସମାଜସେବୀ ଓ

ଆଦର୍ଶର ପୋଖତ ଭଣ୍ଡାରି ନିଜେ ଯଦି ଇଚ୍ଛାକରି ସାଇତିବୁ

ଯେତେ ଯେତେ ନାମାବଳୀ

ଫଳକ ଓ ମାନଚିତ୍ର ଉଇଖିଆ ସିନ୍ଦୁକରେ ଗର୍ବର ପ୍ରାଚୀର ଲଘିଂ

ତୁ ଯଦି ଭୈରବୀ ଡାକରେ ବଡ଼ଦାଣ୍ଡ ଦୁଲୁକାଇ ଆପଣାର ଜାତିଭାଇ

ଜ୍ଞାତିକୁଟୁମ୍ୱ ଯାକର ଲୋକଙ୍କୁ କହିବୁ

ଯେ ତୁ ଏକମାତ୍ର ରଥୀ ତୁ ସାରଥୀ ତୋ ନିଜ ରଥର ତୋ ଜାତିର

ତୋ ଭାଷାର ସାରସ୍ୱତ ପବିତ୍ର ଧାମର ତୋ’ପରେ ଥୁକିବେ ୟତୋ ରକ୍ତଗଢ଼ା

ସାଡ଼ୁ ବଂଶଧର ତୋ ନାମେ ବସିବ ସଭା ଠାଏ ଠାଏ ନୀତିବାଦୀ ବାଗ୍ମୀଶ

ଓ ସୁଧୀବୃଦଂକର ।।

 

କେତେ ତୁ ପାଇବୁ ପୂଜା ଆରାଧନା ରକ୍ତମାଂସ ଶରୀରରେ ବଞ୍ଚି ଥାଉ ଥାଉ

କେତେ ତୁ ଡାକରା ହୋଇ ଯାଇଅଛୁ ଭିନ୍ନ ଭିନ୍ନ ଇଲାକାକୁ ବକ୍ତାହୋଇ ତୋ

ପ୍ରଜ୍ଞାର ଔଦ୍ଧତ୍ୟପାଇଁ, ତୋ ଉପରେ ଆସ୍ଥା ଥିଲା କେତେ ଯେ ବିଶ୍ୱାସ ଥିଲା

ସ୍ନେହ ପ୍ରେମ ଭକ୍ତି ଶ୍ରଦ୍ଧା ଓ ସମ୍ମାନ ଥିଲା ପୂର୍ବସୂରୀମାନଙ୍କର

ଅନାଗତ ଭବିଷ୍ୟତ

ବାଳାଚାରଙ୍କର ତୁ ମୂର୍ଖ ଦିନେ ବି ବୁଝିଲୁ ନାଇଁ ସେମାନଙ୍କ କଥା ଅହଙ୍କାରେ

ପଚିସଢ଼ି ଦିନେ ବି ଇଚ୍ଛିଲୁ ନାଇଁ ପଦଟିଏ ମଙ୍ଗଳ ବାରତା

ବରଂ ନୀଚ କୁଚ୍ଛସାଧନାରେ ଅନ୍ଧ ହୋଇ ଗାଇହେଲୁ ଯେ

"ତୋ ବିନା ନାହିଁ କେଇ

ନୀତିବାନ ସୁ-ପୁରୁଣା କବି ଓ ବାଗ୍ମୀଶ ତୋ ଜାତିର ତୋ ଭାଷାର ତୁ

ଏକମାତ୍ର ବରପୁତ୍ର ରଥୀ ନନ୍ଦିଘୋଷ ଇ"

 

ଏ କେଉଁ ମହାନ ଭାବ ଦେଖିଲୁ ସାୟାହ୍ନରେ

ଏ କେଉଁ କୀର୍ତ୍ତିମାନ ଅରଜିଲୁ ଇଚ୍ଛାରେ ।

ଅନ୍ଧକାରେ ପଚି ଶଢ଼ି ଧଇଁ ସଇଁ ହୋଇ ନିଜ ହାତେ ମନ୍ତୁରି ଔଷଧ ବାନ୍ଧି

ଅନ୍ୟ ଆଗେ ଭେଳିକି ଲଗାଇ ଯାହାସବୁ କରିଗଲୁ ଜୀବନର ଶେଷ ଅଙ୍କ

ଶେଷ ଦୃଶ୍ୟଠାରେ ଜନ୍ମ ଜନ୍ମାନ୍ତର ହେଜି ହେଉଥିବେ ରକ୍ତଗଢ଼ା

ଅକଟୋପୋଶମାନେ

ଏ ମର୍ତ୍ତ୍ୟରେ ।

 

ହେ ନୀତିବାଗ୍ମୀଶଦଳ; ଧର୍ମ କର୍ମ ଜ୍ଞାନ ପ୍ରେମ ଓ ଆତ୍ମିକ

ଚେତନାର ଦୃଶ୍ୟମାନ

ଚଳମାନ ବହମାନ ପଙ୍ଗପାଳଦଳ ସ୍ଵର୍ଗରେ ଲାଗୁଚି ଡାଳ ମଞ୍ଚରେ ବି ଲୋଟୁଅଛି

ଡାଳ ତୁମପାଇଁ ସ୍ୱର୍ଗଲୋପ, ମୁକ୍ତିଲୋପ, ପୁନର୍ଜନ୍ମ ଲୋଡ଼ା ତମେ ସବୁ ସ୍ଵର୍ଗବାସୀ

ଜାତି ସ୍ୱର ପୁରୁଷ ପୁରୁଷ ଧରି ତମେ କର ଅହଂର ପ୍ରଚାର ।

ଆମର ନରକ ଲୋଡ଼ା

ପ୍ରେମ ପ୍ରୀତି ବିରହ ମିଳନ ଲୋଡ଼ା

ଜୀବନର ମାନ ଅଭିମାନ ଲୋଡ଼ା; ଘୋଡ଼ାର କୋରଡ଼ା ଲୋଡ଼ା

ପ୍ରଜ୍ଞା ଇଲାକା ଲୋଡ଼ା ।

ଆମେ ଚାହୁଁ ନିଜେ ବଞ୍ଚି ଅନ୍ୟପାଇଁ ଭୂମି ଇଞ୍ଚେ ଦେବୁ

ଆମେ ଚାହୁଁ ନିଜେ ହସି ଅନ୍ୟ ମୁହେଁ ହସ ଫୁଟେଇବୁ

ଆମେ ବି ବଞ୍ଚିଛୁ ଏଠି ଦୈନ୍ୟ ଓ ଦୁର୍ଦ୍ଦିନ ଦେଇ

ସେଥିପାଇଁ ଚିନ୍ତା ନାଇଁ, କା’ ଉପରେ ମାନ ଅଭିମାନ ନାଇଁ

ଆମ ହାତେ ଆସ୍ତର ନାଇଁ ଆମ ଦେହେ ବସ୍ତ୍ରନାଇଁ ଆମଆଗେ କେହି ନାଇଁ

ଆମପଛେ କେହି ନାଇଁ ଅଛି ଖାଲି ମାଇଲ ମାଇଲ ଧରି ଶୂନ୍ୟର ଇଲାକା

ଆମେ ବିନ୍ଦୁ

ଆମେ ବୃତ୍ତ

ଆମେ ସବୁ ଘୂର୍ଣ୍ଣିବାୟୁ

ଆମରି ପରିଧି ମଧ୍ୟେ ଚାହୁଁ ଚାହୁଁ

କ୍ଷୟ ହବ ମଠାଧୀଶମାନଙ୍କର ପୁଞ୍ଜିବହୁତ ଆୟୁ

ହେ ମୋର ସ୍ଵର୍ଗବାସୀ ପୂର୍ବ ସୂରୀଗଣ ସ୍ୱର୍ଗଗାମୀ ସୁରସୁତଗଣ

ଶୁଣିବାରେ ତମ ରକ୍ତଗଢ଼ା ସନ୍ତାନଙ୍କ ଦୁଃଖର କାରଣ

ନିର୍ବାଣ ଲୋଭରେ ତମେସବୁ କଲବଲ ।

କାମନାଇଁ ଦୁଃଖର କାରଣ ।

ଦୁଃଖର କାରଣ ଅଟେ ସାଂପ୍ରତିକ ମଣିଷର

ପୁଞ୍ଜିଭୂତ ବେଦନାର ଦୁର୍ଗମ ତୋରଣ

ଆମପାଇଁ ସ୍ୱର୍ଗବାସ ଅକାରଣ

ପଦ୍ମଶ୍ରୀ ପଦ୍ମଭୂଷଣ କବିଶ୍ରେଷ୍ଠ ଜ୍ଞାନପୀଠ ଏକାଡେମୀ

ଅବା କେଉଁ ତାମ୍ର ଫଳକର ନାଇଁ ପ୍ରୟୋଜନ

ଆମପାଇଁ ନର୍କ ଲୋଡ଼ା

ନର୍କ ଆମ ବୈକୁଣ୍ଠର ପୂଜ୍ୟ ସିଂହାସନ ।।

—୦—

 

ଯାତ୍ରା

 

ମୋ ବୟସ ଚାହୁଁ ଚାହୁଁ ଫିକା ପଡ଼ିଲାଣି

କି ଥିଲା ମୋ ରୂପ ଆଜି କ’ଣ ହେଲାଣି ?

ମୋ ଗଣ୍ଠିକି ସଜକର

ବାନ୍ଧିଦିଅ ମୋ ପେଡ଼ି ପୁଟୁଳା

ମୁଁ ଯିବି ପାରିଧିକୁ

ଡଙ୍ଗା ବୋହି ଅଜଣା ଦ୍ୱୀପକୁ ।

ବାକିଖାତା ଦେଖି କହ ।

ଛିଟିକା ପଇସା କେତେ ନେବ ଠିକ୍‍କରି

ହିସାବଟି ଦିଅ । ପୁରୁଣା ଫାଇଲ ଘାଣ୍ଟି

କହ ମତେ କେତେ ମୋର ବିଲ୍ ସବୁ ପାଇବାକୁ

ଅଛି । ବିଳମ୍ୱ ନ କର ଆଉ ଯିବାବେଳ

ଉଛୁର ହେଉଚି ।

 

କେତେ ବା ବୁଲାଇଥାନ୍ତି ବ୍ୟର୍ଥତାର

ବୋଝ ସବୁ ଶୂନ୍ୟତାର ଛୁଆ କବିଲାଂକୁ ?

କେତେ ଆଉ ଗେଲ କରି

ଧରିଥାନ୍ତି ମୋ ଦେହର ରୋଗ

 

 

ଶୋକ ଅଶେଷ ବ୍ୟାଧିକୁ । ମୋ ମନର

ଫିକା ଇଲାକାକୁ । ପାଣିଫଟା ବାଦାମୀ ରଙ୍ଗକୁ ।

 

ସଜକର ମୋ ବୁଜୁଳା

ସଜକର ଘୋଡ଼ା

ହାତୀ, ରଥ ରଥାଙ୍ଗକୁ

ଯିବି ମୁଁହି ପାରିଧିକୁ । ଅଜଣା ଦ୍ଵୀପକୁ ।

—୦—

 

ସାଲୁର

 

କେତେ ରଙ୍ଗ ଆକାଶର

ଗୋଳି ହୋଇ ସାଲୁରର

ମୁହଁ ଦିଶେ ଲାଲ୍ ଗୋଲାକାର

 

ପ୍ରେମ ପ୍ରୀତି ସାମ୍ୟ ମୈତ୍ରୀ

ସବୁଜ ରଙ୍ଗର ଶ୍ୟାହୀ

ଚକା ଚକା କଳା ଆଖି

ତୁଙ୍ଗ ସ୍ତନା ପାହାଡ଼ ଓ

ଭଙ୍ଗା ଭଙ୍ଗା ଜଇପୁରୀ ସ୍ମୃତି

 

ସ୍ମୃତି ଏକ ଗଦ୍ୟମୟୀ ପ୍ରୀତି

ପ୍ରିୟାର ଚିବୁକ ପରେ ଭୟଙ୍କର

ଗତିର ବିରତି;

 

ଚାରିଆଡ଼େ ଚେନା ଚେନା

ଜଇପୁରି ସ୍ମୃତିର ପ୍ରତିତୀ

ରୁବିରେ; ଇଏ କେଉଁ ଭିନ୍ନ ରତି

ଅବା ଏକ ରତିର ବିରତି ।

 

ମାନଚିତ୍ର

 

ଆସ ଆସ ବନ୍ଧୁ ପରିଜନ

ସାଇଭାଇ ପ୍ରିୟ ଜନ ଚିହ୍ନାଜଣା ଆତ୍ମୀୟ ସୋଦର ।

ପୃଥିବୀର ମାନଚିତ୍ର ଦେଖିଯାଅ ଦିଶେ ଆହାଃ

କେଡ଼େ ମନୋହର ।

 

କେଡ଼େ ମନୋହର ଦିଶେ ଶ୍ୟାମଳ

ଦୁର୍ବାଦଳ । ଆକାଶର ଗାଢ଼ ରଙ୍ଗ ନୀଳ

ଗଛମାନେ ଦିଶନ୍ତି ସୁନ୍ଦର । ତହିଁରୁ ଅଧିକ

ଦିଶେ ରମଣୀଙ୍କ ସ୍ତନ, ନିତମ୍ୱ ଓ ନାଲିଓଠ

ଧାର । ସାପମାନେ ଜୁଳୁଜୁଳୁ ଆଖିକରି ଦିଶନ୍ତି

ଉଦାର । ଅବା ଏକ ବେଙ୍ଗ ଅନ୍ୟ ଏକ ବେଙ୍ଗ

ଉପରକୁ ଲମ୍ଫ ମାରେ ବାରମ୍ୱାର । ଏହାଠୁ ସୁନ୍ଦର

କ’ଣ ଅଛି ଏ ପୃଥ୍ଵୀରେ । ପ୍ରାଣୀ ଜନ୍ମନେଲେ ମୃତ୍ୟୁ

ଘରେ ନିଶ୍ଚିନ୍ତରେ ।।

 

ଆସରେ ଦେଖିବା ମିତ

ସାଥୀ ଓ ସଙ୍ଗୀତ । ପୃଥିବୀର ମାନଚିତ୍ର ଦିଶେ

ମନୋହର । କଉଁ ଖିଆଲି ସ୍ରଷ୍ଟାର ଏହା ଏକ

ହାତଟଣା ଗାର । କେମିତି ଏଠାରେ ଭାଙ୍ଗେ

ଅକାଳରେ ପ୍ରଜାପତିମାନଙ୍କର ହାତଗଢ଼ା ଘର ।

କି ଦୋଷରେ ଘାଣ୍ଟିହୁଏ ଏ ଯୁଗ କୁମର । ଧରି

ଧରଣୀର ମାନଚିତ୍ର ବଡ଼ଦାଣ୍ଡେ ଛାଡ଼ଇ ଚିତକାର

କିଏ ନେଲା ସୌର୍ଯ୍ୟ, ବୀର୍ଯ୍ୟ ? କାହାପାଇଁ

ଯାତ ଦେଖା ହୋଇଲା ଉଛୁର ?

 

ଆସରେ ଦେଖିବା ବନ୍ଧୁ

ସଂସାରର ମାନଚିତ୍ର କି ଢଙ୍ଗରେ ଦିଶେ ମନୋହର ।

କେତେକାଳ ଜପୁଥିବା ରାମନାମ ହାତେ ଧରି

ନାଉ ତୁମ୍ୱାଥାଳ । ଚାହୁଁ ଚାହୁଁ ଏ ପୃଥିବୀ ଦିଶିଲାଣି

କେଡ଼େ ନାରଖାର । ଗର୍ଭବତୀ ସ୍ତ୍ରୀ ପରି କି ବିକଳେ

ରଡ଼ିଛାଡ଼ି ହୁଅଇ ଅସ୍ଥିର । ମନରୁ ମଲାଣି ରଙ୍ଗ

ଚାରିଆଡ଼ ସଫେଦ ଓ ତୁଚ୍ଛା ହାହାକାର । ପଶ୍ଚିମରେ

କିଏ ବସି ବାକିଖାତା ଦେଖେ ବାରମ୍ୱାର । ଦର୍ପଣରେ

ନିଜ ଛବି ଦିଶେ କି ବାନ୍ଦର ।

 

ନକ୍‍ସା ଧରି ଏ ବୟସେ ଆଉ କି ମିଳିବ

ଲାଭ ଗାର ଟାଣିବାରେ । କି ଲାଭ ମିଳିବ ଆଉ

ଜପିଜପି ତୁମନାମ; ମାପିଚୁପି ଅଙ୍କ କଷିବାରେ ?

ସବୁଠି ଜଳୁଛି ଜୁଇ ସବୁଆଡ଼େ ସ୍ୱରଭଙ୍ଗା ସମ୍ପର୍କରେ

ଚିତା ନିତି ଜଳେ । ବିବେକର ବେକ କିଏ ମୋଡ଼େ ।

ଅର୍ଗଳିରେ ବେକ ରଖି ଅଧମ ପଶୁଙ୍କ ପରି

ଆତ୍ମା ରଡ଼ି ଛାଡ଼େ । ସମୟର ନୀଳ ଲହରୀରେ

ପତ୍ର ଝରେ, ଫୁଲ ଝରେ, ବିକଳ ଦୃଶ୍ୟରେ

ଆହାଃ ଗଛମାନେ ଦିଶୁଛନ୍ତି କି ଉଦାର ।

ଶୀର୍ଣ୍ଣକାୟ ବୃଦ୍ଧପରି ସହରର

ମାନଚିତ୍ର ଦିଶେ ଅସୁନ୍ଦର ।

 

ଏ ଯୁଗର ରାଜା ଉହ୍ଲେଇରେ ନିଜକୁ ସନ୍ତୁଳି

ଆଉ ଲାଭ କ’ଣ ? ଲାଭ କ’ଣ ନକ୍‍ସା ଦେଖି ଯୁଦ୍ଧ କରିବାରେ ?

କି ସୁଖ ପାଇବାପାଇଁ ଆମେ ସବୁ ଦିନରାତି ଜଳୁଅଛୁ

କାମନା ବହ୍ନିରେ । ଏହାଠୁଁ ଉତ୍ତମ ହେବ ଶାମୁକାର

ଅନ୍ଧାର କୋଣରେ ଲୁଚିରହି ନିଜ ରୂପ

ନିଜେ ଦେଖିବାରେ । ବୁଢ଼ା ସୌଦାଗର ପରି ନିଦ୍ରାଯିବା ରାତିଅଧେ

ଅନନ୍ତ ସୁଖରେ ।

 

ଏ ପୃଥିବୀ ଦିଶେ ନାରଖାର !

ସବୁଦିଗେ ମଣିଷର ପ୍ରେତ କି କାରଣେ

ରଡ଼ି ଛାଡ଼େ ବାରମ୍ୱାର !

ଏ କ’ଣ ଅସତ୍ୟ ସହର ?

ଯେଉଁଠି ପାପର ଦୌଲତ ଠୁଳରହେ ଅମାର ଅମାର ।।

—୦—

 

ସମୁଦ୍ର

 

ଏଇ ମୁଁ ଫେରୁଚି ମାତ୍ର ଅତିକ୍ରମି

ଲକ୍ଷ ଲକ୍ଷ ଢେଉର ସମୁଦ୍ର । ତୃଷାରେ

ମୋ କଣ୍ଠନଳୀ ଫାଟିପଡ଼େ, ତଥାପି ମୁଁ

ପାଉନାଇଁ ଆଞ୍ଜୁଳାଏ ପ୍ରୀତିର ସମ୍ୱାଦ

ଶ୍ୟାମକୁ ଜୁହାର

ତା’ର ପ୍ରୀତିକୁ ଜୁହାର

କଦମ୍ୱ ବନକୁ ଆଉ ଯିବିନାଇଁ, ବଂଶୀଧରି

ଗାଇବିନି ବିରହ ସଙ୍ଗୀତ । ଜଳକେଳି ଲୋଡ଼ା ନାଇଁ ମୋର

ମୁଁ ପାଉନି ଖୋଜି ଖୋଜି ଏ ପୃଥ୍ଵୀରେ ଏତେ ଟିକେ

ମମତାର ମଦ । ଏଠି ଖାଲି ଦେହର ସମୁଦ୍ର । ଆହାଃ;

ଦେହର ସମୁଦ୍ର ।।

ମୋ ନାମରେ ଅପବାଦ ନାଗର ବଜାଇ ଯେଉଁ ରାଧା

ବୁଲୁଅଛି ଏକାମ୍ର ନଗରେ । ତାକୁ ମୋ ଜୁହାର । ତା’ର ଶ୍ୟାମକୁ

ଜୁହାର । ତା’ର ପ୍ରୀତିକୁ ଜୁହାର ।

ପ୍ରୀତିରୁ ପ୍ରମାଦ ବଢ଼େ

ପ୍ରମାଦରୁ ମୃତ୍ୟୁ ଜନ୍ମ ନିଏ

ମୃତ୍ୟୁରୁ ଯନ୍ତ୍ରଣା ବଢ଼େ

କଣ୍ଠନଳୀ କ୍ରମେ ନୀଳ ହୁଏ । ମୁଁ ଆଉ ଚୁମିବି ନାଇଁ

ତା’ର ପାଦ । ସେଠି ଅଛି ବିଷର ସମୁଦ୍ର । ଏହା ବିଷର ସମୁଦ୍ର ।।

ତା’ ଦେହର ଆବରଣ ଯେଉଁ ଶ୍ୟାମ ବରଣ ଖୋଲିଲା । ସେ

କେମିତି ଏ ସହରେ ଦ୍ରୌପଦୀ ସାଜିଲା । ସମୁଦ୍ରରୁ ଏତେ ଜଳ

କେଉଁ ମନ୍ତେ ନିଷ୍କାସନ ହେଲା । କି କାରଣେ ଦୀର୍ଘଦିନ ବନବାସ

ଶ୍ରୀରାମ ସହିଲା ? ଏତେକଥା ନାଶ ହେଲା କିମ୍ପା

ପୀରତିରେ କିଏ ଆସି ଗାର ଟାଣି ଦେଲା ।

ତା’ର ପ୍ରୀତିକୁ ଜୁହାର

ତା’ର ଶ୍ୟାମକୁ ଜୁହାର

ଓ ତା’ପରି ବୟସ୍କାମାନଙ୍କୁ ମୋର କୋଟିଏ ଜୁହାର ।।

—୦—